Home Top News ବିଜେପିରେ ଆତ୍ମଘାତୀ ସୋସିଆଲ୍ ମିଡିଆ ସେଲ୍: ନବୀନଙ୍କୁ ଟାର୍ଗେଟ୍; ଯୋଗୀ ବଦନାମ୍!

ବିଜେପିରେ ଆତ୍ମଘାତୀ ସୋସିଆଲ୍ ମିଡିଆ ସେଲ୍: ନବୀନଙ୍କୁ ଟାର୍ଗେଟ୍; ଯୋଗୀ ବଦନାମ୍!

83

ଭୁବନେଶ୍ୱର: ଏବେ ପ୍ରାୟ ସବୁ ରାଜନୈତିକ ଦଳ ସୋସିଆଲ୍ ମିଡିଆ ଉପରେ ଖୁବ୍ ଗୁରୁତ୍ୱ ଦେଉଛନ୍ତି। ସୋସିଆଲ୍ ମିଡିଆରେ ଦଳର ପ୍ରଚାର ପ୍ରସାର କରାଇବା ପାଇଁ ବିଭିନ୍ନ ଦଳ ସୋସିଆଲ୍ ମିଡିଆ ସଂଯୋଜକ ବା ଆଇଟି ସେଲ୍ ପ୍ରମୂଖ ନିଯୁକ୍ତ କରୁଛନ୍ତି। ଦଳର ବିଭିନ୍ନ ଉଇଙ୍ଗ୍ସ ପାଇଁ ମଧ୍ୟ ସୋସିଆଲ୍ ମିଡିଆ ସଂଯୋଜକ ନିଯୁକ୍ତ କରାଯାଉଛି।ଦେଖିବାକୁ ଗଲେ ବିଜେପି ବୋଧେ ଏଥିରେ ଆଗୁଆ ରହିଛି। ବିଜେପିର ସୋସିଆଲ୍ ମିଡିଆରେ କାମ କରୁଥିବା କାର୍ଯ୍ୟକର୍ତ୍ତା ନିଜକୁ ବିଜେପି ସାଇବର୍ ଆର୍ମି ବୋଲି କହି ଥାଆନ୍ତି। କିନ୍ତୁ ଏବେ ଏପରି ଏକ ନମୂନା ଦେଖିବାକୁ ମିଳିଛି, ଯେପରି ଓଡ଼ିଶା ବିଜେପିର ଏହି ସାଇବର୍ ଆର୍ମି ସତେ ଯେପରି ବିଜେପି ପାଇଁ ଆତ୍ମଘାତୀ ଆର୍ମି ପରି କାମ କରିଛି। ନବୀନଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପପୁଲାର୍ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ବଦନାମ୍ କରିଛନ୍ତି ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ସଂଯୋଜିକା! ପ୍ରତ୍ୟେକ କଥାରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସତେ ଯେପରି ଓଡ଼ିଶା ବିଜେପିର ଏକ ଅଭ୍ୟାସ ହୋଇଯାଇଛି। ଯାହାକୁ ତ’ ଏମିତିରେ ଓଡ଼ିଶାବାସୀ ଗ୍ରହଣ କରୁନଥିଲେ, ଏଥିରେ ପୁଣି ନକରାତ୍ମକ ଚିନ୍ତାଧାରାର ଘୃଣା ସୃଷ୍ଟିକାରୀ କିଛି ଦୁର୍ବଳ, ଅଯୋଗ୍ୟ ଏବଂ ଅପାରଗ ମାନଙ୍କ ଆଚରଣ ଦଳକୁ ଆହୁରୀ ନିମ୍ନଗାମୀ କରାଇଦେବା ପରି ଅନୁଭୂତ ହେଉଛି। ଯୋଗ୍ୟତା ନଥାଇ କେବଳ ଚାଟୁକାରରୀ କରି ପ୍ରିୟା ପ୍ରୀତି ତୋଷଣରେ ଦାୟିତ୍ୱ ପାଇଥିବା କେତେ ଜଣଙ୍କ ପାଇଁ ଦଳ ନିମ୍ନଗାମୀ ହେଉଛି। ନିଜ ଦଳର କାର୍ଯ୍ୟକର୍ତ୍ତା ନିଜ ଦଳକୁ କିପରି ଲୋକହସା କରାଉଛନ୍ତି ତା’ର ଏକ ନମୂନା ଦେଖିବାକୁ ମିଳିଛି। ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ଜଣେ ମହିଳା ସୋସିଆଲ୍ ମିଡିଆରେ କରିଥିବା ଏକ ପୋଷ୍ଟ, ଦଳ ପାଇଁ ଯେ କେତେ କ୍ଷତିକାରକ ତାହାକୁ ଦଳ ଚିନ୍ତା କରିବାର ଅଛି। ସଂପୃକ୍ତ ମହିଳା ଜଣଙ୍କ ଭାଇରାଲ୍ ହେଉଥିବା ଏକ ପାଇଖାନାର ଫଟୋ ପୋଷ୍ଟ୍ କରିଛନ୍ତି। ଯେଉଁଥିରେ ଗୋଟିଏ ଶୌଚାଳୟ ଭିତରେ ରହିଛି ଦୁଇଟି ଟଏଲେଟ୍ ସିଟ୍। ଆଶ୍ଚର୍ଯ୍ୟ ତ’ ଲାଗିବ, ହସ ବି’ ଲାଗିବ ନିଶ୍ଚୟ। ମହିଳା ଜଣଙ୍କ କ୍ୟାପ୍ସନରେ ଲେଖିଛନ୍ତି, “ଧନ୍ୟ ଏ ରାଜ୍ୟ ସରକାର, ଧନ୍ୟ ତାଙ୍କ ସରକାରୀ ବାବୁ। ଜଣେ ବସିଲେ କୁଆଡ଼େ ଡର ଲାଗିବ। ସେଥିପାଇଁ ଦୁଇଟି ପାଇଖାନା କରାଯାଇଛି ବୋଲି କହିଲେ ବିଡିଓ।”

