Home ଜିଲ୍ଲା ପରିକ୍ରମା ଗରିବଙ୍କୁ ମିଳୁନି ଆବାସ, ଧନୀକଙ୍କୁ ଯାହାକୁ ଯେତେ

ଗରିବଙ୍କୁ ମିଳୁନି ଆବାସ, ଧନୀକଙ୍କୁ ଯାହାକୁ ଯେତେ

157

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଳ ଓ ଝାଟିମାଟି ଘର ଆଉ ରହିବ ନାହିଁ । ସରକାରୀ ସ୍ତରରେ ସମସ୍ତଙ୍କୁ ମିଳିବ ପକ୍କାଘର ବୋଲି ଡିଣ୍ଡିମ ପିଟାଯାଉଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି । ମାତ୍ର ରାଜନୈତିକ ଚାପରେ ଗରିବଙ୍କୁ ଏହି ଯୋଜନାରେ ସାମିଲ କରାଯାଉନଥିବା ବେଳେ ଧନୀକମାନଙ୍କୁ ଯାହାକୁ ଯେତେ ପ୍ରଦାନ କରାଯାଉଛି । ବିପିଏଲ୍ କାର୍ଡଧାରୀ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାବତ୍ ଆବାସ ଟିଏ ମିଳିନଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଗୋପୀନାଥପୁର ପଂଚାୟତ ଅଧୀନ କେଶରପୁର ଗାଁର ଖଟୁଆସାହିର ଆନନ୍ଦ ଖଟୁଆ । ସ୍ୱାମୀ-ସ୍ତ୍ରୀଙ୍କ ସହିତ ୪ ଟି ଝିଅ । ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରନ୍ତି, ସେଥିରେ ପରିବାର ପୋଷଣ ସହିତ ୨ଟି ଝିଅକୁ ବାହା ମଧ୍ୟ ଦେଇଛନ୍ତି । ଜଣେ ବିପିଏଲ୍ କାର୍ଡଧାରୀ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିନାହିଁ ଆବାସ ଯୋଜନା । ବାରମ୍ବାର ପଂଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲାପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ । ଏଥିସହିତ ନୁଆଣିଆ ଝାଟିମାଟି ଚାଳ ଛପର ଘର ହୋଇଥିବାରୁ ବାରମ୍ବାର ବାତ୍ୟା ବନ୍ୟାରେ ଘର ଭାଙ୍ଗିବା ସହିତ କାନ୍ଥ ମଧ୍ୟ ଭାଙ୍ଗିଥାଏ । ତହସିଲ ପକ୍ଷରୁ ତଦନ୍ତ ହୁଏ, ହେଲେ ଏହି ପରିବାରକୁ ଏଯାବତ୍ ଟଙ୍କାଟିଏ ଘରଭଙ୍ଗା ସହାୟତା ମିଳିନଥିବା ମଧ୍ୟ ଜଣାଯାଇଛି । ଏଇ ନିକଟରେ ବାତ୍ୟା ଅମ୍ପାନରେ କାନ୍ଥ ଭାଙ୍ଗିଥିବା ବେଳେ ବହୁକଷ୍ଟରେ ମରାମତି କରିଥିଲେ । ପୁଣି ଲଗାଣ ବର୍ଷାରେ ମଦ୍‌ୟ କାନ୍ଥ ଭାଙ୍ଗିଯାଇଛି । କରୋନା ପାଇଁ ଲକଡାଉନ୍‌ରେ କାମଧନ୍ଦା ବନ୍ଦ ଥିବାବେଳେ ଧାର କରଜ କରି ଏବେ କାନ୍ଥର ମରାମତି କରିଛନ୍ତି । ମାତ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପରିବାର ଲୋକେ କାଳାତିପାତ କରୁଥିବା ପରିଲକ୍ଷିତ ହୋଇଛି । ସରକାରୀ ସ୍ତରରେ ପକ୍କା ଘରଟିଏ ମିଳିଲେ ଏପରି ଦୁର୍ଦ୍ଦିନରୁ ମୁକ୍ତି ମିଳନ୍ତା ବୋଲି ଏହି ଗରିବ ପରିବାର ଦାବି କରିଛନ୍ତି । ଏହି ଘଟଣାଟି ସରପଞ୍ଚଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଶ୍ ଅନୁମେୟ । ଅନ୍ୟପଟେ ୨୦୧୯-୨୦ ଆର୍ଥିକ ବର୍ଷରେ ଆନନ୍ଦ ଖଟୁଆଙ୍କ ସ୍ତ୍ରୀ ଶାନ୍ତିଲତା ଖଟୁଆଙ୍କ ନାମରେ ଆବାସଟିଏ ଅନୁମତି ମିଳିଥିଲେ ମଧ୍ୟ ଏଯାବତ୍ କାର୍ଯ୍ୟାଦେଶ ମିଳିନଥିବା ଜଣାଯାଇଛି । ତେବେ ଖୁବଶୀଘ୍ର ଏହି ଗରିବ ପରିବାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପଂଚାୟତ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.