Home Top News ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ନିଆରା ପରମ୍ପରା ..

ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ନିଆରା ପରମ୍ପରା ..

130

ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ଏକ ନିଆରା ପରମ୍ପରା। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ଭାବେ ପାଳିତ ହୋଇଥାଏ। ଏହିଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ସୁଦଶାର ଅର୍ଥ ଭଲ ସମୟ। ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ। ତେଣୁ, ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶଗୋଟି କଦଳୀ, ଦଶଗୋଟି ମଣ୍ଡା ସହିତ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଦୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ପୂଜା ହୋଇଥାଆନ୍ତି। ଓଡ଼ିଆ ଘରର ମହିଳାମାନେ ଏହିଦିନ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ। ଏହି ପର୍ବ ଓଡ଼ିଶାର ବିଶେଷତ୍ୱ ଏବଂ ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାଆନ୍ତି।ଭାରତର ଅନ୍ୟ ରାଜ୍ୟରେ ଏହା ଦେଖାଯାଏ ନାହିଁ।

ବ୍ରତ କାହାଣୀ: –
ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ। ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ। କିନ୍ତୁ, ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ। ବ୍ରତଦାନ ପରେ ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଥିଲେ। ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଥିଲା।

ସୁଦଶା ବ୍ରତ କଥା –
ଦମୟନ୍ତୀଙ୍କର ଶ୍ରୀ ସୁଦଶା ବ୍ରତ କଥା ..
ବନ୍ଦଇ ପରମାଲକ୍ଷ୍ମୀ ଜଗତ ତାରେଣୀ ।
ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ଜାଣି ।୧।
ତେଣୁ କରି ନାମ ହେଲା ଲକ୍ଷ୍ମୀନାରାୟଣୀ ।
ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ ।୨।
ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ ।
ନାରଦମହର୍ଷି ଇନ୍ଦ୍ରଭୁବନେ ବିଜୟେ ।୩।
ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ରପାଦ ପୂଜା କଲେ ।
ବସିବା ନିମନ୍ତେ ଦିବ୍ୟ ଆସନେକ ଦେଲେ ।୪।

ଇନ୍ଦ୍ର ଉବାଚ –
କେବଣ ବ୍ରତ କଲେ କେବଣ ଫଳ ପାଇ ।
ଘରଣୀ ପୁତ୍ର ଦୁହିତା କେମନ୍ତେ ମିଲଇ ।୧।
ଏହା ମୋତେ ସଂକ୍ଷେପିଣ କ‌ହିବା ଗୋସାଇଁ ।
ତବ ମୁଖୁଁ ଶୁଣିଲେ ପରତେ ଯିବି ମୁହିଁ ।୨।

ନାରଦ ଉବାଚ –
ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା ।
ଯହିଁରେ ସନ୍ତୋଷ ହୋନ୍ତି ମହାଲକ୍ଷ୍ମୀ ଉମା ।୧।
ମର୍ତ୍ତମଣ୍ଡଳରେ ସାର ଅବନ୍ତୀ ନ‌ଗର ।
ତ‌ହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ।୨।
ତାହାରି ଭାରିଯା ନାମ ଅଟେ ଲକ୍ଷ୍ମୀବତୀ ।
ସେ ବ୍ରାହ୍ମଣୀ ଲକ୍ଷ୍ମୀବ୍ରତ ସର୍ବଦା କରନ୍ତି ।୩।
ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା’ଉପରେ ।
ଅଚଳା ସମ୍ପତ୍ତି ଭୋଗକରେ ମର୍ତ୍ତ୍ୟପୁରେ ।୪।
ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ ।
ଲକ୍ଷ୍ମୀଙ୍କର ବ୍ରତ ତୋତେ କ‌ହିବା ବୁଝାଇ ।୫।
ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।
