Home ଓଡ଼ିଶା ଉନାଓ ଲୋମହର୍ଷଣକାରୀ ଗଣଧର୍ଷଣ ଘଟଣାରେ ସୁପ୍ରିମକୋର୍ଟଙ୍କ ନିୟନ୍ତ୍ରିତ ସିବିଆଇ ତଦନ୍ତ ଓ ମୃତକଙ୍କୁ ୫୦ଲକ୍ଷ ଟଙ୍କା...

ଉନାଓ ଲୋମହର୍ଷଣକାରୀ ଗଣଧର୍ଷଣ ଘଟଣାରେ ସୁପ୍ରିମକୋର୍ଟଙ୍କ ନିୟନ୍ତ୍ରିତ ସିବିଆଇ ତଦନ୍ତ ଓ ମୃତକଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର : ସମାଜବାଦୀ ପାର୍ଟି

375

ଭୁବନେଶ୍ୱର, ୧ା୦୮ (ଓଡ଼ିଆ ପୁଅ) : ସଡ଼କରୁ ସଂସଦ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ତୀବ୍ର ହେଉଥିଲା ବେଳେ ଉତ୍ତର ପ୍ରଦେଶର ଉନାଓ ଗଣଧର୍ଷର ଘଟଣାର ସୁପ୍ରିମକୋର୍ଟଙ୍କ ନିୟନ୍ତ୍ରିତ ସି.ବି.ଆଇ. ତଦନ୍ତ ଓ ପ୍ରତି ମୃତକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ନାବାଳିକା ଯୌନ ନିର୍ଯ୍ୟାତନା ଆଇନ୍ ଅନୁଯାୟୀ ଧର୍ଷଣକାରୀ ବିଧାୟକ ଓ ପିଡୀତାଙ୍କ ପରିବାରକୁ ଲୋପ କରିଦେବା ପାଇଁ ଧମକ ଦେଉଥିବା ତାଙ୍କର ଗୁଣ୍ଡାମାନଙ୍କୁ କଠୋର ଦଣ୍ଡ ଦେବା, ପିଡୀତାଙ୍କ ବାପାଙ୍କୁ ପୋଲିସ୍ ହାଜତରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ପୋଲିସ୍ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ଏବଂ ଗତ ରବିବାର ଦିନ ଟ୍ରକ ଦୁର୍ଘଟଣାରେ ନିଜର ଜୀବନ ମରଣ ସଂଘର୍ଷ କରୁଥିବା ପିଡିତା ଓ ତାଙ୍କ ଓକିଲଙ୍କୁ ଉଚିତ୍ ଚିକିତ୍ସା ପାଇଁ ଦିଲ୍ଲୀ ଏମସ୍ କିମ୍ବା ‘ଦିଲ୍ଲୀର ନିର୍ଭୟା’ ଭଳି ବିଦେଶରେ ଅତ୍ୟାଧୁନିକ ଚିକିତ୍ସା ମାଗଣାରେ ଯୋଗାଇଦେବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ଏକ ୫ ଜଣିଆ ପ୍ରତିନିଧି ଦଳ ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ୍ ଙ୍କୁ ରାଜଭବନଠାରେ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ରାନୁ ଦାସ, ଯୁବନେତା ସୁବ୍ରତ ଲେଙ୍କା ପ୍ରମୁଖ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ସ୍ମାରକପତ୍ର ପ୍ରଦାନ କରିବା ସହିତ ତାଙ୍କ ସହିତ ଘଟଣା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ମାନ୍ୟବର ରାଜ୍ୟପାଳ ସ୍ମାରକପତ୍ରଟିକୁ ଗ୍ରହଣ କରି ନିଜର ମତାମତ ସହିତ ମାନ୍ୟବର ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେବେ ବୋଲି ଏହି ପ୍ରତିନିଧି ଦଳଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଭାପତିି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ସ୍ମାରକପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଏହା କେବଳ ଗୋଟେ ସାଧାରଣ ଗଣଧର୍ଷଣ ନୁହେଁ, କ୍ଷମତାସୀନ ବିଜେପି ଦଳର ବିଧାୟକ କୁଲଦିପ ସିଂହ ସେଙ୍ଗାର ଜେଲ୍ ଭିତରେ ରହି ମଧ୍ୟ ପିଡିତାଙ୍କ ପରିବାରକୁ ଧମକ ଚମକ ଦେବା ଏବଂ ସର୍ବୋପରି ଟ୍ରକ ଚଢାଇ ଗତ ରବିବାର ଦିନ ମାରିଦେବାର ଯେଉଁ ଷଡ଼ଯନ୍ତ୍ର କରିଛନ୍ତି, ତାହା ଭାରତବର୍ଷର ଅପରାଧ ଇତିହାସରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଧାୟକଙ୍କର ପରିବାର ଏବଂ ତାଙ୍କ ଗୁଣ୍ଡବାହିନୀ ବାରମ୍ବାର ମକଦ୍ଦମା ପ୍ରତ୍ୟାହାର ପାଇଁ ପିଡୀତାଙ୍କ ପରିବାରକୁ ଧମକ ଚମକ ଦେଇଆସୁଛନ୍ତି। ଏ ସଂକ୍ରାନ୍ତରେ ପିଡୀତାଙ୍କ ପରିବାର ପକ୍ଷରୁ ଉତ୍ତର ପ୍ରଦେଶର ପୋଲିସ୍ ଙ୍କୁ ବିଭିନ୍ନ ସମୟରେ ୩୫ଟି ଅଭିଯୋଗ ପତ୍ର ଦିଆଯିବା ସତ୍ତ୍ୱେ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ୍ ରାଜନୈତିକ ଚାପ ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଗଣତାନ୍ତ୍ରିକ ଇତିହାସରେ ଏକ ବିଡ଼ମ୍ବନା ବ୍ୟତୀତ ଆଉ କ’ଣ ହୋଇପାରେ ? ଏଭଳିକି ଗତ ୧୨ ତାରିଖ ଦିନ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଧର୍ଷଣ ଘଟଣାର ମୁଖ୍ୟ ସାକ୍ଷୀ ତଥା ପିଡିତାଙ୍କ ଖୁଡ଼ି ପୁଷ୍ପା ସିଂହ, ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ହେଁ ଉତ୍ତର ପ୍ରଦେଶ ପୋଲିସ୍ ନିରବଦ୍ରଷ୍ଟା ସାଜିଛି। ଏଠାରେ ଉଲ୍ଲେଖଥାଉକି, ପୋଲିସ୍ ଘଟଣାର ଏଫ୍ .ଆଇ.ଆର ରେଜିଷ୍ଟ୍ରେସନ୍ ନ କରିବା ଫଳରେ ପିଡିତାଙ୍କ ପରିବାର ଗତବର୍ଷ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମଦାହ କରିବା ପାଇଁ ଧମକ ଦେଇଥିଲେ। ଯାହାଫଳରେ ପିଡିତାଙ୍କ ପିତାଙ୍କୁ ପୋଲିସ୍ ଗିରଫ କରି ହାଜତ ଭିତରେ ନିର୍ମମ ମାଡ଼ ମାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ରବିବାର ଦିନ ରାଏବରେଲିଠାରେ ପିଡିତା ଯାଉଥିବା କାର ଉପରକୁ ଟ୍ରକ ଚଢ଼ାଇ ମାରିଦେବାର ଲୋମହର୍ଷଣକାରୀ ଘଟଣାର ଉଚିତ୍ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.