Home ଓଡ଼ିଶା ଅନଲାଇନ ଖେଳ କବଳରେ ଯୁବ ପୀଢି, ‘ଫ୍ରୀ ଫାୟାର’ ଖେଳ ନେଲା ୮ମ ଶ୍ରେଣୀ ଛାତ୍ରର...

ଅନଲାଇନ ଖେଳ କବଳରେ ଯୁବ ପୀଢି, ‘ଫ୍ରୀ ଫାୟାର’ ଖେଳ ନେଲା ୮ମ ଶ୍ରେଣୀ ଛାତ୍ରର ଜୀବନ

446

ଯୋଡା, ୦୨/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲକ୍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସରକାର ବନ୍ଦ କରିବା ପରେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି । ଅନଲାଇନ ଖେଳରେ ମା, ବାପାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ୮ମ ଶ୍ରେଣୀର ଛାତ୍ର ବେକରେ ମା ଙ୍କ ଶାଢୀ ବନ୍ଧି ଆତ୍ମହତ୍ୟା ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, କମାରଯୋଡା ବସ୍ତି ଅଞ୍ଚଳର ବିନୋଦ ଆପଟ୍ଟଙ୍କ ୧୪ବର୍ଷର ପୁଅ ଅମିତାଂଶୁ ଆପଟ୍ଟ ଶୁକ୍ରବାର ସକାଳେ ଘରର ବାଥରୁମ ଭେଣ୍ଟିଲେଟରରେ ମା ଙ୍କ ଶାଢୀକୁ ବେକରି ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଅମିତାଂଶୁ ଯୋଡାର କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର । ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା । ଗତ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଅନ୍‌ଲାଇନ ପାଠପଢା ଆରମ୍ଭ ହେବା ପରେ ତାଙ୍କର ବାପା ବିନୋଦ ୧୩ ହଜାର ଟଙ୍କା ଦେଇ ଏକ ନୂଆ ସ୍ମାଟ ମୋବାଇଲ ତାଙ୍କ ପାଠ ପଢିବା ପାଇଁ କିଣିଆଣିଦେଇଥିଲେ । ତେବେ ସେ ପାଠ ପଢିବା ସହିତ ଏହି ମୋବାଇଲ ଯୋଗେ ‘ଫ୍ରି ଫାୟାର’ ନାମକ ଏକ ଅନ୍‌ଲାଇନ ଖେଳ ଖେଳି ସେଥିରେ ବାପା ଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୧ ମାସ ତଳେ ୩୫ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ । ତେବେ ବାପା ବିନୋଦ ବ୍ୟାଙ୍କରେ ଏକଥା ପଚାରିବାରୁ ଏହା ଅନ୍‌ଲାଇନ ବ୍ୟବସ୍ଥାରେ ଏହି ଅର୍ଥ କଟିଥିବା ସେମାନେ ଜଣାଇଥିଲେ । ତେବେ ବାପା ବିନୋଦ ଏହି କଥାକୁ ବୁଝିନପାରି ନିରବ ରହିଥିଲେ । ପରେ ଅମିତାଂଶୁ ମା ଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୬୧ ହଜାର ଟଙ୍କାର ଏହି ଖେଳରେ ଖର୍ଚ୍ଚ କରିଦେଇଥିଲେ । ବିନୋଦ ଯେତେବେଳେ ସ୍ତ୍ରୀଙ୍କ ଏଟିଏମ୍ କାର୍ଡ ନେଇ ବ୍ୟାଙ୍କରୁ କିଛି ଟଙ୍କା ଉଠାଇବାକୁ ଗଲେ ସେତେବେଳେ ସେ ଜାଣିପାରିଲେ ତାଙ୍କ ସ୍ତ୍ରୀଙ୍କ ଆକାଣ୍ଟରେ ମଧ୍ୟ ଟଙ୍କା ନାହିଁ । ପରେ ସେ ବ୍ୟାଙ୍କରେ ପଚାରିବାରୁ ସେ ଫ୍ରି ଫାୟାର ଅନ୍‌ଲାଇନ ଖେଳରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ପୁଅ ଅମିତାଂଶୁକୁ ଗୁରୁବାର ଦିନ ପଚାରାଉଚରା କରିଥିଲେ । ତେବେ ଘଟଣାଟି ଜଣାପଡିଯିବା ପରେ ଶୁକ୍ରବାର ସକାଳୁ ଅମିତାଂଶୁ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଅମିତାଂଶୁଙ୍କ ପିତା ବିନୋଦ ଜଣେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ବେଳେ ମା ଅଙ୍ଗନୱାଡି କର୍ମଚାରୀଭାବେ କାର୍ଯ୍ୟ କରିଥାନ୍ତି । ସୂଚନା ଯୋଗ୍ୟ, ଏହି ଫ୍ରି ଫାୟାର ଅନାଲାଇନ ଖେଳରେ ବିଭିନ୍ନ ପ୍ରାନ୍ତରେ ଥିବା ସାଙ୍ଗମାନେ ଏକାଠି ଯୋଡି ହୋଇ ଏହି ଖେଳକୁ ଖେଳିଥାନ୍ତି । ପରସ୍ପରକୁ ଗୁଳି ଫୁଟାଇ ମାରିବାକୁ ଚେଷ୍ଟା କରିଥାନ୍ତି । ଶେଷରେ ଯିଏ ଜୀବିତ ରୁହେ ଏହି ଖେଳର ସେ ବିଜେତା ହୋଇଥାଏ । ପ୍ରଥମେ ଏହି ଖେଳରେ ଯୋଗଦେବା ପାଇଁ ମାତ୍ର ୧୦ ଟଙ୍କା ଅନ୍‌ଲାଇନ ମାଧ୍ୟମରେ ଅର୍ଥ କମ୍ପାନୀକୁ ପୈଠ କରିବାକୁ ପଡିଥାଏ । ପରବର୍ତ୍ତୀ ସମୟରେ ଗୁଳି କିଣିବା ପାଇଁ ସମ୍ପୃକ୍ତ ଆକାଣ୍ଟରୁ ଆପେ ଆପେ ପର୍ଯ୍ୟାୟକ୍ରମେ ଟଙ୍କା କଟିଯାଇଥାଏ । ଏହି ଖେଳଟି ସମଗ୍ର ବିଶ୍ୱରେ ୨୦୧୯ରେ ସର୍ବାଧିକ ଡାଉନଲୋଡ ହୋଇଥିବା ଅନ୍‌ଲାଇନ ଖେଳ ଭାବେ ଗୁଗୁଲ ପ୍ଲେ ଷ୍ଟୋରରୁ ବେଷ୍ଟ ପପୁଲାର ଭିଡିଓ ଗେମ୍ ଭାବେ ପୁରସ୍କୃତ ହୋଇଅଛି । ଏହି ଖେଳର ନିଶାରେ ଅନେକ ଯୁବପୀଢି ଆକ୍ରାନ୍ତ ହୋଇ ପଡୁଥିବା ବେଳେ ଏହାକୁ ତୁରନ୍ତ ବ୍ୟାନ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.