Home Top News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’ର ଓଡ଼ିଆ ଭାଷାନ୍ତର ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’ର ଓଡ଼ିଆ ଭାଷାନ୍ତର ..

95

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ପ୍ରାୟତଃ ‘ମନ୍ କି ବାତ’ରେ ଆପଣମାନଙ୍କର ଅନେକ ପ୍ରଶ୍ନ ରହିଥାଏ । ଏଥର ମୁଁ ଭାବିଲି କିଛି ଭିନ୍ନ କରିବା ପାଇଁ, ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବି । ତା’ହେଲେ ମନଦେଇ ଶୁଣନ୍ତୁ ମୋ ପ୍ରଶ୍ନ ଗୁଡ଼ିକୁ –

ଅଲିମ୍ପିକରେ ବ୍ୟକ୍ତିଗତ ସ୍ୱର୍ଣ୍ଣପଦକ ବିଜେତା ହୋଇଥିବା ପ୍ରଥମ ଭାରତୀୟ କିଏ ଥିଲେ ?
ଅଲିମ୍ପିକର କେଉଁ ଖେଳରେ ଭାରତ ଏ ଯାଏ ସବୁଠାରୁ ଅଧିକ ପଦକ ଲାଭ କରିଛି ?
ଅଲିମ୍ପିକରେ କେଉଁ ଖେଳାଳି ସବୁଠାରୁ ଅଧିକ ପଦକ ଲାଭ କରିଛନ୍ତି ?
ବନ୍ଧୁଗଣ, ଆପଣମାନେ ମୋତେ ଉତ୍ତର ପଠାନ୍ତୁ ନ ପଠାନ୍ତୁ, କିନ୍ତୁ ମାଇଁ ଗଭରେ ଅଲିମ୍ପିକ ଆଧାରିତ ଯେଉଁ କୁଇଜ ରହିଛି, ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ ଅନେକ ପୁରସ୍କାର ଜିତିପାରିବେ । ଏଭଳି ଅନେକ ପ୍ରଶ୍ନ ମାଇଁ ଗଭ୍ ‘ରୋଡ଼ ଟୁ ଟୋକିଓ କୁଇଜ’ରେ ରହିଛି । ଆପଣ ‘ରୋଡ଼ ଟୁ ଟୋକିଓ କୁଇଜ’ରେ ଅଂଶଗ୍ରହଣ କରନ୍ତୁ । ଭାରତ ଆଗରୁ କିଭଳି ପ୍ରଦର୍ଶନ କରିଛି ? ଟୋକିଓ ଅଲିମ୍ପିକ ପାଇଁ ଆମର କିଭଳି ପ୍ରସ୍ତୁତି ରହିଛି ? ଏସବୁ ନିଜେ ଜାଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଆପଣ ଏହି କୁଇଜ ପ୍ରତିଯୋଗିତାରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ ।

ବନ୍ଧୁଗଣ, ଯେତେବେଳେ ଟୋକିଓ ଅଲିମ୍ପିକ କଥା ପଡ଼ିଛି, ତାହେଲେ ମିଲଖା ସିଂହଙ୍କ ଭଳି କିମ୍ବଦନ୍ତୀ କ୍ରୀଡ଼ାବିତଙ୍କୁ କିଏ ବା ଭୁଲିପାରେ । ମାତ୍ର କିଛିଦିନ ପୂର୍ବରୁ କରୋନା ଆମଠୁ ତାଙ୍କୁ ଛଡ଼ାଇନେଲା । ସେ ଯେତେବେଳେ ଡାକ୍ତରଖାନାରେ ଥିଲେ, ସେତେବେଳେ ତାଙ୍କ ସହ କଥା ହେବାପାଇଁ ମୋତେ ସୁଯୋଗ ମିଳିଥିଲା ।

କଥା ହେବା ସମୟରେ ମୁଁ ତାଙ୍କୁ ଅନୁରୋଧ କରିଥିଲି । ମୁଁ କହିଥିଲି ଯେ, ୧୯୬୪ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକରେ ଆପଣ ଭାରତର ପ୍ରତିନିଧିତ୍ୱ କରିଥିଲେ । ତେଣୁ, ଏଥର ଯେତେବେଳେ ଆମ ଖେଳାଳିମାନେ ଅଲିମ୍ପିକ ପାଇଁ ଟୋକିଓ ଯିବେ, ସେତେବେଳେ ଆପଣଙ୍କୁ ସେମାନଙ୍କ ମନୋବଳ ସୁଦୃଢ଼ କରିବାକୁ ହେବ । ନିଜ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ପ୍ରେରଣା ଯୋଗାଇବାକୁ ହେବ । କ୍ରୀଡ଼ାକୁ ନେଇ ସେ ଏତେ ଭାବବିହ୍ୱଳ ହୋଇପଡ଼ିଥିଲେ ଯେ, ନିଜର ଅସୁସ୍ଥତା ସତ୍ୱେ ସେ ତୁରନ୍ତ ଏଥିପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ନିୟତିର ଗତି ଅନ୍ୟ କିଛି ଥିଲା । ମୋର ଆଜି ବି ମନେଅଛି, ୨୦୧୪ରେ ସେ ସୁରତ ଆସିଥିଲେ । ଆମେ ଗୋଟିଏ ନାଇଟ୍ ମାରାଥନର ଉଦ୍ଘାଟନ କରିଥିଲୁ । ସେତେବେଳେ ତାଙ୍କ ସହିତ ଯେଉଁ କଥାବାର୍ତ୍ତା ହୋଇଥିଲା, ସେଥିରୁ ମୋତେ ମଧ୍ୟ ପ୍ରେରଣା ମିଳିଥିଲା । ଆମେ ସମସ୍ତେ ଜାଣିଛୁ ଯେ, ମିଲଖା ସିଂହଙ୍କ ସାରା ପରିବାର କ୍ରୀଡ଼ା ପ୍ରତି ସମର୍ପିତ ହୋଇ ଭାରତର ଗୌରବ ବୃଦ୍ଧି କରୁଛନ୍ତି ।

ବନ୍ଧୁଗଣ, ଯେତେବେଳେ ପ୍ରତିଭା, ସମର୍ପିତ ଭାବନା, ଦୃଢ଼ ମନୋବଳ ଏବଂ ଖେଳୁଆଡ଼ ମନୋବୃତ୍ତି ଏକାଠି ମିଶିଯାଏ, ସେତେବେଳେ ଯାଇ ଜଣେ ଚମ୍ପିଆନ ସୃଷ୍ଟି ହୁଏ । ଆମ ଦେଶରେ ଅଧିକାଂଶ ଖେଳାଳି ଛୋଟ ଛୋଟ ସହରରୁ, ଗାଁରୁ ଆସିଥାନ୍ତି । ଟୋକିଓ ଯାଉଥିବା ଆମ ଅଲିମ୍ପିକ ଦଳରେ ମଧ୍ୟ ଏଭଳି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କ ଜୀବନ ଖୁବ ପ୍ରେରଣାଦାୟୀ । ଆମର ପ୍ରବୀଣ ଯାଦବଙ୍କ ବିଷୟରେ ଶୁଣିଲେ, ଆପଣ ଅନୁଭବ କରିବେ ଯେ କେତେ କଠିନ ସଂଘର୍ଷ ମଧ୍ୟ ଦେଇ ଗତିକରି ପ୍ରବୀଣ ଜୀ ଏଠାକୁ ପହଞ୍ଚିଛନ୍ତି । ପ୍ରବୀଣ ଯାଦବ ଜୀ, ମହାରାଷ୍ଟ୍ରର ସତାରା ଜିଲ୍ଲାର ଗୋଟିଏ ଗାଁର ବାସିନ୍ଦା । ସେ ଜଣେ ପ୍ରବୀଣ ତୀରନ୍ଦାଜ । ତାଙ୍କ ବାପା-ମାଆ ଶ୍ରମଜୀବି ଭାବେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଆଉ ଏବେ ତାଙ୍କ ପୁଅ ନିଜର ପ୍ରଥମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଟୋକିଓ ଯାଉଛନ୍ତି । ଏହା କେବଳ ତାଙ୍କ ପିତା-ମାତାଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ କେତେ ଗୌରବର ବିଷୟ! ସେହିଭଳି ଆମର ଆଉ ଜଣେ କ୍ରୀଡ଼ାବିତ ହେଉଛନ୍ତି ନେହା ଗୋୟଲ । ନେହା ଟୋକିଓ ଯାଉଥିବା ଆମ ମହିଳା ହକି ଦଳର ଜଣେ ସଦସ୍ୟ । ତାଙ୍କ ମା’ ଓ ଭଉଣୀମାନେ ସାଇକେଲ କାରଖାନାରେ କାମ କରି ପରିବାରର ଖର୍ଚ୍ଚ ତୁଲାଉଛନ୍ତି । ନେହାଙ୍କ ଭଳି ଦୀପିକା କୁମାରୀ ଜୀଙ୍କ ଜୀବନଯାତ୍ରା ମଧ୍ୟ ବହୁ ଉତ୍ଥାନ ପତନ ଦେଇ ଗତି କରିଛି । ଦୀପିକାଙ୍କ ବାପା ଅଟୋରିକ୍ସା ଚଳାନ୍ତି ଏବଂ ତାଙ୍କ ମାଆ ଜଣେ ନର୍ସ । ଆଉ ଏବେ ଦେଖନ୍ତୁ, ଦୀପିକା ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ମହିଳା ତୀରନ୍ଦାଜ । ଦିନେ ଏହି ଖେଳରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଥିବା ଦୀପିକାଙ୍କ ସହ ଆମ ସମସ୍ତଙ୍କ ଶୁଭେଚ୍ଛା ରହିଛି ।

ବନ୍ଧୁଗଣ, ଜୀବନରେ ଆମେ ଯେଉଁଠି ବି ପହଞ୍ଚିଥାଉ, ଯେତେ ଉପରକୁ ଉଠିଥାଉ ଭୂମି ସହ ଆମର ଏହି ସମ୍ପର୍କ ଆମକୁ ସର୍ବଦା ଆମର ମୂଳ ସହ ବାନ୍ଧି ରଖିଥାଏ । ସଂଘର୍ଷର ଦିନଗୁଡ଼ିକ ପରେ ମିଳିଥିବା ସଫଳତାର ଆନନ୍ଦ କିଛି ନିଆରା । ଟୋକିଓ ଯାଉଥିବା ଆମ ଖେଳାଳିମାନେ ପିଲାଦିନେ ସମ୍ବଳ ଅଭାବର ପ୍ରତ୍ୟେକଟି ଅସୁବିଧାକୁ ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ସେମାନେ ଏଥିରେ ଲାଗି ରହିଲେ, ମଜ୍ଜି ରହିଲେ । ଉତ୍ତରପ୍ରଦେଶର ମୁଜଫରନଗରର ପ୍ରିୟଙ୍କା ଗୋସ୍ୱାମୀଙ୍କ ଜୀବନ ମଧ୍ୟ ବହୁତ କିଛି ଶିଖାଇଥାଏ । ପ୍ରିୟଙ୍କାଙ୍କ ପିତା ଜଣେ ବସ୍ କଣ୍ଡକ୍ଟର । ପିଲାଦିନେ ପ୍ରିୟଙ୍କାଙ୍କୁ ସେହି ବ୍ୟାଗ ଖୁବ ପସନ୍ଦ ଥିଲା, ଯାହା ପଦକ ବିଜେତା ଖେଳାଳିମାନଙ୍କୁ ମିଳିଥାଏ । ଏହାରି ଆକର୍ଷଣରେ ସେ ପ୍ରଥମ ଥର ପାଇଁ ରେସ୍-ୱାକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ । ଆଜି ସେ ଏହି ଖେଳର ଜଣେ ବଡ଼ ଚମ୍ପିଆନ ।