ଶ୍ରୀସୁଦଶା ବ୍ରତଗୋଟି ପଡ଼େ ସେ ଦିନର ।୬।
ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା ।
ଏକବଣ୍ଣି ଗାଈର ଯେ ଗୋବର ଆଣିଲା ।୭।
ସୁସଞ୍ଚ କରି ଘର ଦୁଆର ଲିପିଲା ।
ନ‌ଦୀରେ ସ୍ନାନ କରିଣ ଘରକୁ ଅଇଲା ।୮।
ତଣ୍ଡୁଳ ବାଟିଣ ଝୋଟି ଆଭରଣ ଦେଲା ।
ଶ୍ରୀ ପରମାଲକ୍ଷ୍ମୀଙ୍କୁ ସେ ସୁମରଣ କଲା ।୯।
ଦଶବର୍ଣ୍ଣ ମୁରୁଜରେ ପିତୁଳା ଲେଖିଲା ।
ଦଶ ଯେ ପାଖୁଡ଼ କରି ପଦ୍ମକେ ରଖିଲା ।୧୦।
ତ‌ହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥପିଲା ।
ଘଟର ଉପରେ ଚ୍ୟୂତ ଡାଳକେ ଥୋଇଲା ।୧୧।
ନାରୀକେଳ ଏକଗୋଟି ଘଟ ପରେ ଦେଲେ ।
ଦଶମୁଖୀ ଦୀପାବଳି ଜାଗର ଜାଳିଲେ ।୧୨।
ଦଶଖିଅ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ ।
ଚଉଁରୀ ନାମେଣ ବେତ ପାଖରେ ଥୋଇଲେ ।୧୩।
ଦଶ ମୁଷ୍ଟିତଣ୍ଡୁଳ ଯେ ଘଟ ପାଖେ ଦେଲେ ।
ଦବରି ଫଳ ଗୋଟିଏ ଆଣିଣ ଯେ ଦେଲେ ।୧୪।
ଉପରେ ତନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ ।
ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣକୁମ୍ଭେ ଦେଲେ ।୧୫।
ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ ।
ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ।୧୬।
ଛେନା କଦଳୀ ଯେ ସର ଘୃତ ଦେଲେ ।
ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ ।୧୭।
କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ ।
ନଇବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ ।୧୮।
ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସୁମରଣା କଲେ ।
ଲକ୍ଷ୍ମୀଙ୍କର ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।୧୯।
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ ।
ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୨୦।
ତୃତୀୟ ଗଣ୍ଠିର ନାମ ଶ୍ରୀହରିହର ପ୍ରିୟା ।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୨୧।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।
ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୨୨।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୨୩।
ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।
ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୨୪।
ଦଶନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ ।
ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ।୨୫।
ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ ।
ନ‌ଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ ।୨୬।
ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ ।
ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ।୨୭।
ମାଂସ ମେଞ୍ଚା ପ୍ରାୟ ପାଟବ୍ରତ ଦିଶୁଥିଲା ।
ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା ।୨୮।
ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଆଇଲା ।
ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ।୨୯।
