Home ଜିଲ୍ଲା ପରିକ୍ରମା ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ

ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ

235

ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଓଡିଆ ଭାଷା ବିକାଶ ମଂଚଞ୍ଚ ଓ ଓଏସ୍ ଏପି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପଣ୍ଡିତଙ୍କଜୀବନୀ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଓଡିଶାରେ ସମାଜସେବା, ରାଜନୀତି, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଆଜୀବନ ନିଷ୍ଠାର ସହ କାର୍ଯ୍ୟକରି ସେ ଜନତାଙ୍କ ନାୟକ ସାଜିଥିଲେ। ତାଙ୍କ ନେତୃତ୍ୱ, କର୍ମନିଷ୍ଠା, ସମାଜସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ। ତାଙ୍କ ଲିଖିତ କୋଣାର୍କ ତାଙ୍କୁ ଚିରକାଳ ଅମର କରି ରଖିଛି ଓ ରଖିଥିବା। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ନୀଳକଣ୍ଠଙ୍କ ଜୀବନୀ ଉପରେ ଆଲୋକପାତ କରି କହିଲେ ଯେ, ଜାତୀୟତାର ସ୍ୱାଭିମାନ ଓ ସ୍ୱାଧୀନତାର ପ୍ରାଣ ପ୍ରତିଷ୍ଠା ପାଇଁ ପଣ୍ଡିତ ଆଜୀବନ ସଂଘର୍ଷ କରି ଆସିତôଲେ। ତାଙ୍କ କଥାରେ, ଲେଖାରେ ଏବଂ ବକ୍ତୃତାରେ ଏକ ବହୁମୁଖୀ ପ୍ରତିଭା ପ୍ରତିଫଳିତ ହୋଇଥିଲା। ସେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟ ଗବେଷକ ଓ ସମୀକ୍ଷକ। ଓଡିଆ ସମାଲୋଚନା ସାହିତ୍ୟ ମଧ୍ୟରେ ଲାବଣ୍ୟବତୀ କାବ୍ୟ, ଫକୀର ମୋହନ ଓ ଓଡିଆ ଉପନ୍ୟାସ ଇତ୍ୟାଦି ତାଙ୍କ ସାରସ୍ୱତ ପ୍ରତିଭାର ମୂଲ୍ୟାୟନ କରେ। ସବୁଠାରୁ ବଡକଥା ହେଲା ଶିଶୁ, ପଲ୍ଲୀ ଚେତନା, ଜନତା ଓ ବୁଦ୍ଧିଜୀବୀ ଏହିପରି ସବୁ ବର୍ଗର ଲୋକଙ୍କ ପାଇଁ ନୀଳକଣ୍ଠ ସାହିତ୍ୟ ରଚନା କରି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିଛନ୍ତି। ପ୍ରାରମ୍ଭରେ ସଭାପତି ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ନାୟକ ନୀଳକଣ୍ଠଙ୍କ ସ୍ମୃତିଚାରଣ କରି କହିଲେ ଯେ, ପଣ୍ଡିତ ଅସୀମ ମନୋବଳ ଓ କଠୋର ଅଧ୍ୟବସାୟ ଯୋଗୁ ସେ ଶିଖରରେ ପହଞ୍ଚିପାରିଥିଲେ। ସେ ଥିଲେ ଜଣେ ସଂସ୍କାରକ। ତେଣୁ ବ୍ୟକ୍ତି ଠାରୁ ସେ ନୀତିକୁ ବେଶୀ ଗୁରୁତ୍ୱ ଦେଉଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମାକାନ୍ତ କରଣ ପଣ୍ଡିତ ନୀଳକଣ୍ଠଙ୍କୁ ଏକ ଅଂହକାରଶୂନ୍ୟ ବ୍ୟକ୍ତି ଭାବେ ଅଭିହିତ କରି ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଛାତ୍ରୀ ଅର୍ପିତା ବେହେରା, ଶାଳିନୀ ନାୟକ ଓ ପ୍ରଦ୍ୟୁମ୍ନ ଜେନା ପଣ୍ଡିତଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତରଦାତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସ୍ୱାଇଁ, ବିକାଶ ଚନ୍ଦ୍ର ମହାନ୍ତି, ପ୍ରତାପ କୁମାର ପ୍ରଧାନ, ଅବଳା ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ବିଜୟଲକ୍ଷ୍ମୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.