ଜାଭେଲିନ୍ ଥ୍ରୋରେ ଅଂଶଗ୍ରହଣ କରୁଥିବା ଶିବପାଲ୍ ସିଂ ବନାରସର ବାସିନ୍ଦା । ଶିବପାଲଙ୍କର ତ ପୁରା ପରିବାର ଏହି ଖେଳ ସହିତ ସମ୍ପୃକ୍ତ । ତାଙ୍କ ପିତା, ଦାଦା ଏବଂ ଭାଇ – ସମସ୍ତେ ଜାଭେଲିନ୍ ଥ୍ରୋରେ ପାରଙ୍ଗମ । ପରିବାରର ଏହି ପରମ୍ପରା ହିଁ ଟୋକିଓ ଅଲମ୍ପିକରେ ତାଙ୍କ କାମରେ ଲାଗିବ । ଟୋକିଓ ଅଲମ୍ପିକକୁ ଯାଉଥିବା ଚିରାଗ ଶେଟ୍ଟି ଏବଂ ତାଙ୍କ ପାର୍ଟନର ସାତ୍ୱିକ ସାଇରାଜଙ୍କ ମନୋବଳ ମଧ୍ୟ ପ୍ରେରଣାଦାୟୀ । ନିକଟ ଅତୀତରେ ଚିରାଗଙ୍କ ଅଜାଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଥିଲା । ସାତ୍ୱିକ ନିଜେ ମଧ୍ୟ ଗତବର୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏହିସବୁ ଅସୁବିଧା ସତ୍ୱେ, ଏମାନେ ଦୁହେଁ ମେନ୍ସ ଡବଲ୍ ଶଟଲ୍ କମ୍ପିଟିସନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଆଉ ଜଣେ ଖେଳାଳିଙ୍କ ସହିତ ଆପଣଙ୍କୁ ପରିଚିତ କରାଇବାକୁ ଚାହୁଁଛି । ସେ ହେଲେ ହରିଆନା, ଭିୱାନୀର ମନୀଷ କୌଶିକ । ମନୀଷ ଜୀ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି । ପିଲାଦିନେ ବିଲରେ କାମ କରୁ କରୁ ମନୀଷ ବକ୍ସିଂକୁ ଭଲ ପାଇ ବସିଥିଲେ । ତାଙ୍କର ଏହି ସଉକ ଆଜି ତାଙ୍କୁ ଟୋକିଓ ନେଇଯାଉଛି । ଆଉ ଜଣେ ଖେଳାଳି ହେଲେ ସି.ଏ. ଭବାନୀ ଦେବୀ । ନାଁ ତାଙ୍କର ଭବାନୀ ଏବଂ ସେ ଅସି ଚାଳନାରେ ପାରଙ୍ଗମ । ଚେନ୍ନାଇରେ ରହୁଥିବା ଭବାନୀ ଭାରତର ପ୍ରଥମ ଫେନ୍ସର, ଯିଏ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗୋଟିଏ ଜାଗାରେ ମୁଁ ପଢ଼ିଥିଲି ଯେ, ଭବାନୀଙ୍କ ଟ୍ରେନିଂ ଅବ୍ୟାହତ ରଖିବା ପାଇଁ ତାଙ୍କ ମା’ ନିଜର ଗହଣାଗୁଡ଼ିକୁ ମଧ୍ୟ ବନ୍ଧକ ଭାବେ ରଖିଦେଇଥିଲେ ।

ବନ୍ଧୁଗଣ, ଏଭଳି ତ ଅଗଣିତ ନାଁ ରହିଛି କିନ୍ତୁ ‘ମନ୍ କି ବାତ୍’ରେ ମୁଁ ଆଜି ମାତ୍ର କେତୋଟି ନାଁ ସମ୍ପର୍କରେ ଚର୍ଚ୍ଚା କରିପାରିଛି । ଟୋକିଓ ଯାଉଥିବା ପ୍ରତ୍ୟେକ ଖେଳାଳିଙ୍କର ନିଜର ଗୋଟିଏ ସଂଘର୍ଷର କାହାଣୀ ରହିଛି, ବର୍ଷ ବର୍ଷର ପରିଶ୍ରମ ରହିଛି । ସେମାନେ କେବଳ ନିଜ ପାଇଁ ଯାଉନାହାନ୍ତି, ବରଂ ଦେଶ ପାଇଁ ଯାଉଛନ୍ତି । ଏହି ଖେଳାଳିମାନଙ୍କୁ ଭାରତର ଗୌରବ ମଧ୍ୟ ବୃଦ୍ଧି କରିବାକୁ ହେବ ଏବଂ ଜନସାଧାରଣଙ୍କ ହୃଦୟକୁ ମଧ୍ୟ ଜିଣିବାକୁ ହେବ । ତେଣୁ, ମୋର ଦେଶବାସୀଗଣ, ନିଜର ଜ୍ଞାତସାର କିମ୍ବା ଅଜ୍ଞାତରେ ମଧ୍ୟ ଆମର ଏହି ଖେଳାଳିମାନଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ମୁଁ ଆପଣମାନଙ୍କୁ ପରାମର୍ଶ ଦେବାକୁ ଚାହୁଁଛି । ବରଂ ଖୋଲା ହୃଦୟରେ ଆମେ ସେମାନଙ୍କୁ ସହଯୋଗ କରିବାକୁ ହେବ, ସେମାନଙ୍କ ଉତ୍ସାହ ବୃଦ୍ଧି କରିବାକୁ ହେବ ।

ସାମାଜିକ ଗଣମାଧ୍ୟମରେ ଆପଣମାନେ #Cheer4India ମାଧ୍ୟମରେ ଆମର ଏହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇପାରିବେ । ଆପଣ ଯଦି ଆଉ କିଛି ନୂଆ କରିବାକୁ ଚାହୁଁଛନ୍ତି, ତାହେଲେ ତାହା ମଧ୍ୟ ନିଶ୍ଚୟ କରନ୍ତୁ । ଯଦି ଆପଣଙ୍କ ମନକୁ କିଛି ନୂଆ କଥା ଆସୁଛି, ଯାହା ଆମ ଖେଳାଳିମାନଙ୍କ ପାଇଁ ସାରା ଦେଶ ମିଶି କରିବା କଥା, ତେବେ ତାହାକୁ ଆପଣ ମୋତେ ନିଶ୍ଚୟ ପଠେଇବେ । ଆମେ ସମସ୍ତେ ମିଶି ଟୋକିଓ ଯାଉଥିବା ଆମ ଖେଳାଳିମାନଙ୍କୁ ସପୋର୍ଟ କରିବା । Cheer4India!!! Cheer4India!!! Cheer4India!!!

ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୁଦ୍ଧରେ ଆମେ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି । କିନ୍ତୁ ଏହି ସଂଗ୍ରାମରେ ଆମେ ସମସ୍ତେ ମିଶି ଅନେକ ଅସାଧାରଣ ଲକ୍ଷ୍ୟ ମଧ୍ୟ ହାସଲ କରିଚାଲିଛୁ । କିଛିଦିନ ତଳେ ହିଁ ଆମ ଦେଶ ଗୋଟିଏ ଅଭୂତପୂର୍ବ କାର୍ଯ୍ୟ କରିଛି । ଜୁନ ୨୧ ତାରିଖ ଦିନ ଟିକାକରଣ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ସେହିଦିନ ଆମ ଦେଶ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇ ଗୋଟିଏ ରେକର୍ଡ଼ ସୃଷ୍ଟି କରିଛି, ମାତ୍ର ଗୋଟିଏ ଦିନରେ । ଏତେ ବଡ଼ ସଂଖ୍ୟାରେ ଭାରତ ସରକାରଙ୍କ ତରଫରୁ ମାଗଣା ଟିକା ଆଉ ତାହା ପୁଣି ମାତ୍ର ଗୋଟିଏ ଦିନରେ! ତେଣୁ ଏହାକୁ ନେଇ ଚର୍ଚ୍ଚା ହେବା ମଧ୍ୟ ଖୁବ ସ୍ୱାଭାବିକ କଥା ।

ବନ୍ଧୁଗଣ, ବର୍ଷେ ଆଗରୁ ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନ ଥିଲା ଯେ ଟିକା କେବେ ଆସିବ ? ଆଜି ଆମେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତରେ ତିଆରି ଟିକା ମାଗଣାରେ ଦେଉଛୁ । ଏହାହିଁ ତ ନୂତନ ଭାରତର ଶକ୍ତି ।

ବନ୍ଧୁଗଣ, ଟିକାର ସୁରକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉପଲବ୍ଧ ହେଉ, ସେଥିପାଇଁ ଆମକୁ ନିରନ୍ତର ଉଦ୍ୟମ କରିବାକୁ ହେବ । ଅନେକ ସ୍ଥାନରେ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ପାଇଁ ଅନେକ ସଂଗଠନ, ନାଗରିକ ସମାଜର ଲୋକେ ଆଗେଇ ଆସିଛନ୍ତି ଏବଂ ସେମାନେ ମିଶି ଖୁବ ଭଲ କାମ କରୁଛନ୍ତି । ଆସନ୍ତୁ, ଆମେ ମଧ୍ୟ ଆଜି ଗୋଟିଏ ଗାଁକୁ ଯିବା ଏବଂ ସେହି ଲୋକମାନଙ୍କ ସହ ଟିକା ବିଷୟରେ କଥା ହେବା । ମଧ୍ୟପ୍ରଦେଶର ବୈତୁଲ୍ ଜିଲ୍ଲାର ଦୁଲାରିଆ ଗାଁକୁ ଯିବା ।

ପ୍ରଧାନମନ୍ତ୍ରୀ : ହେଲୋ …

ରାଜେଶ : ନମସ୍କାର ।

ପ୍ରଧାନମନ୍ତ୍ରୀ : ନମସ୍କାର ।

ରାଜେଶ : ମୋ ନାଁ ରାଜେଶ ହିରାୱେ, ଗ୍ରାମପଞ୍ଚାୟତ-ଦୁଲାରିଆ, ଭୀମପୁର ବ୍ଲକ ।

ପ୍ରଧାନମନ୍ତ୍ରୀ : ରାଜେଶ ଜୀ, ମୁଁ ଏଥିପାଇଁ ଫୋନ କରିଛି ଯେ, ମୁଁ ଜାଣିବାକୁ ଚାହୁଁଛି ଆପଣଙ୍କ ଗାଁରେ କରୋନାର ବର୍ତ୍ତମାନ ସ୍ଥିତି କ’ଣ ରହିଛି ?