ଚାରି ଦିଗକୁ ବ୍ରହ୍ମଣୀ ନିରେଖି ଚାହିଁଲା ।
ସେ ବ୍ରତକୁ ଚିଲ ଘେନି ଯାଉଛି ଦେଖିଲା ।୩୦।
ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା ।
ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା ।୩୧।
ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା ।
ଚିଲପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା ।୩୨।
ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା ।
ମୃଗୟା ବିନୋଦେ ନଳ ବନସ୍ତକୁ ଗଲା ।୩୩।
ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ ।
ବନସ୍ତେ କେ କାନ୍ଦୁଅଛି ବୋଲିଣ ବୋଇଲେ ।୩୪।
ସଇନିକ ସଖା ଘେନି ରାଜା ବିଜେ କଲେ ।
ବ୍ରହ୍ମଣୀ ପାଖରେ ଯାଇଁ ପ୍ରେବେଶ ହୋଇଇଲେ ।୩୫।
ବ୍ରହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ ।
କି ନିମନ୍ତେ କାନ୍ଦୁଅଛି ବୋଲିଣ ବୋଇଲେ ।୩୬।
ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କ‌ହଇ ।
ମୋହର ଦୁଃଖକୁ ବାବୁ ପାରିବ କି ଫେରେଇ ।୩୭।
ନଳ ରାଜା ବୋଇଲେ ଯେ କି ଦୁଃଖ ତୋହର ।
ମୋର ଆଗେ କ‌ହିଲେ ତାହା କରିବଇଁ ଦୂର ।୩୮।
ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର ।
ସତ୍ୟ କର ତୁମ୍ଭେ ରାଜା କ‌ହିବି ଛାମୁର ।୩୯।
ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ ।
ଯାହା ତୁମ୍ଭେ ମାଗ ତାହା ଦେବଇଁ ବୋଇଲେ ।୪୦।
ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା ।
ମୋହର ସୁଦଶା ବ୍ରତ ଚିଲ ଘେନି ଗଲା ।୪୧।
ତୁମ୍ଭର ମହାଦେଈ ବ୍ରତ କରୁଛନ୍ତି ।
ସେହି ବ୍ରତ ଗୋଟି ତୁମ୍ଭେ ଦେବ ହେ ନୃପତି ।୪୨।
ଏହାଶଣି ମହାରାଜା ସନମତ କଲେ ।
ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟେ ଚଳିଗଲେ ।୪୩।
ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି।
ଅନ୍ତଃପୁରକୁ ଗମନ କରିଲେ ତଡ଼ତି ।୪୪।
ରାଣୀକୁ ଯାଇଣ ନଳ ରାଜା ଯେ କ‌ହିଲେ ।
ଆମ୍ଭଙ୍କୁ ଏକ ମାଗୁଣି ଦେବଇଁ ବୋଇଲେ ।୪୫।
ଏହା ଶୁଣି ମହାରାଣୀ ସ୍ତବ୍‌ଧା ହୋଇଗଲେ ।
ଆମ୍ଭଙ୍କୁ କିସ ମିଳିବ ଦେବଇ ବୋଇଲେ ।୪୬।
ନଳରାଜା ବୋଈଲେ ଗୋ ସତ୍ୟ ଏବେ କର ।
ତେବେ ମୁଁ କ‌ହିବି ସିନା ମାଗୁଣି ମୋହର ।୪୭।
ଏହାଶୁଣି ମହାଦେଈ ସତ୍ୟବାକ୍ୟ କଲେ ।
ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ ।୪୮।
ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର ।
ଶ୍ରୀ ସୁଦଶାବ୍ରତ ଗୋଟି ଦିଅ ଗୋ ତୁମ୍ଭର ।୪୯।
ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ ।
ଶ୍ରୀସୁଦଶା ବ୍ରତ ଦେବା ନୁହଁଇ ବୋଇଲେ ।୫୦।
ଏହି ବ୍ରତଗୋଟି ଅନ୍ୟକୁ ଯେ ନ ଦିଅନ୍ତି ।
ବ୍ରତ ଦେଲେ କାନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ିଯାନ୍ତି ।୫୧।
ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ଯେହୁ ହୋଇ ।
ଲକ୍ଷ୍ମୀଙ୍କର ବ୍ରତ ଏହି ଦେଇ ନ ପାରଇ ।୫୨।
ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ ।
ହସ୍ତରୁ ଖସାଇ ବ୍ରତ ରାଜା କଲେ ଦେଲେ ।୫୩।
ବ୍ରତ ପାଇ ମହାରାଜା ବେଗେ ଚଳିଗଲେ ।
ବ୍ରହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ ।୫୪।
