Home ଓଡ଼ିଶା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ବିଶ୍ୱ ମୈତ୍ରୀ ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ବିଶ୍ୱ ମୈତ୍ରୀ ଦିବସ ପାଳିତ

246

ବ୍ରହ୍ମପୁର: ୫/୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବିଶ୍ୱ ମୈତ୍ରୀ ଦିବସ ରବିବାର ଦିନ ମହାସମାରୋହରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। କଲେଜ ଛାତ୍ର ଛାତ୍ରୀ ପରସ୍ପରକୁ ହାତରେ ବନ୍ଧୁତାର ଡୋରି ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରି ଏହି ଦିବସ ପାଳିଥିଲେ। ଅନେକ ବରିଷ୍ଠ ନାଗରିକ ତାଙ୍କ ବାଲ୍ୟବନ୍ଧୁଙ୍କୁ ଆମନ୍ତ୍ରଣ କରି ପାରିବାରିକ ଖୁସି ମନାଇଥିଲେ।

ବ୍ରହ୍ମପୁରରେ ଚଳିତ ଥର ଏକ ନିଆରା ଢଙ୍ଗରେ ବିଶ୍ୱ ମୈତ୍ରୀ ଦିବସ ପାଳନ କରାଯାଇଛି। ସମଗ୍ର ମାନବ ସମାଜକୁ ଏକ ବାର୍ତ୍ତା ଦେବା ଲକ୍ଷ୍ୟ ରେ ଏହି ଦିବସ ପାଳନ କରାଯାଇଛି। ଏକ ଆଦର୍ଶ ଧାରାରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ସାଂସଦ, ବିଧାୟକ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ନିଆରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜିର ଦିବସରେ ବୃକ୍ଷକୁ ବନ୍ଧୁ ଭାବେ ଗ୍ରହଣ କରି ସମସ୍ତେ ବୃକ୍ଷ ରୋପଣ, ବୃକ୍ଷ ପୂଜା ଓ ପୂର୍ବରୁ ଥିବା ବୃକ୍ଷ ଗୁଡିକର ଯତ୍ନ ନେଇ ସକାରାତ୍ମକ ଅଭିଯାନର ଶୁଭାରମ୍ଭ କରିଥିଲେ।

ବ୍ରହ୍ମପୁର ସବୁଜ ବାହିନୀ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୈତ୍ରୀ ଦିବସର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାମଲିଙ୍ଗମ ମନ୍ଦିର ସମ୍ମୁଖରେ ଥିବା ଶତାୟୁ ବର ଗଛକୁ ବନ୍ଧୁ ଭାବେ ଗ୍ରହଣ କରାଯାଇଛି। ଆୟୋଜିତ ସମାବେଶରେ ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମର କମିସନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବି.ଡି.ଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗଦେଇ ଶତାୟୁ ବଟ ବୃକ୍ଷ କୁ ଫୁଲ, ଚନ୍ଦନ, ବସ୍ତ୍ର ଦେଇ ପୂଜା କରି ବନ୍ଧୁତ୍ବ ର ଡୋରରେ ବାନ୍ଧି ଥିଲେ। ବୃକ୍ଷ ବିଦ୍ଧ କଣ୍ଟା କୁ ବାହାର କରାଯାଇଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ ସମସ୍ତ ପରିବେଶ ପ୍ରେମୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ଜିଲ୍ଲାପାଳ ବୃକ୍ଷ ର ସୁରକ୍ଷା କରିବା ଆହ୍ୱାନ ଦେଇ ବୃକ୍ଷ ଆମକୁ ଅମ୍ଲଜାନ, ଖାଦ୍ୟ, ବସ୍ତ୍ର, ବାସଗୃହ, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିସ୍ବାର୍ଥ ପର ଭାବରେ ସବୁ ଆବଶ୍ୟକତା ପୂରଣ କରୁଛି ତେଣୁ ସେ ହିଁ ପ୍ରକୃତ ବନ୍ଧୁ ବୋଲି କହିଥିଲେ। ଏହାପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଅତିଥି ମାନେ ଏକ ସଚେତନତା ପଦଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ପଦଯାତ୍ରା ମହାନଗର କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ବହୁ ପରିବେଶ ଓ ପ୍ରକୃତି ପ୍ରେମୀ ଏଥିରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.