ରାଜେଶ : ସାର୍ ଏଠି କରୋନା ପରିସ୍ଥିତି ସେମିତି କିଛି ବିଶେଷ ନାହିଁ ।

ପ୍ରଧାନମନ୍ତ୍ରୀ : ଏବେ କ’ଣ ସେଠାରେ କେହି ଆକ୍ରାନ୍ତ ନାହାନ୍ତି?

ରାଜେଶ : ନା ଆଜ୍ଞା,

ପ୍ରଧାନମନ୍ତ୍ରୀ : ଗାଁର ଜନସଂଖ୍ୟା କେତେ ? କେତେଜଣ ଲୋକ ରହୁଛନ୍ତି ଗାଁରେ ?

ରାଜେଶ : ଗାଁରେ ୪୬୨ ଜଣ ପୁରୁଷ ଏବଂ ୩୩୨ ମହିଳା ରହିଛନ୍ତି । ସାର୍ ।

ପ୍ରଧାନମନ୍ତ୍ରୀ : ଆଚ୍ଛା !! ରାଜେଶ ଜୀ, ଆପଣ ଟିକା ନେଲେଣି କି?

ରାଜେଶ : ନା ସାର୍, ଏଯାଏ ନେଇନି ।

ପ୍ରଧାନମନ୍ତ୍ରୀ : ଆରେ, କାହିଁକି ନେଇନାହାନ୍ତି ?

ରାଜେଶ : ସାର, ଏଠି ହ୍ୱାଟ୍ସଆପ୍ରେ ଏଭଳି କିଛି ଭ୍ରମାତ୍ମକ ତଥ୍ୟ ଆସିଲା ଯାହାଫଳରେ ଲୋକେ ଭ୍ରମିତ ହୋଇଗଲେ ସାର୍ ।

ପ୍ରଧାନମନ୍ତ୍ରୀ : ତେବେ କ’ଣ ଆପଣଙ୍କ ମନରେ ବି ଭୟ ରହିଛି ?

ରାଜେଶ : ଆଜ୍ଞା, ସାରା ଗାଁରେ ଏଭଳି ଗୁଜବ ପ୍ରଚାର ହୋଇଥିଲା ।

ପ୍ରଧାନମନ୍ତ୍ରୀ : ଆରେ ରେ, ଆପଣ ଇଏ କି କଥା କହୁଛନ୍ତି? ଦେଖନ୍ତୁ ରାଜେଶ ଜୀ …

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆପଣ ଏବଂ ଗାଁର ସମସ୍ତ ଭାଇଭଉଣୀମାନଙ୍କୁ କେବଳ ଏତିକି କହିବାକୁ ଅଛି ଯେ, ଯଦି ମନରେ କୌଣସି ଭୟ ଅଛି ତେବେ ତାକୁ ବାହାର କରିଦିଅନ୍ତୁ ।

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆମ ଦେଶରେ ଏଯାଏ ୩୧ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ।

ରାଜେଶ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଆପଣ ଜାଣିଛନ୍ତି ତ, ମୁଁ ନିଜେ ମଧ୍ୟ ଦୁଇଟି ଡୋଜ ନେଇସାରିଛି ।

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆରେ, ମୋ ମା’ଙ୍କ ବୟସ ପାଖାପାଖି ଶହେ । ସେ ମଧ୍ୟ ଦୁଇଟି ଯାକ ଡୋଜ ନେଇସାରିଛନ୍ତି । ବେଳେବେଳେ କାହା କାହାକୁ ଏହାଦ୍ୱାରା ଜ୍ୱର ଇତ୍ୟାଦି ହେଉଛି । କିନ୍ତୁ ତାହା ଖୁବ ସାଧାରଣ । ମାତ୍ର କିଛି ଘଣ୍ଟା ପାଇଁ ଏଭଳି ହେଉଛି । ଦେଖନ୍ତୁ, ଟିକା ନ ନେବା ବହୁତ ବିପଦଜ୍ଜନକ ହୋଇପାରେ ।

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଏହାଦ୍ୱାରା ଆପଣ ନିଜକୁ ତ ବିପଦରେ ପକାଉଛନ୍ତି, ଏହାସହିତ ପରିବାର ଏବଂ ଗାଁକୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି ।

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : ତେଣୁ ରାଜେଶ ଜୀ, ଯଥାଶୀଘ୍ର ଟିକା ନେଇଯାଆନ୍ତୁ, ଏବଂ ଗାଁରେ ସମସ୍ତଙ୍କୁ ଜଣାନ୍ତୁ ଯେ ଭାରତ ସରକାରଙ୍କ ତରଫରୁ ମାଗଣା ଟିକା ଦିଆଯାଉଛି ଏବଂ ୧୮ ବର୍ଷରୁ ଊର୍ଦ୍ଧ ସମସ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ।

ରାଜେଶ : ଆଜ୍ଞା . . . ଆଜ୍ଞା . . .

ପ୍ରଧାନମନ୍ତ୍ରୀ : ତେଣୁ ଏ କଥା ଆପଣ ମଧ୍ୟ ସମସ୍ତଙ୍କୁ ଜଣାନ୍ତୁ ଏବଂ ଗାଁରେ ଏଭଳି ଭୟର ବାତାବରଣର କୌଣସି କାରଣ ନାହିଁ ।

ରାଜେଶ : କାରଣ ମାତ୍ର ଏତିକି ଯେ, କିଛି ଲୋକ ଏଭଳି ଗୁଜବ ପ୍ରଚାର କଲେ ଲୋକେ ବହୁତ ଭୟଭୀତ ହୋଇଗଲେ । ତା’ର ଉଦାହରଣ, ଯେମିତିକି ଏହି ଟିକା ନେବା ଦ୍ୱାରା ଜ୍ୱର ହେବା ଏବଂ ଏହାଫଳରେ ରୋଗ ବୃଦ୍ଧି ପାଇ ଲୋକ ମୃତ୍ୟୁମୁଖରେ ପଡ଼ିବା ଭଳି ଗୁଜବ ପ୍ରଚାର କଲେ ।

ପ୍ରଧାନମନ୍ତ୍ରୀ : ଓହୋ … ଦେଖନ୍ତୁ, ଆଜିକାଲି ତ ଏତେ ରେଡିଓ, ଏତେ ଟିଭି, ଏତେ ସବୁ ଖବରମାନ ମିଳୁଛି । ତେଣୁ ଲୋକମାନଙ୍କୁ ବୁଝାଇବା ଖୁବ ସହଜ ହେଇଯାଉଛି । ଦେଖନ୍ତୁ, ମୁଁ ଆପଣଙ୍କୁ କହୁଛି, ଭାରତର ଅନେକ ଗାଁ ଏଭଳି ରହିଛି, ଯେଉଁଠି ସବୁ ଲୋକ ଟିକା ନେଇସାରିଲେଣି । ମାନେ, ଗାଁର ଶତକଡ଼ା ଶହେ ଭାଗ ଲୋକ । ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି ।

ରାଜେଶ : ଆଜ୍ଞା

ପ୍ରଧାନମନ୍ତ୍ରୀ : କାଶ୍ମୀରରେ ବାନ୍ଦିପୁରା ଗୋଟିଏ ଜିଲ୍ଲା । ସେହି ବାନ୍ଦିପୁରା ଜିଲ୍ଲାରେ ଡରଚ୍ଚବଦ୍ଭ ନାମକ ଗାଁର ଲୋକେ ମିଶି ଶତ ପ୍ରତିଶତ ଟିକା ନେବାର ଲକ୍ଷ୍ୟ ସ୍ଥିର କଲେ ଏବଂ ଏହାକୁ କାର୍ଯ୍ୟକାରୀ କଲେ । ଆଜି କାଶ୍ମୀରର ଏହି ଗାଁର ୧୮ ବର୍ଷରୁ ଉପରର ସବୁ ଲୋକ ଟିକା ନେଇସାରିଛନ୍ତି । ନାଗାଲ୍ୟାଣ୍ଡର ବି ତୋନୋଟି ଗାଁ ବିଷୟରେ ମୁଁ ଜାଣିବାକୁ ପାଇଛି ଯେ, ସେଠାରେ ମଧ୍ୟ ସବୁ ଲୋକ, ଶତ ପ୍ରତିଶତ ଟିକା ନେଇସାରିଛନ୍ତି ।

ରାଜେଶ : ଆଜ୍ଞା . . . ଆଜ୍ଞା . . .

ପ୍ରଧାନମନ୍ତ୍ରୀ : ରାଜେଶ, ଆପଣ ମଧ୍ୟ ଏ କଥା ନିଜ ଗାଁ, ନିଜର ଆଖପାଖ ଗାଁରେ ଏହା ପ୍ରଚାର କରିବା ଉଚିତ ଏବଂ ଯାହା ଆପଣ କହୁଛନ୍ତି ଯେ ଏହା ଗୋଟିଏ ଭ୍ରମାତ୍ମକ ତଥ୍ୟ, ସେହି କଥା, ଏହା ଗୋଟିଏ ଭ୍ରମାତ୍ମକ କଥା ।

ରାଜେଶ : ଆଜ୍ଞା . . . ଆଜ୍ଞା . . .

ପ୍ରଧାନମନ୍ତ୍ରୀ : ଗୁଜବ ପ୍ରଚାରର ଜବାବରେ ଆପଣଙ୍କୁ ନିଜେ ଟିକା ନେଇ ସମସ୍ତଙ୍କୁ ବୁଝାଇବାକୁ ପଡ଼ିବ । ଆପଣ ଏହା କରିବେ ତ ?

ରାଜେଶ : ଆଜ୍ଞା ।

ପ୍ରଧାନମନ୍ତ୍ରୀ : ନିଶ୍ଚୟ କରିବେ ତ ?