ଏପରି କାର୍ଯ୍ୟକୁ ସମାଲୋଚନା କରିବା ଏବଂ ତାତ୍ସଲ୍ୟ କରି ଲେଖିବା ମଧ୍ୟ ଠିକ୍। ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ସଂପୃକ୍ତ ମହିଳା ଜଣଙ୍କ ବୋଧେ କେବଳ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଏଠି ନିଜ ଦଳକୁ ହିଁ ଲୋକହସା କରାଇ ଦେଇଛନ୍ତି। କାରଣ ପ୍ରକାଶିତ ଖବର ଅନୁଯାୟୀ, ଏପରି ବିଚିତ୍ର ପାଇଖାନାଟି ଓଡ଼ିଶାରେ ନୁହେଁ ବରଂ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ହୋଇଛି। ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ ସଲଟୋଭା ବ୍ଲକରେ ଦେଖିବାକୁ ମିଳିଛି ଏପରି ଅଦ୍ଭୁତ ଦୃଶ୍ୟ। ଗୋଟିଏ ଶୌଚାଳୟ ଭିତରେ ରହିଛି ଦୁଇଟି ଟଏଲେଟ୍ ସିଟ୍। ମାମଲା ସାମନାକୁ ଆସିବା ପରେ ବସ୍ତି ଜିଲ୍ଲା ବିଡିଓ ଦେଇଛନ୍ତି ଆଶ୍ଚର୍ଯ୍ୟକର ମନ୍ତବ୍ୟ। ବିଡିଓ କୁଆଡ଼େ କହିଛନ୍ତି, ଭିତରେ ପିଲାଙ୍କୁ ଏକା ବସିଲେ ଡର ଲାଗିବ। ତାଙ୍କର ଡରକୁ ଦୂର କରିବାକୁ ଶୌଚାଳୟରେ ଦୁଇଟି ଟଏଲେଟ୍ ସିଟ୍ ଲଗାଯାଇଛି। ଗୋଟିଏ ଟଏଲେଟ୍ ରୁମ୍ ଭିତରେ ଦୁଇଟି ଟଏଲେଟ୍ ସିଟ୍ ଲଗାଇବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ମାମଲାକୁ ନେଇ ସେଠାରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ବ୍ଲକ ଅଧିକାରୀ ଏହାକୁ ଦେଖିବା ପରେ ​‌ଘଟଣା ହାସ୍ୟାସ୍ପଦ ବୋଲି କହିଛନ୍ତି। ଏଭଳି ଅବହେଳାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ତେବେ, ଏଠି ଓଡ଼ିଶାରେ ବିଜେପି ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ସଂଯୋଜିକା କିଛି ନବୁଝି ନଶୁଝି ନିଜ ଦଳର ସରକାରଙ୍କୁ ହିଁ ବଦନାମ କରିଛନ୍ତି। ସଂପୃକ୍ତ ମହିଳା ଜଣଙ୍କ କେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ତ’ କେତେବେଳେ ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଖୋସାମତି କରିବାକୁ ଯାଇ ଏମିତି ପୋଷ୍ଟ୍ କରନ୍ତି, ଯାହା ସେମାନଙ୍କ ପାଇଁ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାଏ। ଯେଉଁ ନେତୃତ୍ୱଙ୍କର କୌଣସି କାର୍ଯ୍ୟକୁ ଲୋକେ ଏମିତିରେ ପସନ୍ଦ କରିଥାଆନ୍ତି, ଏହିପରି କେତେଜଣ ଅଛନ୍ତି, ସେହି କଥାକୁ ଅତିରଞ୍ଜିତ କରି ସୋସିଆଲ୍ ମିଡିଆରେ ଏମିତି ପ୍ରଚାର କରନ୍ତି ଯେ କଥା ପାଣିଚିଆ ହୋଇଯାଏ। ଏପରି ପୋଷ୍ଟ୍ କରି ସେମାନେ ନିଜ ସମେତ ବିଜେପି ଏବଂ ବିଜେପି ନେତୃତ୍ୱଙ୍କୁ ଲୋକହସାର ପାତ୍ର କରାଇଥାଆନ୍ତି। ଯୋଗ୍ୟତା ନଦେଖି ପ୍ରିୟାପ୍ରୀତି ତୋଷଣରେ ଖୋସାମତକାରୀଙ୍କୁ ଦାୟିତ୍ୱ ଦେବାରେ ପରିଣାମ କ୍ଷତିକାରକ ହୋଇଥାଏ।ସେଥିପାଇଁ ତ’ ତୋଷାମଦକାରୀ ଯେ କେତେ କ୍ଷତିକାରକ ତାହା ଶାସ୍ତ୍ରରେ ବର୍ଣ୍ଣିତ ରହିଛି। “ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ’ ଯାଏ, ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”
-@Dr

ଧନ୍ୟ ବିଜେପି ମହିଳା ମୋର୍ଚ୍ଚା: ବିଜେପିକୁ ବୁଡ଼େଇ ଦେବ ଏ’ ଅଯୋଗ୍ୟ ଟିମ୍ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.