Home ଜିଲ୍ଲା ପରିକ୍ରମା ଜମି ଲାଗି ଦଳିତଙ୍କୁ ହଇରାଣ : ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଜମି ଲାଗି ଦଳିତଙ୍କୁ ହଇରାଣ : ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

144

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଜମିଜମା ମାମଲାରେ ଜଣେ ଦଳିତ ଲୋକଙ୍କୁ ତାଙ୍କ ଜମି ବିକ୍ରି ପାଇଁ ଅନୁମତି ନଦେଇ ହଇରାଣ ହରକତ କରିବା ଅଭିଯୋଗରେ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କ ବିରୋଧ ରାଜ୍ୟ ମାନବାଧିକାର କମିଶନଙ୍କ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଅତିରିକ୍ତ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏବଂ ଭଦ୍ରକ ଜିଲାପାଳଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି । ଏଥିପୂର୍ବରୁ ଅଭିଯୋଗକାରୀ ଘଟଣା ସଂପର୍କରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏବଂ ଭଦ୍ରକ ଜିଲାପାଳଙ୍କୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମ୍ପେ୍ଲନ୍ ପିଟିସନ୍ ଦାଖଲ କରିଥିଲେ । ଅଭିଯୋଗକାରୀଙ୍କ ଏହି କମ୍ଫେ୍ଲନ୍ ପିଟିସନ୍ ମୂଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ତାଙ୍କ ପତ୍ରାଙ୍କ ନଂ ୬୦୯୩-୧୦-୬-୨୦ ରେ ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ସହିତ ୭ ଦିନ ମଧ୍ୟରେ ବିବରଣୀ ପଠାଇବାକୁ ଭଦ୍ରକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ତଦନ୍ତ ଭଦ୍ରକ ଅତିରିକ୍ତ ଜିଲାପାଳ (ରାଜସ୍ୱ)ଙ୍କୁ ଦିଆଯାଇଛି । ତେବେ ମାମଲାର ନିରପେକ୍ଷ ତଦନ୍ତ ଦୃଷ୍ଟିରୁ ଏହାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ତଦନ୍ତ କରିବାକୁ ଅଭିଯୋଗକାରୀ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ଦରଖାସ୍ତ କରିଛନ୍ତି । ଭଦ୍ରକ ସହର ମଠସାହି ଗ୍ରାମର ସର୍ବେଶ୍ୱର ସେଠୀ ନାମକ ଜଣେ ଦଳିତ ବ୍ୟକ୍ତି ନିଜର ଚିକିତ୍ସା ଖର୍ଚ୍ଚ ଭରଣା କରିବା ପାଇଁ ମଠସାହି ମୌଜାରେ ନିଜସ୍ୱ ମାଲିକାନାରେ ଥିବା ୬ ଡି. ପରିମିତ ଏକ ଜମିକୁ ଜଣେ ସର୍ବର୍ଣ୍ଣ ଲୋକଙ୍କୁ ବିକ୍ରି କରିବା ପାଇଁ ଓଡ଼ିଶା ସରକାରଙ୍କ ଭୂସଂସ୍କାର ଆଇନ୍ ଧାରା ୨୨ ଅନୁଯାୟୀ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓଏଲ୍‌ଆର କେଶ୍ ନଂ ୧୩୭/୧୯ ରେ ଏକ ମାମଲା ପଂଜିକୃତ କରାଇଥିଲେ । ତେବେ ଦରଖାସ୍ତକାରୀ ଜଣେ ଦଳିତ ବର୍ଗର ହୋଇଥିବା ହେତୁ ସେ ପ୍ରକୃତପକ୍ଷେ ଏହି ଜମି ବିକ୍ରି କରିବାକୁ ଯେଗ୍ୟା ଅଥବା ନୁହେଁ ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ଭଦ୍ରକ ତହସିଲଦାର, ଆରଆଇ ଏବଂ ଡିଡବ୍ଲ୍ୟୁଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟରେ ଦରଖାସ୍ତକାରୀ ଶ୍ରୀ ସେଠୀଙ୍କ ମାଲିକାନାରେ ୩ ଏକର ୪୬ ଡି. ଜମି ରହିଥିବା ହେତୁ ତାଙ୍କ ସପକ୍ଷରେ ଜମି ବିକ୍ରି ପାଇଁ ଅନୁମତି ଦିଆଯାିବାରେ କୌଣସି ଅସୁବିଧା ନାହିଁ ବୋଲି ତଦନ୍ତକାରୀ ଅଧିକାରୀମାନେ ଗତ ୧୧-୧୧-୧୯ ସୁଦ୍ଧା ରିପୋର୍ଟ କରିଥିଲେ ।