ବ୍ରତ ପାଇ ବ୍ରହ୍ମଣୀ ଯେ ଆନନ୍ଦ ହୋଇଲା ।
ରାଜାଙ୍କୁ ଆଶିଷ କରି ନିଜପୁରେ ଗଲା ।୫୫।
ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା ।
ଦଶଗୋଟି ମଣ୍ଡା କରି ପାଣି ଛଡ଼ାଇଲା ।୫୬।
ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା ।
ପଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା ।୫୭।
ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛାକଲେ ।
ନଳରାଜାଙ୍କର କିସ ହୋଇଲା ବୋଇଲେ ।୫୮।
ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ।
ନଳରାଜାଙ୍କ ବିପତ୍ତି ତୋତେ ଦେବା କ‌ହି ।୫୯।
ଚରିଯିବା ଗୋରୁ ଆଉ ଘରକୁ ନଇଲେ ।
ପୋତିଲାର ଧନ ସବୁ ବାସୁକୀ ହରିଲେ ।୬୦।
ଧାନ‌ଚାଉଳ ତ ସବୁ ବସି ଯେ ଖାଇଲେ ।
ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ ।୬୧।
ରାଜା ରାଣୀ ଅନ୍ନ‌ବସ୍ତ୍ର କିଛି ନ ପାଇଲେ ।
ରାଜାଙ୍କୁ ରାତ୍ରରେ କାଳପୁରୁଷ ଡାକିଲେ ।୬୨।
ରାଜ୍ୟ ଛାଡ଼କରି ରାଜା ପଳାଇଣ ଯାଆ ।
ରାଜ୍ୟେ ଥିଲେ ନିଶ୍ଚୟ ମରିବୁ ନୃପନାହା ।୬୩।
ଏହାଶୁଣି ନଳରାଜା ତେଜିଣ ଉଠିଲେ ।
ମହଦେଈ ପାଶେ ଯାଇ ସକଳ କ‌ହିଲେ ।୬୪।
ଚାଲ ତୁମ୍ଭେ ପିତାଘର ଯିବା ହେ ବୋଇଲେ ।
ଏହି ଶୁଣି ମହାଦେଈ ସନମତ କେଲ ।୬୫।
ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ ।
ଗୃହକୁ ଛାଡ଼ିଣ ବିଜେ ରାଜାରାଣୀ ଗଲେ ।୬୬।
ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ ।
ଏଠାରେ ସ୍ନାହାନ ରାଣୀ କରିବା ବୋଇଲେ ।୬୭।
ଏଠାରେ ସ୍ନାହାନ କରି ଯେ କିସ କରିବା ।
ପାଶରେ ତ କିଛି ନାହିଁ କଅଣ ଖାଇବା ।୬୮।
ଏହା କ‌ହି ରାଜା ରାଣୀ ଜଳରେ ପଶିଲେ ।
ଚାରୋଟି ଗଡ଼ିଶା ମାଛ ଧରିଣ ଆଣିଲେ ।୬୯।
ଏହି ମାଛ ପୋଡ଼ି ରାଣୀ ରଖି ଥାଅ ନେଇ ।
ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ ।୭୦।
ଏହା କ‌ହି ମହାରାଜା ବିଜେ କରିଗଲେ ।
ବିଷ୍ଣୁକର ପଣ୍ଡା ଘରେ ପ୍ରବେଶ ହୋଇଲେ ।୭୧।
ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ ।
ଏହାଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣୀ ଦେଲେ ।୭୨।
ହରଷ ହୋଇ ରାଜା ଲେଉଟି ଅଇଲେ ।
ଗୃହେ ପତ୍ନୀ କରେ ଅନ୍ନ ଦାନ‌କୁ ଥୋଇଲେ ।୭୩।
ଝାମ୍ପ ଦେଇ କାକପକ୍ଷୀ ଦାନ ଘେନିଗଲା ।
ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା ।୭୪।
ବିରସ ହୋଇଣ ରାଜା ସେଠାରୁ ଆସିଲେ ।
ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ ।୭୫।
ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ ।
ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ ।୭୬।
ଆଚମ୍ବିତ ହୋଇ ରାଣୀ କଲେକ କ୍ରନ୍ଦନ ।
ପାଶେ ଆସି ମହାରାଜା ମିଳିଲେ ବ‌ହ‌ନ ।୭୭।
ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ ।
ପୋଡ଼ାମାଛ ଜୀବପାଇ ଡେଇଁଲେ ଜଳକୁ ।୭୮।
ଏହା ଦେଖି ମହାରାଜା ବିସ୍ମୟ ହୋଇଲେ ।
ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ ।୭୯।
ଏତେକ‌ହି ରାଜାରାଣୀ ବିଜେ କରିଗେଲ ।
ବନସ୍ତ ଭିତରେ ଏକ ନ‌ଦୀ ଯେ ଦେଖିଲେ ।୮୦।
ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ ।
ନ‌ଦୀ ପାରହୋଇ ରାଜା ରାଣୀ ଯାଉଥିଲେ ।୮୧।
ଏମନ୍ତ ସମୟେ ଏକ କୁମ୍ଭୀର ମିଳିଲା ।