ରାଜେଶ : ଆଜ୍ଞା . . . ଆଜ୍ଞା . . . ଆପଣଙ୍କ ସହିତ କଥା ହେବା ଦ୍ୱାରା ମୁଁ ଅନୁଭବ କଲି ଯେ, ମୁଁ ନିଜେ ଟିକା ନେବି ଆଉ ଲୋକମାନଙ୍କୁ ମଧ୍ୟ ଏହା ବିଷୟରେ ଜଣେଇବି ।

ପ୍ରଧାନମନ୍ତ୍ରୀ : ଆଚ୍ଛା, ଗାଁରେ ଆହୁରି ସେମିତି କେହି ଅଛନ୍ତି, ଯାହା ସହିତ ମୁଁ କଥା ହେଇପାରିବି ?

ରାଜେଶ : ଅଛନ୍ତି ଆଜ୍ଞା

ପ୍ରଧାନମନ୍ତ୍ରୀ : କିଏ କଥା ହେବେ?

କିଶୋରୀଲାଲ : ହେଲୋ ସାର୍, ନମସ୍କାର ।

ପ୍ରଧାନମନ୍ତ୍ରୀ : ନମସ୍କାର ଆଜ୍ଞା, କିଏ କହୁଛନ୍ତି?

କିଶୋରୀଲାଲ : ଆଜ୍ଞା, ମୋ ନାଁ କିଶୋରୀଲାଲ ଦୂର୍ବେ ।

ପ୍ରଧାନମନ୍ତ୍ରୀ : ତାହେଲେ, କିଶୋରୀଲାଲ, ଏବେ ରାଜେଶଙ୍କ ସହିତ କଥାବାର୍ତ୍ତା ଚାଲିଥିଲା ।

କିଶୋରୀଲାଲ : ଆଜ୍ଞା ।

ପ୍ରଧାନମନ୍ତ୍ରୀ : ସେ ତ ବହୁତ ମନଦୁଃଖ କରି କହୁଥିଲେ ଯେ, ଟିକାକୁ ନେଇ ଲୋକ ବିଭିନ୍ନ ପ୍ରକାର କଥା କହୁଛନ୍ତୁ

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଆପଣ ବି ଏମିତି କିଛି ଶୁଣିଛନ୍ତି କି?

କିଶୋରୀଲାଲ : ହଁ, ଶୁଣିଛି ତ ସେମିତି କିଛି ।

ପ୍ରଧାନମନ୍ତ୍ରୀ : କ’ଣ ଶୁଣିଛନ୍ତି?

କିଶୋରୀଲାଲ : କଥା କ’ଣ କି, ଆମର ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର । ସେଠାରେ ଥିବା କେତେକ ବନ୍ଧୁବାନ୍ଧବଙ୍କ ସମ୍ପର୍କୀୟ କିଛି ଗୁଜବ ପ୍ରଚାର କରୁଛନ୍ତି ଯେ, ଟିକା ନେବାଫଳରେ ଲୋକମାନଙ୍କର ମୃତ୍ୟୁ ହେଉଛି । କେହି ଅସୁସ୍ଥ ହୋଇପଡ଼ୁଛନ୍ତି । ଏମିତି ଅନେକ ଭ୍ରମ ଲୋକଙ୍କ ମନରେ ରହିଛି । ସେଥିପାଇଁ ସେମାନେ ଟିକା ନେଉନାହାନ୍ତି ।

ପ୍ରଧାନମନ୍ତ୍ରୀ : ନା, କରୋନା ଚାଲିଯାଇଛି ବୋଲି କହୁଛନ୍ତି କି?

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : କରୋନାରେ କିଛି ହୁଏନି, ଏମିତି କହୁଛନ୍ତି କି?

କିଶୋରୀଲାଲ : ନାହିଁ, କରୋନା ଚାଲିଯାଇଛି ବୋଲି କହୁନାହାନ୍ତି । କହୁଛନ୍ତି କରୋନା ତ ରହିଛି, କିନ୍ତୁ ଟିକା ନେଲେ ରୋଗ ହେଉଛି । ସମସ୍ତେ ମରିଯାଉଛନ୍ତି । ପରିସ୍ଥିତି ଏମିତି ବୋଲି ସେମାନେ କହୁଛନ୍ତି ସାର୍ ।

ପ୍ରଧାନମନ୍ତ୍ରୀ : ଆଚ୍ଛା, ଟିକା ଯୋଗୁ ମୃତ୍ୟୁବରଣ କରୁଛନ୍ତି କି ?

କିଶୋରୀଲାଲ : ଆମ ଅଞ୍ଚଳ ଆଦିବାସୀ ଇଲାକା ସାର୍ । ଏମିତିରେ ବି ଲୋକ ଏହାଦ୍ୱାରା ଖୁବଶୀଘ୍ର ଭୟଭୀତ ହୋଇଯାଉଛନ୍ତି । ଗୁଜବ ପ୍ରଚାର କରିବା ଯୋଗୁଁ ଲୋକେ ଟିକା ନେଉନାହାନ୍ତି ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ କିଶୋରୀଲାଲ . . .

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଏହି ଗୁଜବ ପ୍ରଚାରକାରୀମାନେ ତ ଏମିତି ଗୁଜବ ପ୍ରଚାର କରୁଥିବେ ।

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଆମକୁ ତ ଜୀବନ ରକ୍ଷା କରିବାକୁ ପଡ଼ିବ । ନିଜ ଗାଁ ଲୋକଙ୍କ ଜୀବନ ତ ରକ୍ଷା କରିବାକୁ ପଡ଼ିବ । ନିଜର ଦେଶବାସୀଙ୍କୁ ରକ୍ଷା କରିବାକୁ ହେବ । ଯଦି କେହି କହୁଛି ଯେ କରୋନା ଚାଲିଗଲାଣି, ତାହେଲେ ସେହି ଭ୍ରମରେ ରହନ୍ତୁନି ।

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଏହା ଏଭଳି ଗୋଟିଏ ରୋଗ, ଯାହା ବହୁରୂପୀ ଭଳି ।

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଏହା ରୂପ ବଦଳାଉଛି । ନୂଆ ନୂଆ ରଙ୍ଗ-ରୂପରେ ପହଞ୍ଚିଯାଉଛି ।

କିଶୋରୀଲାଲ : ଆଜ୍ଞା,

ପ୍ରଧାନମନ୍ତ୍ରୀ : ଏଥିରୁ ରକ୍ଷା ପାଇବା ପାଇଁ ଆମ ପାଖରେ ଦୁଇଟି ଉପାୟ ରହିଛି । ପ୍ରଥମଟି ହେଉଛି, କରୋନା ପାଇଁ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି, ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ଦୂରତା ରକ୍ଷା କରିବା ଆଉ ଅନ୍ୟଟି ହେଲା ଏସବୁ ସହିତ କରୋନା ଟିକା ନେବା । ତାହା ବି ଗୋଟିଏ ଭଲ ସୁରକ୍ଷାକବଚ । ତେଣୁ, ସେ ବିଷୟରେ ଚିନ୍ତା କରନ୍ତୁ ।

କିଶୋରୀଲାଲ : ଆଜ୍ଞା . . .

ପ୍ରଧାନମନ୍ତ୍ରୀ : ତାହେଲେ କିଶୋରୀଲାଲ, ଏ କଥା କୁହନ୍ତୁ –

କିଶୋରୀଲାଲ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ : ଯେତେବେଳେ ଲୋକେ ଆପଣଙ୍କ ସହ କଥାବାର୍ତ୍ତା କରନ୍ତି ସେତେବେଳେ ଆପଣ ଲୋକଙ୍କୁ କିପରି ବୁଝାନ୍ତି ? ଆପଣ ବୁଝାଇବାର କାମ କରନ୍ତି ନା ଆପଣ ମଧ୍ୟ ଗୁଜବରେ ବିଶ୍ୱାସ କରନ୍ତି ?

କିଶୋରୀଲାଲ : କ’ଣ ବୁଝାଇବା, ସେହି ଲୋକମାନଙ୍କ ସଂଖ୍ୟା ଯେତେବେଳେ ଅଧିକ ହୋଇଯାଏ ସାର୍ ଆମେ ବି ଭୟଭୀତ ହୋଇପଡ଼ୁ ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ କିଶୋରୀଲାଲ୍ ଜୀ, ଆଜି ଆପଣଙ୍କ ସହିତ ମୋର କଥାବାର୍ତ୍ତା ହେଲା, ଆପଣ ମୋର ବନ୍ଧୁ ହେଲେ ।

କିଶୋରୀଲାଲ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ : ଆପଣଙ୍କୁ ଆଦୌ ଭୟ କରିବାର ନାହିଁ ଆଉ ଲୋକଙ୍କ ମନରୁ ବି ଭୟକୁ ଆପଣ ବାହାର କରାନ୍ତୁ। କ’ଣ ବାହାର କରିବେ ?

କିଶୋରୀଲାଲ : ଆଜ୍ଞା ସାର୍ । ବାହାର କରିବା ସାର୍, ଲୋକଙ୍କ ମନରୁ ବି ଡରକୁ ବାହାର କରିବା ସାର୍ । ମୁଁ ନିଜେ ବି ଟିକା ନେବି ସାର୍ ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଗୁଜବ ଉପରେ ଆଦୌ ଧ୍ୟାନ ଦିଅନ୍ତୁନି ।

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆପଣ ଜାଣନ୍ତି, ଆମର ବୈଜ୍ଞାନିକମାନେ କେତେ ପରିଶ୍ରମ କରି ଏଇ ଟିକା ପ୍ରସ୍ତୁତ କରିଛନ୍ତି ।

କିଶୋରୀଲାଲ : ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ : ବଡ଼ ବଡ଼ ବୈଜ୍ଞାନିକମାନେ ବର୍ଷସାରା ରାତିଦିନ ଏକାଠି କରି କାମ କରିଛନ୍ତି ଆଉ ଏଥିପାଇଁ ଆମକୁ ବିଜ୍ଞାନ ଉପରେ ଭରସା କରିବା ଦରକାର, ବୈଜ୍ଞାନିକଙ୍କ ଉପରେ ଭରସା କରିବା ଆବଶ୍ୟକ । ଆଉ ଏହି ମିଛ ପ୍ରଚାର କରୁଥିବା ଲୋକଙ୍କୁ ବାରମ୍ବାର ବୁଝାଇବା ଦରକାର ଯେ ଦେଖ ଭାଇ ଏମିତି ହୁଏ ନାହିଁ, ଏତେ ଲୋକ ତ ଟିକା ନେଇସାରିଛନ୍ତି, କିଛି ହୁଏ ନାହିଁ ।

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆଉ ଏ ଗୁଜବରୁ ବଞ୍ଚିକି ରହିବା ଦରକାର ଏବଂ ଗାଁକୁ ବି ଗୁଜବରୁ ବଞ୍ଚାଇବାକୁ ପଡ଼ିବ ।

