Home Top News ଅପରାଜିତା ନିଖୋଜ: ପୋଷ୍ଟର ପଛରେ କିଏ ଆଉ ଅସହିଷ୍ଣୁ କିଏ ?

ଅପରାଜିତା ନିଖୋଜ: ପୋଷ୍ଟର ପଛରେ କିଏ ଆଉ ଅସହିଷ୍ଣୁ କିଏ ?

87

ଭୁବନେଶ୍ୱର: ବିବାଦ ଉପୁଜିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ସାରିଥିବା ବେଳେ ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଏ’ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇ ନାହିଁ। ଏହା ଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ନେଇ ଦାବି ଜୋର୍ ଧରିଥିବା ବେଳେ ଓଡ଼ିଶାର ପ୍ରମୁଖ ଐତିହ୍ୟ ସ୍ଥଳର ଅସ୍ତିତ୍ୱକୁ ଧ୍ୱଂସ କରିବାକୁ କେନ୍ଦ୍ର ସରକାର ସୁଚିନ୍ତିତ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଉଛି। ସେହିପରି ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୀରବତାକୁ ନେଇ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ ଉଠାଇଥିବା ବେଳେ ଟ୍ୱିଟରରେ ‘ଅପରାଜିତା ନିଖୋଜ’ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ୍ ହେଉଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନ କାନ୍ଥବାଡ଼ି, କ୍ୟାବିନ ଆଦିରେ ‘ଅପରାଜିତା ନିଖୋଜ’ ନେଇ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହା ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି, ଫେବ୍ରୁଆରୀ ୧୫ରେ ଭୁବନେଶ୍ୱର ଫେରିବି।ଭୁବନେଶ୍ୱରରେ ପହଞ୍ଚିବା ପରେ ଜାତୀୟ ଐତିହ୍ୟ ପ୍ରାଧିକରଣ- ଏନ୍ଏମ୍ଏ ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବି। ୧୫ କିମ୍ବା ୧୬ ତାରିଖରେ ଏକାମ୍ର କ୍ଷେତ୍ର ଯିବି, ଘଟଣା ବୁଝିବି, ଅନୁସନ୍ଧାନ କରି ତା’ ପରେ ମନ୍ତବ୍ୟ ଦେବି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ତେବେ, ଅପରାଜିତା ନିଖୋଜ ନେଇ ଏପରି ପୋଷ୍ଟର ପଛରେ କିଏ ଏବଂ ଅପରାଜିତାଙ୍କ ଉପରେ କିଏ ଅସହିଷ୍ଣୁ ବୋଲି ଏବେ ପ୍ରଶ୍ନ ଉଠୁଛି। ପୋଷ୍ଟର ମରାକୁ ନେଇ ବିଧାୟକଙ୍କ ସମର୍ଥକ ଏବଂ ଅପରାଜିତାଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ପୋଲିସ୍ କେସ୍ ହେବା ଭିନ୍ନ କଥା। ଦୁଇ ବିରୋଧୀ ଦଳ ଏବଂ ସେମାନଙ୍କ ନେତୃତ୍ୱ ଏବଂ କର୍ମୀମାନଙ୍କ ମଧ୍ୟରେ ବିବାଦ ଉପୁଜିବା ତ’ ସାଧାରଣ କଥା। ଏଠି କିନ୍ତୁ ବିଜେପି ରାଜ୍ୟ ଶାଖାର ଭୂମିକା ସନ୍ଦେହ ଘେରରେ ରହୁଛି। ଅପରାଜିତାଙ୍କ ସମର୍ଥନରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସେପରି କେହି ବାହାରି ନଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅବଶ୍ୟ ପଦେ କହିଛନ୍ତି। କିନ୍ତୁ ଲେଖାଶ୍ରୀ ଯାହା ବି ଦୁଇ ପଦ କହିଛନ୍ତି ତାହା ଅନିଚ୍ଛା ସତ୍ତ୍ୱେ ବାଧ୍ୟବାଧକତାରେ କହିଥିବା ପରି ଜଣାପଡ଼ୁଛି। ଏଭଳି ଘଟଣାକୁ ନିନ୍ଦା କରି ଏହା ଅସହିଷ୍ଣୁ ଭାବର ପରିଚୟ ବୋଲି କହିବା ସହ ମୋଦିଙ୍କ ବିକାଶ କାର୍ଯ୍ୟରେ ଖୁସି ହୋଇ ଭୁବନେଶ୍ୱର ଲୋକ ଅପରାଜିତା ଷଡ଼ଙ୍ଗୀଙ୍କୁ ସଂସଦକୁ ନିର୍ବାଚିତ କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ। ବାସ୍ତବ କଥା କିନ୍ତୁ ସେୟା ନୁହେଁ। ଅପରାଜିତାଙ୍କ ବିଜୟ ପଛରେ ମୋଦି ଫ୍ୟାକ୍ଟର ସହିତ ଖୋଦ୍ ଅପରାଜିତାଙ୍କର ମଧ୍ୟ ଲୋକପ୍ରିୟତା, ପରିଶ୍ରମ ଆଦିର ବଡ଼ ଭୂମିକା ରହିଛି। ଓଡ଼ିଶା ପ୍ରତି ମୋଦି ସରକାରଙ୍କ କୌଣସି କ୍ଷେତ୍ରରେ କୌଣସି ପ୍ରକାର ଅନୁଦାନ ପାଇଁ ଏମାନେ ଟାଣି ଓଟାରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଉଥିବା ବେଳେ ଅପରାଜିତା ଜିତିବା ପଛରେ ତାଙ୍କ ନିଜ ପ୍ରୟାସକୁ ଶ୍ରେୟ ଦେବା ବେଳେ ଏମାନେ କୁଣ୍ଠା ପ୍ରକାଶ କରୁଛନ୍ତି। ସେହିପରି ଦେଖିଲେ ଲେଖାଶ୍ରୀ ଯେତେବେଳେ ଯାହା ବି ମନ୍ତବ୍ୟ ଦିଅନ୍ତି ତାର ଭିଡିଓ କ୍ଲିପ, ପେପର୍ କଟ୍ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରୁଥିବା ବେଳେ ପ୍ରଥମ ଥର ପାଇଁ ଅପରାଜିତାଙ୍କ ସପକ୍ଷରେ କହିଥିବା ଦୁଇ ପଦ ମନ୍ତବ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ନାହାଁନ୍ତି। ଅପରାଜିତାଙ୍କ ସମର୍ଥନରେ କିମ୍ୱା ବିପକ୍ଷକୁ ଆକ୍ଷେପ କରି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପଦେ ବି ଲେଖି ନାହାଁନ୍ତି। କେବଳ ଯେ ଲେଖାଶ୍ରୀ ନୁହେଁ ବିଜେପି ରାଜ୍ୟ ସଭାପତି, ବିରୋଧୀ ଦଳ ନେତା, ଅନ୍ୟ କୌଣସି ପ୍ରମୂଖ ନେତୃତ୍ୱ କିମ୍ୱା ଓଡ଼ିଶା ବିଜେପି ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ଅପରାଜିତାଙ୍କ ସମର୍ଥନରେ କିମ୍ୱା ବିପକ୍ଷକୁ ଆକ୍ଷେପ କରି ପଦଟିଏ ବି ଲେଖା ଦେଖିବାକୁ ମିଳୁନି। ବିରୋଧୀ ତ’ ବିରୋଧ କରିବା ସ୍ୱଭାବିକ। ତାହା ଅସହିଷ୍ଣୁତା ନୁହେଁ, ତାହା ତ’ ରାଜନୀତି। କିନ୍ତୁ, ନିଜ ଦଳ ପକ୍ଷରୁ ଭୂମିକାକୁ କ’ଣ କୁହାଯିବ?
/- ଦେବଦତ୍ତ ରଥ

ସ୍ପଷ୍ଟ କରନ୍ତୁ ଅପରାଜିତା; ସ୍ପଷ୍ଟ କରୁ ବିଜେପି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.