ସଭଚନ୍ଦ୍ର କୁମରକୁ ତଡ଼ତି ଗିଳିଲା ।୮୨।
ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ ।
କାନ୍ଦି କାନ୍ଦିଣ ଯାଇ ଯେ ବନସ୍ତେ ପଶିଲେ ।୮୩।
ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ ।
ରାଜାରାଣୀ ସେ ମନ୍ଦିର ଭିତରେ ରହିଲେ ।୮୪।
ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ ।
ସେହିଠାରେ ରାଜାରାଣୀ ଶ୍ରମେ ନିଦ୍ରା ଗଲେ ।୮୫।
ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା ।
ରାଣୀ ଅଳଙ୍କାରମାନ ସବୁ ଗିଳିଦେଲା ।୮୬।
ରାଣୀଙ୍କ ନୟନେ କାଳନିଦ୍ରା ଯେ ଘରିଲା ।
ରଣୀଙ୍କୁ ଛାଡ଼ିଣ ରାଜା ତ‌ହୁଁ ପଳାଇଲା ।୮୭।
ସେଠାବରୁ ନଳ ରାଜା ଭ୍ରମି ଭ୍ରମି ଗଲେ ।
ଭୀମ ରାଜା ରାଜ୍ୟେ ଯାଇଁ ପ୍ରବେଶ ହୋଇଲେ ।୮୮।
ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ ।
ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ ।୮୯।
କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ ।
କେଉଁ କେଉଁ ବିଦ୍ୟାମାନ କରିଛ ସାଧନ ।୯୦।
ନଳ ରାଜାଙ୍କର ସୂପକାର ଥିଲି ମୁହିଁ ।
ଗଉରୀ ସଉରୀ ବିଧି ରାନ୍ଧଣା ଜାଣଇ ।୯୧।
ଏହା ଶୁଣି ଭୀମରାଜା ହରଷ ହୋଇଲେ ।
ଆମ୍ଭ ସୂପକାର ହୋଇ ଥାଅ ହୋ ବୋଇଲେ ।୯୨।
ଆଜ୍ଞା ପାଇ ନଳରାଜା ସନମତ କଲେ ।
ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ ।୯୩।
ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ ।
ରାଜାଙ୍କୁ ନ‌ଦେଖି ରାଣୀ ଡାକ ଚାରି ଦେଲେ ।୯୪।
ରାଜାଙ୍କୁ ନ ପାଇ ରାଣୀ କାନ୍ଦି କନ୍ଦି ଗଲେ ।
ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲେ ।୯୫।
ବାଟେ ବାଟ ସେ ପଚାରି ପଚାରିଣ ଗଲା ।
ଭୀମରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲା ।୯୬।
ଭୀମସେନ ଅନ୍ତଃପୁରେ ଯାଇଣ ମିଳିଲା ।
ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା ।୯୭।
ଦମୟନ୍ତୀ କ‌ହ‌ନ୍ତି ଯେ ମହାଦେଈ ପାଶ ।
ଭାତ ଲୁଗା ଦେଇରଖ ତୁମ୍ଭର ଉଆସ ।୯୮।
ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ ।
କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ ।୯୯।
ଏହାଶୁଣି ମହାଦେଈ ହରଷ ହୋଇଲେ ।
ଆମ୍ଭ ଅନ୍ତଃପୁରେ ଦାସୀ ହୋଇଥାଅ ଭଲେ ।୧୦୦।
ଏହାଶୁଣି ଦମୟନ୍ତୀ ସନମତ କଲେ ।
ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ ।୧୦୧।
ଏଥୁ ଅନନ୍ତରେ ଶୁଣଇନ୍ଦ୍ର ମନ‌ଦେଇ ।
ନଳରାଜାଙ୍କର ଶୁଭବାର୍ତ୍ତା ଦେବା କ‌ହି ।୧୦୨।
ଭାଦ୍ରମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।
ଶ୍ରୀ ସୁଦଶାବ୍ରତ ଗୋଟିପଡ଼େ ସେ ଦିନର ।୧୦୩।
ପାଟ ଜ୍ୟୋତିଷ ଯାଇଣ ରାଣୀଙ୍କୁ କ‌ହିଲା ।
କାଲିଠୁଁ ସୁଦଶା ବ୍ରତ ପଡ଼ୁଛି ବୋଇଲା ।୧୦୪।
ଜ୍ୟୋତିଷଙ୍କୁ ଧନରତ୍ନ‌ଦେଇ ବିଦାକଲା ।
ଦାସୀମାନଙ୍କୁ ଡାକିଣ ବୁଝାଇ କ‌ହିଲା ।୧୦୫।
ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ ।
ଏକବର୍ଣ୍ଣି ଗାଈର ଯେ ଗୋବର ଆଣିଲେ ।୧୦୬।
ସୁସଞ୍ଚ କରିଣ ଘର ଦୁଆର ଲିପିଲେ ।
ନ‌ଦୀରେ ସ୍ନାନ କରିଣ ଘରକୁ ଆସିଲେ ।୧୦୭।
ତଣ୍ଡୁଳ ବାଟିଣ ଝୁଣ୍ଟିଆଳ ପଣା ଦେଲେ ।
ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କ‌ହିଲେ ।୧୦୮।
ମହାରାଣୀ ମୋହପ୍ରତି ଯେବେ ଦୟା ହେବ ।