କିଶୋରୀଲାଲ : ଆଜ୍ଞା ।

ପ୍ରଧାନମନ୍ତ୍ରୀ : ଆଉ ରାଜେଶ ଜୀ, କିଶୋରୀଲାଲ ଜୀ, ଆପଣଙ୍କ ଭଳି ବନ୍ଧୁମାନଙ୍କୁ ମୁଁ କହିବି ଯେ ଆପଣ କେବଳ ଆପଣଙ୍କ ଗାଁରେ ନୁହଁ, ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ଏହି ଗୁଜବ ବନ୍ଦ କରିବାର କାମ କରନ୍ତୁ ଆଉ ଲୋକମାନଙ୍କୁ କହନ୍ତୁ ଯେ ଆପଣମାନେ ମୋ ସହ କଥା ହୋଇଛନ୍ତି ।

କିଶୋରୀଲାଲ : ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ : କହି ଦିଅନ୍ତୁ, ମୋ ନାଁ କହି ଦିଅନ୍ତୁ ।

କିଶୋରୀଲାଲ : କହିବି ସାର୍ ଆଉ ଲୋକଙ୍କୁ ବୁଝାଇବି ଆଉ ନିଜେ ବି ଟିକା ନେବି ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଆପଣଙ୍କ ପୁରା ଗାଁକୁ ମୋ ତରଫରୁ ଶୁଭକାମନା ଜଣାଇଦେବେ ।

କିଶୋରୀଲାଲ : ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ : ଆଉ ସମସ୍ତଙ୍କୁ କହିବେ ଯେ ଯେତେବେଳେ ବି ନିଜ ନମ୍ବର ଆସିବ …

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଟିକା ନିଶ୍ଚିତ ନେବେ ।

କିଶୋରୀଲାଲ : ଠିକ୍ ଅଛି ସାର୍

ପ୍ରଧାନମନ୍ତ୍ରୀ : ମୁଁ ଚାହିଁବି ଯେ ଗାଁର ମହିଳାମାନଙ୍କୁ, ଆମର ମାଆ ଭଉଣୀମାନଙ୍କୁ …

କିଶୋରୀଲାଲ : ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ : ଏହି କାମରେ ଅଧିକରୁ ଅଧିକ ସାମିଲ କରନ୍ତୁ ଆଉ ସକ୍ରିୟତାର ସହିତ ସେମାନଙ୍କୁ ସାଂଗରେ ରଖନ୍ତୁ ।

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ବେଳେବେଳେ ମାଆ ଭଉଣୀମାନଙ୍କ କଥାକୁ ଲୋକେ ଶୀଘ୍ର ମାନିଯାଆନ୍ତି ।

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଆପଣଙ୍କ ଗାଁରେ ଯେତେବେଳେ ଟିକାକରଣ ସଂପୂର୍ଣ୍ଣ ହେଇଯିବ ସେତେବେଳେ ମୋତେ ଆପଣ କହିବେ ।

କିଶୋରୀଲାଲ : ହଁ, କହିବୁ ସାର୍ ।

ପ୍ରଧାନମନ୍ତ୍ରୀ : ନିଶ୍ଚୟ କହିବେ ତ ?

କିଶୋରୀଲାଲ : ଆଜ୍ଞା

ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ମୁଁ ଆପଣଙ୍କ ଚିଠିକୁ ଅପେକ୍ଷା କରିବି ।

କିଶୋରୀଲାଲ : ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ : ଆପଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ରାଜେଶ ଜୀ, କିଶୋର ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

କିଶୋରୀଲାଲ : ଧନ୍ୟବାଦ ସାର୍, ଆପଣ ଆମ ସହ କଥା ହୋଇଥିବାରୁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ।

ବନ୍ଧୁଗଣ, କେବେ ନା କେବେ ଏଇ ବିଶ୍ୱ ପାଇଁ କେସ୍ ଷ୍ଟଡିର ବିଷୟ ହେବ ଯେ ଭାରତର ଗାଁର ଲୋକେ, ଆମର ବନବାସୀ-ଆଦିବାସୀ ଭାଇଭଉଣୀମାନେ ଏହି କରୋନା କାଳରେ କିଭଳି ନିଜ ସାମର୍ଥ୍ୟ ଏବଂ ଚତୁରତାର ପରିଚୟ ଦେଇଛନ୍ତି । ଗାଁର ଲୋକେ ସଙ୍ଗରୋଧ କେନ୍ଦ୍ର ତିଆରି କଲେ, ସ୍ଥାନୀୟ ଆବଶ୍ୟକତାକୁ ଦେଖି କୋଭିଡ଼ ପ୍ରୋଟୋକଲ୍ ତିଆରି କଲେ । ଗାଁ ଲୋକେ କୌଣସି ଲୋକଙ୍କୁ ଭୋକରେ ଶୋଇବାକୁ ଦେଲେ ନାହିଁ, ଚାଷକାମକୁ ବି ବନ୍ଦ ହେବାକୁ ଦେଲେ ନାହିଁ । ପାଖ ସହରରେ କ୍ଷୀର-ପନିପରିବା, ଏସବୁ ପ୍ରତିଦିନ ଯେମିତି ପହଞ୍ଚିପାରିବ, ଏହାକୁ ବି ଗାଁ ଲୋକେ ସୁନିଶ୍ଚିତ କଲେ, ଅର୍ଥାତ ନିଜକୁ ସମ୍ଭାଳିଲେ ଏବଂ ଅନ୍ୟମାନଙ୍କର ଯତ୍ନ ନେଲେ । ଏମିତି ହିଁ ଆମକୁ ଟିକା ଅଭିଯାନରେ ମଧ୍ୟ କରିବାକୁ ପଡ଼ିବ । ଆମକୁ ସଚେତନ ବି ରହିବାକୁ ହେବ, ଆଉ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ । ଗାଁର ପ୍ରତ୍ୟେକ ବ୍ୟକ୍ତିର ଯେମିତି ଟିକାକରଣ ହୋଇଯିବ, ଏହା ପ୍ରତ୍ୟେକ ଗାଁର ଲକ୍ଷ୍ୟ ହେବା ଉଚିତ । ମନେ ରଖନ୍ତୁ, ଆଉ ମୁଁ ତ ଆପଣଙ୍କୁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଚାହୁଁଛି, ଆପଣ ଗୋଟିଏ ପ୍ରଶ୍ନ ନିଜ ମନକୁ ପଚାରନ୍ତୁ – ପ୍ରତ୍ୟେକ ଲୋକ ସଫଳ ହେବାକୁ ଚାହେଁ କିନ୍ତୁ ନିର୍ଣ୍ଣାୟକ ସଫଳତାର ମନ୍ତ୍ର କ’ଣ? ନିର୍ଣ୍ଣାୟକ ସଫଳତାର ମନ୍ତ୍ର ହେଉଛି- ନିରନ୍ତରତା । ତେଣୁ ଆମେ ମନ୍ଥର ହୋଇଯିବା ନାହିଁ, କୌଣସି ଭ୍ରାନ୍ତିରେ ରହିବା ନାହିଁ । ଆମକୁ ସର୍ବଦା ପ୍ରୟାସ କରିବାକୁ ହେବ, କରୋନା ଉପରେ ବିଜୟ ହାସଲ କରିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ବର୍ଷାଋତୁ ଆସିଗଲାଣି । ମେଘ ଯେତେବେଳେ ବର୍ଷା କରେ କେବଳ ଆମ ପାଇଁ ହିଁ ବର୍ଷେ ନାହିଁ, ବରଂ ମେଘ ଆଗାମୀ ପିଢ଼ି ପାଇଁ ମଧ୍ୟ ବର୍ଷା କରେ । ବର୍ଷାଜଳ ମାଟି ଭିତରକୁ ଯାଇ ଗଚ୍ଛିତ ବି ହୁଏ, ମାଟିର ଜଳସ୍ତରକୁ ସୁଧାରେ ଏବଂ ଏଥିପାଇଁ ଜଳ ସଂରକ୍ଷଣକୁ ଦେଶସେବାର ଗୋଟିଏ ରୂପ ବୋଲି ମୁଁ ଭାବେ । ଆପଣ ମଧ୍ୟ ଦେଖିଥିବେ, ଆମ ଭିତରୁ ଅନେକ ଲୋକ ଏହି ପୁଣ୍ୟକାମକୁ ନିଜର ଦାୟିତ୍ୱ ବୋଲି ଭାବି କରୁଛନ୍ତି । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲର ସଚ୍ଚିଦାନନ୍ଦ ଭାରତୀ । ଶ୍ରୀ ଭାରତୀ ଜଣେ ଶିକ୍ଷକ ଏବଂ ସେ ନିଜ କାର୍ଯ୍ୟ ଜରିଆରେ ଲୋକଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି । ଆଜି ତାଙ୍କର ପରିଶ୍ରମରେ ହିଁ ପୌଡ଼ି ଗଢ଼ୱାଲର ଉଫ୍ରୈଖାଲ୍ ଅଞ୍ଚଳରେ ବଡ଼ ଜଳ ସଙ୍କଟର ସମାପ୍ତି ଘଟିଛି । ଯେଉଁଠି ଲୋକେ ଟୋପେ ପାଣି ପାଇଁ ଡହଳବିକଳ ହେଉଥିଲେ, ସେଠାରେ ଆଜି ବର୍ଷସାରା ଜଳ ସଞ୍ଚିତ ହୋଇ ରହୁଛି ।

ବନ୍ଧୁଗଣ, ପାହାଡ଼ରେ ଜଳ ସଂରକ୍ଷଣର ଏକ ପାରମ୍ପରିକ ଉପାୟ ରହିଛି ଯାହାକୁ ‘ଚାଲଖାଲ୍’ ମଧ୍ୟ କୁହାଯାଏ, ଅର୍ଥାତ ପାଣି ଜମା କରିବା ପାଇଁ ବଡ଼ ଗାଢ଼ ଖୋଳିବା । ଏହି ପରମ୍ପରାରେ ଶ୍ରୀ ଭାରତୀ କିଛି ନୂଆ ଉପାୟକୁ ମଧ୍ୟ ଯୋଡ଼ିଦେଇଛନ୍ତି । ସେ କ୍ରମାଗତ ଛୋଟବଡ଼ ପୋଖରୀ ଖୋଳାଇଛନ୍ତି । ଏହାଦ୍ୱାରା କେବଳ ଉଫ୍ରୈଖାଲର ପାର୍ବତ୍ୟାଞ୍ଚଳ ସବୁଜିମାରେ ଭରିନି ବରଂ ଲୋକଙ୍କର ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହୋଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀ ଭାରତୀ ଏପରି ୩୦ ହଜାରରୁ ଅଧିକ ଜଳାଶୟ ତିଆରି କରିସାରିଛନ୍ତି । ୩୦ ହଜାର! ତାଙ୍କର ଏହି ଭଗୀରଥ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛି ।