 

 

ରାଜ୍ୟ ସରକାରଙ୍କ ଭୂସଂସ୍କାର ଆଇନ୍ ଧାରା ୨୨ ର ସମସ୍ତ ସର୍ତ୍ତ ପୂରଣ କରିବା ପରେ ସର୍ବେଶ୍ୱରଙ୍କୁ ତାଙ୍କ ଜମି ବିକ୍ରି କରିବାକୁ ଅନୁମତି ଦିଆଯିବା ପରିବର୍ତ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନାବଶ୍ୟକ ଭାବେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ରିପୋର୍ଟ କରିବାକୁ ଭଦ୍ରକ ସିଡିଏମ୍‌ଓଙ୍କୁ ଚିଠି କରିଥିଲେ । ଏହି ସୂଚନା ପାଇବା ପରେ ସର୍ବେଶ୍ୱର ନିଜର ଚିକିତ୍ସା ସଂପର୍କିତ ସମସ୍ତ କାଗଜପତ୍ର ସହିତ ତାଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବା ୫ ଏକରରୁ ଉର୍ଦ୍ଧ୍ୱ ଜମିର କାଗଜପତ୍ର ସମ୍ବଳିତ ତଥ୍ୟ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରି ଚିକିତ୍ସା ଖର୍ଚ୍ଚ ଭରଣା ସକାଶେ ତୁରନ୍ତ ତାଙ୍କୁ ତାଙ୍କ ଜମି ବିକ୍ରି କରିବାକୁ ଅନୁମତି ଦେବାକୁ ନିବେଦନ କରିଥିଲେ । ଏହା ସତ୍ୱେ ମଧ୍ୟ ସର୍ବେଶ୍ୱରଙ୍କୁ ତାଙ୍କ ଜମି ବିକ୍ରି କରିବାକୁ ଅନୁମତି ଦିଆନଯାଇ ଗତ ୧୩-୩-୨୦ ରିଖରେ ତାଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା । ସବୁଠାରୁ ବଡକଥା ହେଲା ତାଙ୍କ ମାମଲା ଖାରଜ କରିଦିଆଯିବାର ଇତିମଧ୍ୟରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ତାଙ୍କୁ ଖାରଜ କରାଯାଇଥିବା ମାମଲାର ପ୍ରାମାଣିକ କପି ପ୍ରଦାନ କରାଯାଉନଥିବା କଥା ସର୍ବେଶ୍ୱର ଅଭିଯୋଗ କରିଛନ୍ତି । ଫଳରେ ସେ ଏହି ମାମଲାରେ ଉପର କୋର୍ଟକୁ ମଧ୍ୟ ଯାଇ ପାରୁନଥିବା ଅଭିଯୋଗ କରିଛନ୍ତି । ତେଣେ ଜମି ବିକ୍ରି ବିଳମ୍ବିତ ହେଉଥିବା ଯୋଗୁଁ ତାଙ୍କ ରୋଗ ବୃଦ୍ଧି ପାଇ ଚିକିତ୍ସା ଖର୍ଚ୍ଚ ଦିନକୁ ଦିନ ବ୍ୟୟବହୁଳ ହୋଇପଡିଥିବା ସର୍ବେଶ୍ୱର ଅଭିଯୋଗ କରିଛନ୍ତି । ଏଥିପାଇଁ ଭଦ୍ରକ ଉପଜିଲାପାଳଙ୍କୁ ପ୍ରତ୍ୟକ୍ଷ ଭାବେ ଦାୟୀ କରି ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚ କାହିଁକି ତାଙ୍କ ବେତନରୁ ଭରଣା କରାନଯିବ ବୋଲି ସର୍ବେଶ୍ୱର ଏଚଆରସିଙ୍କ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ସର୍ବେଶ୍ୱରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅମ୍ବୁଜବନ୍ଧୁ ପରିଡା ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.