ଓଷାର ଉପକରଣ ଯେବେ ମୋତେ ଦେବେ ।୧୦୯।
ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କ‌ହିଲେ ।
ଏହାଶୁଣି ମହାଦେଈ ସନ୍ତୋଷ ହୋଇଲେ ।୧୧୦।
ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ ।
ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ ।୧୧୧।
ଅତି ଯତନରେ ନେଇ ଘଟକେ ସ୍ଥାପିଲେ ।
ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ ।୧୧୨।
ଚ୍ୟୁତ ଡାଳ ଦେଇ ଦୀପମାନ ଲଗାଇଲେ ।
ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ ।୧୧୩।
ପୁର ମଣ୍ଡା ଦଶଗୋଟି ଆଗରେ ଥୋଇଲେ ।
ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ ।୧୧୪।
ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ ।
ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ ।୧୧୫।
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ ।
ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୧୧୬।
ତୃତୀୟ ଗଣ୍ଠିର ନାମ ଯେ ଶ୍ରୀ ହରିପ୍ରିୟା ।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୧୧୭।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।
ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୧୧୮।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୧୧୯।
ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।
ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୧୨୦।
ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।
ପରମାଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ ।୧୨୧।
ହେ ପରମାଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ ।
ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ ।୧୨୨।
ଏମନ୍ତ ଭାବନା କରି ମନେ ସୁମରିଲେ ।
ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କ‌ହିଲେ ।୧୨୩।
ଯାଆ ତୋର ପୁଅ ସ୍ୱାମୀ ପ୍ରପାତ ହୋଇବେ ।
ତାର ହସ୍ତେ ଶତ୍ରୁମାନେ ନିପାତ ହୋଇଲେ ।୧୨୪।
ନଳରାଜାଙ୍କୁ ସେ ଲକ୍ଷ୍ମୀ ସ‌ହୟ ହୋଇଲେ ।
ଏଣେ ନଳରାଜାଙ୍କର ମନ୍ତ୍ରୀ ବିଚାରିଲେ ।୧୨୫।
ଆମ୍ଭର ଯେ ମହାରାଜା କେଣେ ଚଳିଗଲେ ।
ରାଜ୍ୟରେ କାହାକୁ ରାଜା କରିବା ବୋଇଲେ ।୧୨୬।
ଏହାଶୁଣି କେହି ବୋଲେ ହେବି ମୁଁ ରାଜନ ।
ଆଉ କେହି ବୋଲେ ମୁହିଁ ହେବି ନୃପରାଣ ।୧୨୭।
ଏହିପରି ପରସ୍ପର କରିଲେକ ଗୋଳ ।
ତ‌ହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର ।୧୨୮।
ମନ୍ତ୍ରୀ କ‌ହେ ଆମ୍ଭ ରାଜା କେଉଁଠି ଅଛନ୍ତି ।
ଆଉ ଜଣେ କେଉଁପରି ହୋଇବ ନୃପତି ।୧୨୯।
ମନ୍ତ୍ରୀ ବୋଲେ ଶୁଣ ସର୍ବେ ମୋହର ବିଚାର ।
ପାଟ‌ହସ୍ତୀକୁ ମଣ୍ଡିଣ ଛାଡ଼ିବା ସତ୍ୱଇ ।୧୩୦।
ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ ।
ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି ।୧୩୧।
ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ ।
ପାଟ‌ହସ୍ତୀ ମଣ୍ଡି ଛାଡ଼ିଦେଲେ ତ‌ତକ୍ଷଣ ।୧୩୨
ମନ୍ତ୍ରୀ ପୁରୋହିତ ସ‌ହ ସକଳ ଚଳିଲେ ।
ରାଜ୍ୟର ପରଜାବୃନ୍ଦ ସର୍ବେ ଗୋଡ଼ାଇଲେ ।୧୩୩।