ବନ୍ଧୁଗଣ, ଏହିଭଳି ଭାବେ ୟୁପିର ବାଁଦା ଜିଲାର ଅନ୍ଧାୱ ଗାଁର ଲୋକେ ମଧ୍ୟ ଅଲଗା ପ୍ରକାରର ପ୍ରୟାସ କରିଛନ୍ତି । ସେମାନେ ନିଜ ଅଭିଯାନକୁ ବଡ଼ ମଜାଦାର ନାଁ ଦେଇଛନ୍ତି- ‘ଖେତର ପାଣି ଖେତରେ, ଗାଁର ପାଣି ଗାଁରେ’ । ଏହି ଅଭିଯାନରେ ଗାଁର ଶହଶହ ବିଘା ଖେତରେ ଉଚ୍ଚା ଉଚ୍ଚା ହିଡ଼ ତିଆରି କରାଯାଇଛି । ଏହାଦ୍ୱାରା ବର୍ଷାଜଳ କ୍ଷେତରେ ଏକାଠି ହୋଇପାରିଲା ଓ ମାଟି ଭିତରକୁ ଯିବାକୁ ଲାଗିଲା । ଏବେ ଏହି ଲୋକେ କ୍ଷେତର ସେହି ହିଡ଼ ଉପରେ ଗଛ ଲଗାଇବାର ଯୋଜନା ମଧ୍ୟ କରୁଛନ୍ତି । ଅର୍ଥାତ ଏବେ ଚାଷୀମାନଙ୍କୁ ପାଣି, ଗଛ ଆଉ ଟଙ୍କା, ତିନିଟି ଯାକ ମିଳିବ । ନିଜର ଉତ୍ତମ କାର୍ଯ୍ୟ ପାଇଁ ସେମାନଙ୍କର ସୁନାମ ଦୂରଦୂରାନ୍ତ ପର୍ଯ୍ୟନ୍ତ ବ୍ୟାପିଗଲାଣି ।

ବନ୍ଧୁଗଣ, ଏହି ସଭିଙ୍କଠାରୁ ପ୍ରେରଣା ନେଇ ଆମେ ନିଜ ଆଖପାଖରେ ଯେପରି ହେଉ ପାଣି ବଞ୍ଚାଇପାରିବା, ବଞ୍ଚାଇବା ଉଚିତ । ବର୍ଷାଋତୁର ଏହି ମହତ୍ୱପୂର୍ଣ୍ଣ ସମୟକୁ ଆମେ ନଷ୍ଟ କରିବା ନାହିଁ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଶାସ୍ତ୍ରରେ କୁହାଯାଇଛି-

“ନାସ୍ତି ମୂଳମ୍ ଅନୌଷଧମ୍” । ।

ଅର୍ଥାତ, ପୃଥିବୀ ଉପରେ ଏପରି କୌଣସି ବନସ୍ପତି ହିଁ ନାହିଁ ଯେଉଁଥିରେ କୌଣସି ନା କୌଣସି ଔଷଧୀୟ ଗୁଣ ନାହିଁ ! ଆମ ଆଖପାଖରେ ଏପରି ଅନେକ ଗଛଲତା ରହିଥାନ୍ତି ଯେଉଁଥିରେ ଅଦ୍ଭୁତ ଗୁଣ ଥାଏ, କିନ୍ତୁ ଅନେକ ସମୟରେ ଆମକୁ ତା’ ସମ୍ପର୍କରେ ଆଦୌ ଜଣା ହିଁ ନଥାଏ! ମୋତେ ନୈନିତାଲରୁ ଜଣେ ବନ୍ଧୁ, ଭାଇ ପରିତୋଷ ଏ ସମ୍ପର୍କରେ ଏକ ପତ୍ର ପଠାଇଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କୁ ଗୁଳୁଚି ଆଉ ଅନ୍ୟ ବହୁ ବନସ୍ପତିର ଚମତ୍କାରୀ ଔଷଧୀୟ ଗୁଣ ସମ୍ପର୍କରେ କରୋନା ଆସିବା ପରେ ହିଁ ଜଣାଗଲା! ପରିତୋଷ ମଧ୍ୟ ମୋତେ ଅନୁରୋଧ କରିଛନ୍ତି ମୁଁ ‘ମନ୍ କୀ ବାତ୍’ରେ ସମସ୍ତ ଶ୍ରୋତାଙ୍କୁ କହିବି ଯେ ଆପଣ ନିଜ ଆଖପାଖର ବନସ୍ପତି ସମ୍ପର୍କରେ ଜାଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ । ବାସ୍ତବରେ, ଏହା ଆମ ଯୁଗଯୁଗର ପୁରୁଣା ଐତିହ୍ୟ, ଯାହାକୁ ଆମକୁ ସୁରକ୍ଷିତ ରଖିବାର ଅଛି । ଏ ଦିଗରେ ମଧ୍ୟପ୍ରଦେଶ ସତ୍ନାର ଜଣେ ବନ୍ଧୁ ଶ୍ରୀମାନ ରାମଲୋଟନ କୁଶୱାହା ବହୁତ ପ୍ରଶଂସନୀୟ କାମ କରିଛନ୍ତି । ରାମଲୋଟନ ନିଜ କ୍ଷେତରେ ଏକ ଦେଶୀ ସଂଗ୍ରହାଳୟ ତିଆରି କରିଛନ୍ତି । ଏହି ସଂଗ୍ରହାଳୟରେ ସେ ଶହଶହ ଔଷଧୀୟ ଚାରା ଓ ମଞ୍ଜିକୁ ସଂଗ୍ରହ କରି ରଖିଛନ୍ତି । ଏଗୁଡ଼ିକୁ ସେ ସୁଦୂର ଅଞ୍ଚଳରୁ ଆଣିଛନ୍ତି । ଏହାଛଡ଼ା ସେ ପ୍ରତିବର୍ଷ ଅନେକ ପ୍ରକାରର ଭାରତୀୟ ପନିପରିବା ମଧ୍ୟ ଚାଷ କରନ୍ତି । ରାମଲୋଟନଙ୍କ ଏହି ବଗିଚା, ଏହି ଦେଶୀ ସଂଗ୍ରହାଳୟକୁ ଲୋକ ଦେଖିବାକୁ ମଧ୍ୟ ଆସନ୍ତି, ଏବଂ ସେଥିରୁ ବହୁତ କିଛି ଶିଖନ୍ତି ମଧ୍ୟ । ସତରେ, ଏହା ଏକ ବହୁତ ବଢ଼ିଆ ପ୍ରୟୋଗ ଯାହାକୁ ଦେଶର ଭିନ୍ନ ଭିନ୍ନ ଅଂଚଳରେ ମଧ୍ୟ କରାଯାଇପାରିବ । ମୁଁ ଚାହିଁବି ଯେ ଆପଣଙ୍କ ଭିତରୁ ଯେଉଁମାନେ ଏପରି ପ୍ରୟାସ କରିପାରିବେ, ସେମାନେ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଆୟର ନୂଆ ସାଧନ ମଧ୍ୟ ଖୋଲିପାରିବ । ଗୋଟିଏ ଲାଭ ଏହା ମଧ୍ୟ ହେବ ଯେ ସ୍ଥାନୀୟ ବନସ୍ପତିଗୁଡ଼ିକ ମାଧ୍ୟମରେ ଆପଣଙ୍କ ଅଞ୍ଚଳର ପରିଚୟ ମଧ୍ୟ ବଢ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଏବେଠାରୁ କିଛିଦିନ ପରେ ୧ ଜୁଲାଇରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରିବା । ଏହିଦିନଟି ଆମ ଦେଶର ମହାନ ଚିକିତ୍ସକ ତଥା ରାଷ୍ଟ୍ରନେତା ଡକ୍ଟର ବି ସି ରାୟଙ୍କ ଜୟନ୍ତୀ ପାଇଁ ସମର୍ପିତ । କରୋନା କାଳରେ ଡାକ୍ତରମାନଙ୍କ ଅବଦାନ ପାଇଁ ଆମେ ସମସ୍ତେ କୃତଜ୍ଞ । ଆମ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଆମର ସେବା କରୁଛନ୍ତି । ଏଥିପାଇଁ ଏଥର ଜାତୀୟ ଡାକ୍ତର ଦିବସ ଆହୁରି ମଧ୍ୟ ସ୍ୱତନ୍ତ୍ର ହୋଇଛି ।

ବନ୍ଧୁଗଣ, ମେଡିସିନ୍ ଦୁନିଆରେ ସବୁଠୁ ସମ୍ମାନନୀୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ – ହିପ୍ପୋକ୍ରେଟ୍ସ କହିଥିଲେ : “Wherever the art of Medicine is loved, there is also a love of Humanity.”

ଅର୍ଥାତ, ‘ଯେଉଁଠି ଆର୍ଟ ଅଫ୍ ମେଡିସିନ ପାଇଁ ଶ୍ରଦ୍ଧା ରହିଥାଏ, ସେଠାରେ ମାନବତା ପାଇଁ ମଧ୍ୟ ଶ୍ରଦ୍ଧା ଥାଏ’ । ଡାକ୍ତରମାନେ, ଏହି ଶ୍ରଦ୍ଧାର ଶକ୍ତି ଦ୍ୱାରା ହିଁ ଆମର ସେବା କରିପାରନ୍ତି; ଏଇଥିପାଇଁ ଆମର ଏହା ଦାୟିତ୍ୱ ଯେ ଆମେ ସେତିକି ହିଁ ଶ୍ରଦ୍ଧାରେ ସେମାନଙ୍କୁ ଧନ୍ୟବାଦ ଦେବା, ସେମାନଙ୍କର ଉତ୍ସାହ ବଢ଼ାଇବା । ଏମିତି ଦେଖିଲେ ଆମ ଦେଶରେ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଡାକ୍ତରମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗୁଆ ହୋଇ କାମ କରିଥାନ୍ତି । ଶ୍ରୀନଗରର ଏପରି ଏକ ପ୍ରୟାସ ସମ୍ପର୍କରେ ମୋତେ ଖବର ମିଳିଛି । ଏଠାରେ ଡାଲ୍ ହ୍ରଦରେ ଏକ ବୋଟ୍ ଆମ୍ବୁଲାନ୍ସ ସର୍ଭିସ୍ ଆରମ୍ଭ କରାଯାଇଛି । ଏହି ସେବା ଶ୍ରୀନଗରର ତାରିକ୍ ଅହମ୍ମଦ ପତଲୁ ଆରମ୍ଭ କରିଛନ୍ତି, ଯିଏ ଜଣେ ହାଉସବୋଟ୍ ମାଲିକ । ସେ ନିଜେ ମଧ୍ୟ କୋଭିଡ଼-୧୯ ଲଢ଼େଇ ଲଢ଼ିଛନ୍ତି ଏବଂ ସେଥିରୁ ହିଁ ତାଙ୍କୁ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ପ୍ରେରଣା ମିଳିଛି । ତାଙ୍କର ଏହି ଆମ୍ବୁଲାନ୍ସରେ ଲୋକଙ୍କୁ ସଚେତନତା ଅଭିଯାନ ମଧ୍ୟ ଚାଲୁଛି । ସେ କ୍ରମାଗତ ଆମ୍ବୁଲାନ୍ସରୁ ଘୋଷଣା ମଧ୍ୟ କରିଥାନ୍ତି : ଲୋକେ ଯେପରି ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ଅନ୍ୟ ଜରୁରୀ ସାବଧାନତା ଅବଲମ୍ବନ କରିବେ ।

