Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଆଶା ଓ ଗାଁ’କଲ୍ୟାଣ ସମିତି ସମ୍ମିଳନୀ

ଜିଲାସ୍ତରୀୟ ଆଶା ଓ ଗାଁ’କଲ୍ୟାଣ ସମିତି ସମ୍ମିଳନୀ

16

ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସ୍ଥାନୀୟ ଆୟୁଷ୍ମାନ ମଣ୍ଡପ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏହାକୁ ଉଦଘାଟନ କରିବା ସହିତ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଏବଂ କୋଭିଡ ଯୁଦ୍ଧରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଭିଡ ପରିଚାଳନାରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଉଲେଖନୀୟ ଅବଦାନ ସମ୍ପର୍କରେ ସୂଚନା ଦେବା ସହ ଓ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସେମାନଙ୍କ ସହଭାଗିତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ। ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଏଥିରେ ପୋରହିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଙ୍କର୍ଷଣ ଚୌଧୁରୀ, ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମିଶ୍ର, ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅରୂପ ଦାସ, ଜିଲା ପଞ୍ଚାୟତ ଅଧିକାରୀ ରବି ଚନ୍ଦ୍ର କଅଁର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ଅଧିକାରୀ ଅନୀଲ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଗାଁ କଲ୍ୟାଣ ସମିତିଗୁଡିକ ଅଧିକ ସକ୍ରିୟ ହେବା ସହିତ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଆହ୍ୱାନ ଦେଇଥିଲେ। ଉଲେଖନୀୟ କାର୍ଯ୍ୟ ପାଇଁ ଏହି ଅବସରରେ ୬ ଗୋଟି ଗ୍ରାମ ପଂଞ୍ଚାୟତକୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥି ସହିତ ୧୨ଟି ଗାଁ କଲ୍ୟାଣ ସମିତିକୁ ସୁସ୍ଥ ଗାଁ ପୁରସ୍କାର ଓ ଦଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟସେବା ପ୍ରଦାନରେ ଉଲେଖନୀୟ ଅବଦାନ ପାଇଁ ୮ ଜଣ ଆଶାକର୍ମୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ଓ ମାନପତ୍ର ଏବଂ କୋଭିଡ ପରିଚାଳନାରେ ସମ୍ପୃକ୍ତ ସମସ୍ତ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପକ୍ଷରୁ ସ୍ୱାସ୍ଥ୍ୟ ଭତ୍ତିକ ସଚେତନତାମୂଳକ ନାଟକ ଏମତି ଠକ ଡାକ୍ତରଙ୍କୁ ଦୁରୁ ଜୁହାର ମଞ୍ଚସ୍ଥ କରାଯାଇଥିଲା। ଜିଲାର ବିଭିନ୍ନ ଅଂଚଳରୁ ଆଶା ଓ ଅଙ୍ଗନୱାଡି କର୍ମୀ, ସରପଞ୍ଚ ଓ ସ୍ୱାସ୍ଥ୍ୟକର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ଅଧିକାରୀ ଅନୀଲ କୁମାର ମହାନ୍ତି, ଗାଁ କଲ୍ୟାଣ ସମିତି ମ୍ୟାନେଜର ଏଲିନା ସାମଲ, ଆଶା ମ୍ୟାନେଜର ସୂର‌୍ୟ୍ୟଜିତ ରାୟ ଓ ଡିଡିଏମ ହରେକୃଷ୍ଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.