ନିଜ ଇଚ୍ଛାମନେ ହସ୍ତୀ ଦୃତଗାମୀ ହୋଇ ।
ଭୀମ ରାଜା ରାଜ୍ୟେ ପ୍ରବେଶିଲା ହସ୍ତୀ ଯାଇ ।୧୩୪।
ପାଟ‌ହସ୍ତୀ ଯାଇ ନଳରାଜାଙ୍କୁ ଭେଟିଲା ।
ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା ।୧୩୫।
ରାଜାଙ୍କୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲେ ।
ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲେ ।୧୩୬।
ସେ ନ‌ଗ୍ରରେ ନରନାରୀମାନେ ଦେଖୁଥିଲେ ।
ରାଜାଙ୍କ ଆଗରେ ଯାଇ ସମସ୍ତେ କ‌ହିଲେ ।୧୩୭।
ଗୁପ୍ତେ ନଳରାଜା ସୂପକାର ପଣେ ଥିଲେ ।
ଏଥି ଥିବାଯାଏ ତାଙ୍କୁ କେହି ନ ଚିହ୍ନିଲେ ।୧୩୮।
ତାଙ୍କ ବାକ୍ୟେ ପାତ୍ରମନ୍ତ୍ରୀ ସମସ୍ତେ ଅଇଲେ ।
ନଳରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ ।୧୩୯।
ଏହାଶୁଣି ଭୀମ ରାଜା ହରଷ ହୋଇଲେ ।
ନଳରାଜାଙ୍କୁ ଗୌରବ କରି ଘେନିଗଲେ ।୧୪୦।
ଅନ୍ତଃପୁରେ ରାଣୀ ଦମୟନ୍ତୀଙ୍କୁ ଚିହ୍ନିଲେ ।
ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ ।୧୪୧।
କି ନିମନ୍ତେ ଆସି ଏଠି ଗୁପରେ ରହିଲା ।
କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା ।୧୪୨।
ଦମୟନ୍ତୀ ଏହ ଶୁଣି ବୁଝାଇ କ‌ହିଲେ ।
ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜ୍ୟୁ ତଡ଼ାଇଲେ ।୧୪୩।
ବନସ୍ତ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ ।
ମୋତେ ଛାଡ଼ିକରି ରାଜା ଗଲେକ ପଳାଇ ।୧୪୪।
ଏହାଶୁଣି ମହାଦେଈ ରାଜାଙ୍କୁ କ‌ହ‌ନ୍ତି ।
ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି ।୧୪୫।
ଭୀମରାଜା କ‌ହ‌ନ୍ତି ଯେ ନଳ ଆସିଛନ୍ତି ।
ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି ।୧୪୬।
ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ ।
ଦମୟନ୍ତୀଙ୍କୁ ଦଖିଣ ନଳ ଖୁସି ହୋଇଲେ ।୧୪୭।
ରାଜାରାଣୀଙ୍କର ପାଦତଳେ ପଡ଼ିଲେ ।
ମନବାଞ୍ଛା ପୂର୍ଣ୍ଣହେଉ ବୋଲିଣ ବୋଇଲେ ।୧୪୮।
କିଛିଦିନ ନଳ ପୁଣି ସେଠାରେ ରହିଲେ ।
ଏହା ଦେଖି ରାଜା ରାଣୀ ହରଷ ହୋଇଲେ ।୧୪୯।
ରାଜାଙ୍କ ଅଗ୍ରତେ ଯାଇଁ ନଳ ଜଣାଇଲେ ।
ନିଜ ରାଜ୍ୟକୁ ଚଳିବା ଆଜ୍ଞା ତୁମ୍ଭେ ଦେଲେ ।୧୫୦।
ବିଧିମତେ ସମ୍ମାନ ନଳରାଜାଙ୍କୁ କଲେ ।
ପାଟ ପୀତାମ୍ବରିମାନ ରାଜା ଯେ ପିନ୍ଧିଲେ ।୧୫୧।
ନାନା ଅଳଙ୍କାର ଦେଇ ଭୂଷଣ କରିଲେ ।
ବିନୟ ହୋଇଣ ରାଣୀ ମାତାଙ୍କୁ କ‌ହିଲେ ।୧୫୨।
ଦୟା ରଖିଥିବ ମାତା ପିତାଙ୍କୁ କ‌ହିଲେ ।
ଆଶିଷ କଲ୍ୟାଣ କରି ବିନୟ ହୋଇଲେ ।୧୫୩।
ରତ୍ନ ହୋନ୍ଦୋଳରେ ନେଇ ବିଜେ କରାଇଲେ ।
ବିନୟ ହୋଇଣ ରାଣୀ ଦାସୀଙ୍କୁ କ‌ହିଲେ ।୧୫୪।
ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ ।
ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ ।୧୫୫।
ଶୁଭବେଳେ ରାଜରାଣୀ ରାଜ୍ୟକୁ ଗମିଲେ ।
ପାତ୍ରମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗୋଡ଼ାଇଲେ ।୧୫୬।
ଶଙ୍ଗ ଶବଦରେ ରାଜ୍ୟ ସାରା କମ୍ପାଇଲେ ।
ଶୁଭ ଅନୁକୁଳ କରି ବାହାର ହୋଇଲେ ।୧୫୭।
କିଛି ଦୂର ଗଲାପରେ ମନ୍ଦିର ଭେଟିଲେ ।
ଜୟ ଶଙ୍ଖ ବୀର ଶବ୍ଦ ତୂରୀ ବଜାଇଲେ ।୧୫୮।
ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା ।
ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍‌ଗାରିଣ ଦେଲା ।୧୫୯।
ଅଳଙ୍କାର ପାଇ ରାଣୀ ହରଷ ହୋଇଲେ ।