ବନ୍ଧୁଗଣ, ଡାକ୍ତର ଦିବସ ସହ ୧ ଜୁଲାଇରେ ଚାର୍ଟାର୍ଡ ଆକାଉଂଟାଂଟ ଦିବସ ମଧ୍ୟ ପାଳିତ ହୋଇଥାଏ । ମୁଁ କିଛିବର୍ଷ ତଳେ ଦେଶର ଚାର୍ଟାର୍ଡ ଆକାଉଂଟାଂଟମାନଙ୍କୁ ବିଶ୍ୱସ୍ତରୀୟ ଭାରତୀୟ ଅଡିଟ୍ ଫାର୍ମସ୍ ଉପହାର ମାଗିଥିଲି ଆଜି ମୁଁ ସେମାନଙ୍କୁ ଏ ବିଷୟ ମନେ ପକାଇଦେବାକୁ ଚାହୁଁଛି । ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଚାର୍ଟାର୍ଡ ଆକାଉଂଟାଂଟ ମାନେ ବହୁତ ଭଲ ଓ ସକାରାତ୍ମକ ଭୂମିକା ତୁଲାଇପାରିବେ । ମୁଁ ସମସ୍ତ ଚାର୍ଟାର୍ଡ ଆକାଉଂଟାଂଟ, ତାଙ୍କ ପରିବାର ସଦସ୍ୟମାନଙ୍କୁ ନିଜର ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୋଧରେ ଭାରତର ଲଢ଼େଇର ଏକ ବଡ଼ ବିଶେଷତ୍ୱ ରହିଛି । ଏହି ଲଢ଼େଇରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜର ଭୂମିକା ତୁଲାଇଛନ୍ତି । ମୁଁ ‘ମନ୍ କୀ ବାତ୍’ରେ ପ୍ରାୟ ଏହାର ଅବତାରଣା କରିଛି । କିନ୍ତୁ ଅନେକ ଲୋକଙ୍କ ଅଭିଯୋଗ ମଧ୍ୟ ରହେ ଯେ ସେମାନଙ୍କ ସମ୍ପର୍କରେ ସେତେଟା ଆଲୋଚନା ହୋଇପାରେ ନାହିଁ । ଅନେକ ଲୋକ – ସେ ବ୍ୟାଙ୍କ ଷ୍ଟାଫ୍ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ଛୋଟ ବ୍ୟବସାୟୀ ବା ଦୋକାନୀ ହୁଅନ୍ତୁ, ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ, ବୁଲାବିକାଳି ଭାଇଭଉଣୀ ହୁଅନ୍ତୁ, ସିକ୍ୟୁରିଟି ୱାଚମ୍ୟାନ, ଅଥବା ଡାକବାଲା ଓ ପୋଷ୍ଟ୍ ଅଫିସ୍ର କର୍ମଚାରୀ – ପ୍ରକୃତରେ ଏହି ତାଲିକା ବହୁତ ଲମ୍ବା ଏବଂ ପ୍ରତ୍ୟେକ ଲୋକ ନିଜର ଭୂମିକା ତୁଲାଇଛନ୍ତି । ଶାସନ ପ୍ରଶାସନରେ ମଧ୍ୟ ବହୁତ ଲୋକ ନିଜ ନିଜ ସ୍ତରରେ କାମରେ ଲାଗିଛନ୍ତି ।

ବନ୍ଧୁଗଣ, ଆପଣ ସମ୍ଭବତଃ ଭାରତ ସରକାରରେ ସଚିବ ଥିବା ଗୁରୁପ୍ରସାଦ ମହାପାତ୍ରଙ୍କ ନାମ ଶୁଣିଥିବେ । ମୁଁ ଆଜି ‘ମନ୍ କୀ ବାତ୍’ରେ ତାଙ୍କ କଥା କହିବାକୁ ଚାହୁଁଛି । ଗୁରୁପ୍ରସାଦଙ୍କୁ କରୋନା ହୋଇଯାଇଥିଲା, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ନିଜର କର୍ତ୍ତବ୍ୟ ମଧ୍ୟ ତୁଲାଇ ଚାଲିଥିଲେ । ଦେଶରେ ଅମ୍ଳଜାନର ଉତ୍ପାଦନ ବଢ଼ୁ, ସୁଦୂର ଅଞ୍ଚଳ ପର୍ଯ୍ୟନ୍ତ ଅମ୍ଳଜାନ ପହଂଚୁ ଏଥିପାଇଁ ସେ ଦିନରାତି କାମ କରୁଥିଲେ । ଗୋଟିଏ ପଟେ କୋର୍ଟକଚେରୀର ଚକ୍କର, ମିଡିଆର ଚାପ- ଏକାସାଂଗେ ବହୁ ଜାଗାରେ ସେ ଲଢ଼ିଚାଲିଥିଲେ, ରୋଗ ବେଳେ ସେ କାମ କରିବା ବନ୍ଦ କରିନଥିଲେ । ମନା କରିବା ସତ୍ୱେ ମଧ୍ୟ ସେ ଜିଦ୍ କରି ଅମ୍ଳଜାନ ଉପରେ ହେଉଥିବା ଭିଡିଓ କନଫରେନ୍ସରେ ମଧ୍ୟ ସାମିଲ୍ ହୋଇଯାଉଥିଲେ । ଦେଶବାସୀଙ୍କର ଏତେ ଚିନ୍ତା ତାଙ୍କୁ ଥିଲା । ସେ ଡାକ୍ତରଖାନା ଶଯ୍ୟାରେ ନିଜ କଥା ଚିନ୍ତା ନକରି ଦେଶର ଲୋକଙ୍କ ପାଖକୁ ଅମ୍ଳଜାନ ପହଞ୍ଚାଇବା କାମରେ ଲାଗିଥିଲେ । ଆମ ସମସ୍ତଙ୍କ ପାଇଁ ଦୁଃଖର କଥା ଯେ ଏହି କର୍ମଯୋଗୀଙ୍କୁ ମଧ୍ୟ ଦେଶ ହରାଇଛି, କରୋନା ତାଙ୍କୁ ଆମଠାରୁ ଛଡ଼ାଇ ନେଇଛି । ଏପରି ଅସଂଖ୍ୟ ଲୋକ ଅଛନ୍ତି ଯାହାଙ୍କ ଆଲୋଚନା କେବେ ହୋଇପାରିନାହିଁ । ଏଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଆମର ଅସଲ ଶ୍ରଦ୍ଧାଞ୍ଜଳି ହେବ ଆମେ କୋଭିଡ ମାର୍ଗଦର୍ଶିକାକୁ ପୂର୍ଣ୍ଣ ମାତ୍ରାରେ ପାଳନ କରିବା, ଟିକା ନିଶ୍ଚୟ ନେବା । –

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ର ସବୁଠୁ ଭଲ କଥା ହେଉଛି ଯେ ଏଥିରେ ମୋଠୁ ଅଧିକ ଆପଣମାନଙ୍କର ଯୋଗଦାନ ରହେ । ଏବେ ମୁଁ ମାଇଁ ଗଭରେ ଗୋଟିଏ ପୋଷ୍ଟ୍ ଦେଖିଲି, ଯାହା ଚେନ୍ନଇର ଥିରୁ ଆର୍. ଗୁରୁପ୍ରସାଦ ଲେଖିଛନ୍ତି । ସେ ଯାହା ଲେଖିଛନ୍ତି, ତାକୁ ଜାଣିଲେ ଆପଣଙ୍କୁ ମଧ୍ୟ ଭଲ ଲାଗିବ । ସେ ଲେଖିଛନ୍ତି ଯେ ସେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା । ଗୁରୁପ୍ରସାଦଙ୍କ ପୋଷ୍ଟ୍ରୁ ମୁଁ ଏବେ କେତେକ ପଂକ୍ତି ଉଦ୍ଧୃତ କରୁଛି । ସେ ଲେଖିଛନ୍ତି,

ଯେତେବେଳେ ମଧ୍ୟ ଆପଣ ତାମିଲନାଡୁ ସମ୍ପର୍କରେ କଥା ହୁଅନ୍ତି, ସେତେବେଳେ ମୋର ଆଗ୍ରହ ଆହୁରି ବଢ଼ିଯାଏ ।

ଆପଣ ତାମିଲ୍ ଭାଷା ଓ ତାମିଲ୍ ସଂସ୍କୃତିର ମହାନତା, ତାମିଲ୍ ପର୍ବପର୍ବାଣୀ ଓ ତାମିଲନାଡୁର ପ୍ରମୁଖ ସ୍ଥାନ ବିଷୟରେ ଆଲୋଚନା କରିଛନ୍ତି ।

ଗୁରୁପ୍ରସାଦ ଆହୁରି ଲେଖିଛନ୍ତି ଯେ ‘ମନ୍ କୀ ବାତ୍’ରେ ମୁଁ ତାମିଲନାଡୁର ଲୋକଙ୍କ ଉପଲବ୍ଧି ସମ୍ପର୍କରେ ମଧ୍ୟ ଅନେକ ଥର କହିଛି । ତିରୁକ୍କୁରାଲ ପ୍ରତି ଆପଣଙ୍କ ଶ୍ରଦ୍ଧା ଓ ତିରୁଭଲ୍ଲୁଭରଙ୍କ ପ୍ରତି ଆପଣଙ୍କ ସମ୍ମାନକୁ ତ ଆଉ କହିବା କ’ଣ! ଏଥିପାଇଁ ମୁଁ ‘ମନ୍ କୀ ବାତ୍’ରେ ଆପଣ ଯାହା କିଛି ମଧ୍ୟ ତାମିଲନାଡୁ ସମ୍ପର୍କରେ କହିଛନ୍ତି, ସେଗୁଡ଼ିକୁ ସଂକଳିତ କରି ଏକ ଇ-ବୁକ୍ ପ୍ରସ୍ତୁତ କରିଛି । ଆପଣ କ’ଣ ଏହି ଇ-ବୁକକୁ ନେଇ କିଛି କହିବେ ଓ ଏହାକୁ ନମୋ ଆପର ମଧ୍ୟ ଉନ୍ମୋଚନ କରିବେ? ଧନ୍ୟବାଦ ।

