Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ – ୧୦ ମାମଲା ଫଇସଲା ଓ ୨୪ଟିରେ...

ବାଲେଶ୍ୱରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ – ୧୦ ମାମଲା ଫଇସଲା ଓ ୨୪ଟିରେ ପୁନଃ ନୋଟିସ ଜାରି

22

ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଏକ ଶିବିର ଅଦାଲତ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ‘ସଦଭାବନା ସଭାଗୃହ’ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା ଏହାକୁ ଉଦଘାଟନ କରିବା ସହ ଶିବିର ଅଦାଲତ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ମାମଲାର ଶୁଣାଣି ପାଇଁ ବାରମ୍ବାର ଭୁବନେଶ୍ୱର ନ ଡକାଇ ଆୟୋଗ ଜିଲାସ୍ତରରେ ଏହିଭଳି ଶିବିର ଆୟୋଜନ କରୁଛି। ଏହା ଦ୍ୱାରା ପୀଡ଼ିତାଙ୍କୁ ତତ୍କାଳ ନ୍ୟାୟ ମିଳି ପାରୁଛି ବୋଲି ଡ. ବେହେରା ମତ ପ୍ରକାଶ କରିଥିଲେ। ସମାଜ ଓ ପରିବାରରେ ନାରୀମାନେ ସମ୍ମାନର ସହ ବଞ୍ଚିବା ପାଇଁ ଉଭୟ ପକ୍ଷଙ୍କ ସହମତିରେ ବିବାଦ ସମାଧାନ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଂଜନ ସାମଲ, ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ୱର୍ଣ୍ଣଲତା ସାମଲ, ଆରତୀ ସିଂ, ଜଲିନା ପ୍ରିୟଦର୍ଶିନୀ ପ୍ରମୁଖ ଏଥିରେ ଯୋଗଦେଇ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେକ୍ୟାମ୍ପ କୋର୍ଟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିର ଏହି ଦିନିକିଆ କ୍ୟାମ୍ପ କୋର୍ଟରେ ଶୁଣାଣି ପାଇଁ ମୋଟ ୭୧ ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ବିଭିନ୍ନ କାରଣ ଯୋଗୁଁଁ ୩୭ଟି ମାମଲାର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ୯ ଗୋଟି ମାମଲାରେ ଉଭୟ ପକ୍ଷ, ୧୯ ଗୋଟି ମାମଲାରେ କେବଳ ଅଭିଯୋଗକାରିଣୀ ଓ ୯ଗୋଟି ମାମଲାରେ ପ୍ରତିପକ୍ଷ ହାଜର ହୋଇ ଯୁକ୍ତି ଉପସ୍ଥାପନ କରିଥିଲେ। ଆପୋସ ବୁଝାମଣା ମଧ୍ୟରେ ୧୦ ଗୋଟି ମାମଲା ଫଇସଲା ହୋଇଥିବା ବେଳେ ତଦନ୍ତ ପାଇଁ ଗୋଟିଏ କେସ ଆରକ୍ଷୀ ଅଧୀକ୍ଷକ ଏବଂ ୨ଟି କେସ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ୨୪ ଗୋଟି ମାମଲାରେ ପୁନଃ ନୋଟିସ ଜାରି କରାଯାଇଛି। ଏହି ଶିବିର ଅଦାଲତରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ମିଶ୍ର ସଂଯୋଜନା କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.