ସୁରଦେବ ରାଣୀ ଶାପମୁକ୍ତ ହୋଇଗଲେ ।୧୬୦।
ସେଠାବରୁ ପାତ୍ରମନ୍ତ୍ରୀ ବିଦାକରି ଦେଲେ ।
ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ ।୧୬୧।
ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ ।
ରାଜା ରାଣୀ ବ‌ହୁତ ଆଶିଷ ଯେ ବାଞ୍ଛିଲେ ।୧୬୨।
ହସ୍ତୀ ପୃଷ୍ଠେ ବସି ରାଜାରାଣୀ ଚାଲିଗଲେ ।
ବନସ୍ତ କନ୍ଦରେ ନ‌ଦୀ ନିକଟେ ମିଳିଲେ ।୧୬୩।
ଶଙ୍ଖଧ୍ୱନି ଶବଦରେ ନ‌ଦୀ କମ୍ପିଗଲା ।
ଶବ୍ଦ ଶୁଣିଣ କୁମ୍ଭୀର ତଡତି ଆସିଲା ।୧୬୪।
ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ଯେ ଉଦ୍‌ଗାରିଲା ।
ଏହି ଜନମରୁ ମୁକ୍ତ କରନ୍ତୁ ବୋଇଲା ।୧୬୫।
ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ ।
ଶୁରଦେବ ରାଜ୍ୟ ଶାପୁ ମୁକ୍ତ ହୁଅ ଭଲେ ।୧୬୬।
ସଭାଚନ୍ଦ୍ରକୁ ନେଇଣ କୋଳେ ବସାଇଲେ ।
ସେଠାବରୁ ରାଜାରାଣୀ ମନ୍ଦିରେ ଚଳିଲେ ।୧୬୭।
ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ ।
ବେତାଳମାନଙ୍କୁ ଡାକି ତ‌ହୁଁ ଆଜ୍ଞାଦେଲେ ।୧୬୮।
ରାଜାରଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ ।
ପୂର୍ଣ୍ଣ କରି ଆସି ମୋତେ କ‌ହିବ ସନ୍ଦେଶ ।୧୬୯।
ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ ।
ନଳରାଜାଙ୍କ ଭଣ୍ଡାଇ ସମ୍ପୂର୍ଣ୍ଣ କରିଲେ ।୧୭୦।
ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ ।
ଭଣ୍ଡାଇ ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ ।୧୭୧।
ଏ ସମୟେ ନଳରାଜା ରାଜ୍ୟେ ପ‌ହ‌ଞ୍ଚିଲେ ।
ସିଂହଦ୍ୱାରେ ପ‌ହଞ୍ଚି ହରଷ ହୋଇଲେ ।୧୭୨।
ରାଜା ରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁଗଲେ ।
ସମାରୋହେ ପାଦତଳେ ସର୍ବେ ଲୋଟିଗଲେ ।୧୭୩।
ଉଠ ସର୍ବେ ରାଜାରାଣୀ ଏମନ୍ତ କ‌ହିଲେ ।
ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ ।୧୭୪।
ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ ।
ଶୁଭବେଳେ ରାଜାରାଣୀ ଅଭିଷେକ ହେଲେ ।୧୭୫।
ବାଦ୍ୟ ଶବଦରେ ରାଜ୍ୟେ ଆନନ୍ଦ ଲଭିଲେ ।
ନ‌ଗ୍ର ନ‌ଗ୍ର ବୁଲିରାଜା ବ‌ହୁ ଧନ ଦେଲେ ।୧୭୬।
ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ ।
ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ ।୧୭୭।
ଏହା ପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା ।
ବ୍ରତକରିବାକୁ ରାଣୀ ରାଜାଙ୍କୁ କ‌ହିଲା ।୧୭୮।
ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କ‌ହ‌ନ୍ତେ ।
ଇନ୍ଦ୍ର ସ‌ହିତରେ ଶଚୀ ଏ ବ୍ରତ କରନ୍ତେ ।୧୭୯।
ନାରଦ ଋଷିଙ୍କଠାରୁ କଥାକୁ ଶୁଣିଲେ ।
ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ ।୧୮୦।
ଦକ୍ଷିଣା ପାଇ ନାରଦ ବିଜେ କରିଗଲେ ।
ଏ ବିଧିରେ ନର ନାରୀ ଲକ୍ଷ୍ମୀବ୍ରତ କଲେ ।୧୮୧।
ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି ।
ତାଙ୍କରି କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି ।୧୮୨।
ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି ।
ସଦାଜୟେ ସମ୍ପୂର୍ଣ୍ଣ ହେ ସୁଦଶ ବ୍ରତଟି ।୧୮୩।
॥ ଇତି ଶ୍ରୀ ସୁଦଶାବ୍ରତ ସଦା ଜୟ ॥
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.