‘ଏହା ମୁଁ ଗୁରୁପ୍ରସାଦଙ୍କ ପତ୍ର ଆପଣଙ୍କ ଆଗରେ ପଢ଼ୁଥିଲି ।’

ଗୁରୁପ୍ରସାଦ, ଆପଣଙ୍କ ଏହି ପୋଷ୍ଟ୍ ପଢ଼ି ବହୁତ ଖୁସି ଲାଗିଲା । ଏବେ ଆପଣ ନିଜର ଇ-ବୁକରେ ଆଉ ଗୋଟିଏ ପୃଷ୍ଠା ଯୋଡ଼ି ଦିଅନ୍ତୁ ।

‘ନାନ ତାମିଲକଳା ଚାରାକ୍ତିନ ପେରିୟେ ଅଭିମାନୀ ।

ନାନ ଉଲଗତଲୟେ ପଲମାୟାଂ ତାମିଲ ମୋଲିୟନ ପେରିୟେ ଅଭିମାନୀ ।’

ଉଚ୍ଚାରଣ ଦୋଷ ଅବଶ୍ୟ ରହିବ, କିନ୍ତୁ ମୋର ପ୍ରୟାସ ଓ ମୋର ଶ୍ରଦ୍ଧା କେବେ ମଧ୍ୟ କମ୍ ହେବନାହିଁ । ଯେଉଁମାନେ ତାମିଲଭାଷୀ ନୁହନ୍ତି, ସେମାନଙ୍କୁ ମୁଁ ଜଣାଇଦେବାକୁ ଚାହୁଁଛି ଯେ ଗୁରୁପ୍ରସାଦଙ୍କୁ ମୁଁ ତାମିଲରେ କହିଲି-

ମୁଁ ତାମିଲ ସଂସ୍କୃତିର ବହୁତ ବଡ଼ ପ୍ରଶଂସକ ।

ମୁଁ ଦୁନିଆର ସବୁଠୁ ପୁରୁଣା ଭାଷା ତାମିଲର ବଡ଼ ପ୍ରଶଂସକ ।

ବନ୍ଧୁଗଣ, ପ୍ରତ୍ୟେକ ଭାରତୀୟଙ୍କୁ, ବିଶ୍ୱର ସବୁଠୁ ପୁରାତନ ଭାଷା ଆମ ଦେଶର, ଏହା ଗୁଣଗାନ କରିବା ହିଁ ଉଚିତ, ତା’କୁ ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ । ମୁଁ ମଧ୍ୟ ତାମିଲକୁ ନେଇ ବହୁତ ଗର୍ବ ଅନୁଭବ କରେ । ଗୁରୁପ୍ରସାଦ, ଆପଣଙ୍କର ଏହି ପ୍ରୟାସ ମୋତେ ନୂଆ ଦୃଷ୍ଟି ଦେବ; କାରଣ ମୁଁ ‘ମନ୍ କୀ ବାତ୍’ରେ ତ ସହଜ-ସରଳ ଭାବେ ନିଜ କଥା ଉପସ୍ଥାପନ କରିଥାଏ । ମୋତେ ଜଣାନଥିଲା ଯେ ଏହାର ଏପରି ମଧ୍ୟ ଏକ ଉପାଦାନ ରହିଛି । ଆପଣ ଯେତେବେଳେ ପୁରୁଣା କଥାଗୁଡ଼ିକୁ ଏକତ୍ର କରିଛନ୍ତି, ମୁଁ ମଧ୍ୟ ତାକୁ ଥରେ ନୁହେଁ ଦୁଇଥର ପଢ଼ିଲି । ଗୁରୁପ୍ରସାଦ, ଆପଣଙ୍କର ଏହି ବହିକୁ ମୁଁ ନମୋ ଆପରେ ନିଶ୍ଚୟ ଅପଲୋଡ଼ କରାଇବି । ଭବିଷ୍ୟତର ପ୍ରୟାସ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ କରୋନାର କଷ୍ଟ ଓ ସାବଧାନତା ଉପରେ କଥା ହେଲେ । ଦେଶ ଓ ଦେଶବାସୀଙ୍କର ଅନେକ ଉପଲବ୍ଧି ବିଷୟରେ ଆଲୋଚନା କଲେ । ଏବେ ଆଉ ଗୋଟିଏ ବଡ଼ ଦିବସ ଆମ ଆଗରେ ରହିଛି । ୧୫ ଅଗଷ୍ଟ ମଧ୍ୟ ଆସୁଛି । ସ୍ୱାଧୀନତାର ୭୫ ବର୍ଷର ଅମୃତ-ମହୋତ୍ସବ ଆମ ପାଇଁ ବହୁତ ବଡ଼ ପ୍ରେରଣା । ଆମେ ଦେଶ ପାଇଁ ବଞ୍ଚିବାକୁ ଶିଖିବା । ସ୍ୱାଧୀନତା ସଂଗ୍ରାମ-ଦେଶ ପାଇଁ ଜୀବନ ଦେଇଥିବା ଲୋକଙ୍କ କଥା । ସ୍ୱାଧୀନତା ପରବର୍ତ୍ତୀ ଏହି ସମୟକୁ ଆମେ ଦେଶ ପାଇଁ ବଞ୍ଚିଥିବା ଲୋକଙ୍କ କଥା ଭାବେ ତିଆରି କରିବାକୁ ହେବ । ଆମର ମନ୍ତ୍ର ହେବା ଉଚିତ- ଇଣ୍ଡିଆ ଫାଷ୍ଟ୍ । ଆମର ପ୍ରତ୍ୟେକ ନିଷ୍ପତି, ପ୍ରତ୍ୟେକ ନିର୍ଣ୍ଣୟର ଆଧାର ହେବା ଉଚିତ- ଇଣ୍ଡିଆ ଫାଷ୍ଟ୍ ।

ବନ୍ଧୁଗଣ, ଅମୃତ-ମହୋତ୍ସବରେ ଦେଶ ଅନେକ ସାମୂହିକ ଲକ୍ଷ୍ୟ ମଧ୍ୟ ନିର୍ଦ୍ଧାରଣ କରିଛି । ଯେପରିକି, ଆମେ ନିଜର ସ୍ୱାଧୀନତା ସେନାନୀଙ୍କୁ ମନେପକାଇ ସେମାନଙ୍କ ସହ ସଂପୃକ୍ତ ଇତିହାସକୁ ପୁନର୍ଜୀବିତ କରିବା । ଆପଣଙ୍କର ମନେଥିବ ଯେ ‘ମନ୍ କୀ ବାତ୍’ରେ ମୁଁ ଯୁବକ ଯୁବତୀମାନଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖିବାକୁ, ଗବେଷଣା କରିବାକୁ ନିବେଦନ କରିଥିଲି । ଉଦ୍ଦେଶ୍ୟ ଥିଲା ଯେ ଯୁବପ୍ରତିଭାମାନେ ଆଗକୁ ଆସନ୍ତୁ, ଯୁବ-ଚିନ୍ତା, ଯୁବ-ବିଚାର ସାମ୍ନାକୁ ଆସୁ, ଯୁବ-କଲମ ନୂତନ ଶକ୍ତି ସହିତ ଲେଖାଲେଖି କରନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ବହୁତ କମ୍ ସମୟରେ ଅଢ଼େଇ ହଜାରରୁ ଅଧିକ ଯୁବକ ଯୁବତୀ ଏହି କାମ କରିବା ପାଇଁ ବାହାରିଛନ୍ତି । ବନ୍ଧୁଗଣ, ମଜା କଥା ହେଉଛି ଉନବିଂଶ-ବିଂଶ ଶତାବ୍ଦୀର ସଂଗ୍ରାମ କଥା ତ ସାଧାରଣତଃ ସବୁବେଳେ ହୋଇଥାଏ; କିନ୍ତୁ ଖୁସି ଏହି କଥାରେ ଯେ ଏକବିଂଶ ଶତାବ୍ଦୀରେ ଯେଉଁ ଯୁବକ ଯୁବତୀ ଜନ୍ମ ହୋଇଛନ୍ତି, ଏକବିଂଶ ଶତାବ୍ଦୀରେ ଯାହାର ଜନ୍ମ ହୋଇଛି, ଏପରି ମୋର ଯୁବସାଥୀମାନେ ଉନବିଂଶ ଓ ବିଂଶ ଶତାବ୍ଦୀର ସ୍ୱାଧୀନତା ସଂଗ୍ରାମକୁ ଲୋକଙ୍କ ସାମ୍ନାରେ ରଖିବାର ଦାୟିତ୍ୱ ସମ୍ଭାଳିଛନ୍ତି । ଏହି ସମସ୍ତ ଲୋକ ମାଇଁଗଭରେ ଏହାର ସଂପୂର୍ଣ୍ଣ ବିବରଣୀ ପଠାଇଛନ୍ତି । ଏହି ଲୋକେ ହିନ୍ଦୀ, ଇଂଲିଶ୍, ତାମିଲ୍, କନ୍ନଡ଼, ବଙ୍ଗଳା, ତେଲୁଗୁ, ମରାଠି, ମଲୟାଲମ୍, ଗୁଜରାତି, ଦେଶର ଏପରି ଭିନ୍ନ ଭିନ୍ନ ଭାଷାରେ ସ୍ୱାଧୀନତା ସଂଗ୍ରାମ ଉପରେ ଲେଖିବେ । କିଏ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ନିଜ ଆଖାପାଖ ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ତ ଆଉ କିଏ ଆଦିବାସୀ ସ୍ୱାଧୀନତା ସଂଗ୍ରାମ ଉପରେ ବହି ଲେଖୁଛି । ଏହା ଏକ ଭଲ ଆରମ୍ଭ । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଅମୃତ-ମହୋତ୍ସବ ସହିତ ଯେମିତି ବି ସଂପୃକ୍ତ ହୋଇପାରିବେ, ନିଶ୍ଚିତ ହୁଅନ୍ତୁ । ଏହା ଆମର ସୌଭାଗ୍ୟ ଯେ ଆମେ ସ୍ୱାଧୀନତାର ୭୫ ବର୍ଷ ପର୍ବର ସାକ୍ଷୀ ହେଉଛୁ । ସେଥିପାଇଁ ଆସନ୍ତା ଥର ଯେତେବେଳେ ‘ମନ୍ କୀ ବାତ୍’ରେ ଭେଟିବା, ସେତେବେଳେ ଅମୃତ-ମହୋତ୍ସବର ଓ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ କଥା ହେବା । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, କରୋନା ପାଇଁ ଥିବା ନିୟମଗୁଡ଼ିକର ପାଳନ କରି ଆଗକୁ ବଢ଼ନ୍ତୁ, ନିଜର ନୂଆ ନୂଆ ପ୍ରୟାସରେ ଦେଶକୁ ଏଭଳି ଗତିଶୀଳ କରୁଥାନ୍ତୁ । ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ।
– DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.