Home ଓଡ଼ିଶା ‘ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

100

ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ନୂଆଦିଲ୍ଲୀରୁ ‘ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ସ୍ଥାନୀୟ ଔଦ୍ୟୋଗିକତାର ମଧ୍ୟ ବୃଦ୍ଧି ଘଟିବ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ ବୈଶ୍ଵିକ ମହାମାରୀ ସତ୍ୱେ ପ୍ରତ୍ୟେକ ବ୍ୟକ୍ତି ସମସ୍ତ ଅସୁବିଧାକୁ ମଧ୍ୟ ସାମନା କରିପାରିବ। ଯେ ପର୍ଯ୍ୟନ୍ତ କୋଭିଡର ଟୀକା ନବାହାରିଛି, ସେ ପର୍ଯ୍ୟନ୍ତ ଦୁଇ ଗଜର ଦୂରତା ରକ୍ଷା ଓ ମାସ୍କ ବ୍ୟବହାର ସବୁଠାରୁ ଶ୍ରେଷ୍ଠ ପ୍ରତିଷେଧକ ଭାବେ କାର୍ଯ୍ୟ କରିବ। ସମଗ୍ର ବିଶ୍ଵରେ କରୋନା କାୟା ବିସ୍ତାର କରିଥିବା ବେଳେ ଉତ୍ତରପ୍ରଦେଶ ଦେଖାଇଥିବା ସାହସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଯେଉଁଭଳି ଉତ୍ତରପ୍ରଦେଶ ସମସ୍ୟାର ମୁକାବିଲା କରିଛି ତାହା ଅଭୂତପୂର୍ବ ଓ ପ୍ରଶଂସା ଯୋଗ୍ୟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଡାକ୍ତର, ପରିମଳ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ଆଶା ଓ ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ, ଡାକଘର, ପରିବହନ କର୍ମଚାରୀ ଓ ଉତ୍ତରପ୍ରଦେଶର ଶ୍ରମଜୀବୀମାନଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରମିକ ଏକ୍ସପ୍ରେସର ସୁବିଧା କରାଇ ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। ଗତ କେତେ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶକୁ ଦେଶର ବିଭିନ୍ନ ରାଜ୍ୟରୁ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରବାସୀ ଶ୍ରମିକ ଫେରି ଆସିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସମସ୍ୟାର ଗୁରୁତ୍ଵକୁ ଉପଲବ୍ଧି କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଛନ୍ତି।

ଗରିବ ଲୋକମାନେ ଯେପରି ଉପବାସରେ ନରୁହନ୍ତି ସେଥିପାଇଁ ଉତ୍ତରପ୍ରଦେଶ ସରକାର ନେଇଥିବା ଅଭୂତପୂର୍ବ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ତୁରନ୍ତ ପଦକ୍ଷେପ ନେଇ ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଏହା ରାସନ କାର୍ଡ ନଥିବା ଲୋକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ୭୫ ଲକ୍ଷ ଗରିବ ମହିଳାଙ୍କ ଜନଧନ ଆକାଉଣ୍ଟକୁ ୫ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶ ନିଜକୁ ଆତ୍ମନିର୍ଭର କରିବାରେ ଅଗ୍ରଣୀ ଭୂମିକା ନେବା ସହ ଗରିବ କଲ୍ୟାଣ ରୋଜଗାରରେ ମଧ୍ୟ ଆଗୁଆ ରହିଛି। ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯାଇ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ଆୟ ବୃଦ୍ଧି କରାଯାଇପାରିଛି। ଗ୍ରାମାଞ୍ଚଳ ବିକାଶ ପାଇଁ ଉଦ୍ଦିଷ୍ଟ କର୍ମ ନିଯୁକ୍ତ ଯୋଜନା ଏମଏସଏମଇ ଜରିଆରେ ୬୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ମୁଦ୍ରା ଯୋଜନାରେ ସହସ୍ରାଧିକ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ପାଖାପାଖି ୧୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଆତ୍ମନିର୍ଭର ରୋଜଗାର ଅଭିଯାନରେ ସୃଷ୍ଟି ହୋଇଥିବା ଶିଳ୍ପପୁଞ୍ଜ ଜରିଆରେ ଉତ୍ତରପ୍ରଦେଶ ବହୁଳ ଭାବେ ଉପକୃତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ କୃଷି ସଂସ୍କାର ପାଇଁ ଘୋଷିତ କାର୍ଯ୍ୟକ୍ରମ ଯୋଗୁଁ ଚାଷୀମାନେ ବିଭିନ୍ନ ପ୍ରକାରର କଟକଣାରୁ ମୁକ୍ତ ହୋଇପାରିଛନ୍ତି, ପ୍ରଧାନମନ୍ତ୍ରୀ ତା’ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଚାଷୀମାନେ ଅବାଧରେ ଦେଶର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ସାମଗ୍ରୀର ଦର ନିଜେ ନିର୍ଦ୍ଧାରଣ କରି ଏହାର ବିକ୍ରିବଟା କରିପାରିବେ। ପ୍ରଧାନମନ୍ତ୍ରୀ କୁଶୀନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନବନ୍ଦର ଭାବେ ଘୋଷଣା କରାଯାଇଥିବାରୁ ଏହା ଏକ ବୌଦ୍ଧ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା କହିଛନ୍ତି। ଏହା ପୂର୍ବାଞ୍ଚଳ ସହ କୋଟି କୋଟି ମହାତ୍ମା ବୁଦ୍ଧଙ୍କ ଅନୁଗାମୀମାନଙ୍କୁ ଏଠାକୁ ଆଣିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି। ଉତ୍ତରପ୍ରଦେଶରେ ଗତ ୩ ବର୍ଷ ଭିତରେ ୩୦ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯିବା ସହ ଉତ୍ତରପ୍ରଦେଶ ଖୋଲା ମଳ ମୁକ୍ତ ରାଜ୍ୟ ଭାବେ ଘୋଷିତ ହୋଇଛି। ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରି ଉତ୍ତରପ୍ରଦେଶ ସରକାର ୩ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଯୋଗାଇଦେଇଛନ୍ତି। ରାଜ୍ୟର ପୂର୍ବାଞ୍ଚଳରେ ମସ୍ତିସ୍କ ଜ୍ଵର ଗତ ୩ ବର୍ଷ ମଧ୍ୟରେ ଶତକଡା ୯୦ ଭାଗକୁ ହ୍ରାସ ପାଇଥିବା ତଥା ରାଜ୍ୟରେ ଶିଶୁ ମୃତ୍ୟୁ ହାର ଆଶାତୀତ ହ୍ରାସ ପାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ। ବିଦ୍ୟୁତ, ଜଳ ଏବଂ ସଡକ ଭଳି ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟରେ ହୋଇଥିବା ଅଭୂତପୂର୍ବ ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ। ଉଦାହରଣ ସ୍ୱରୂପ ଗୋଣ୍ଡାରେ ସ୍ଵୟଂ ସହାୟକ ଗୋଷ୍ଠୀର ନେତୃତ୍ଵ ନେଉଥିବା ଶ୍ରୀମତୀ ବିନୀତା ପଲ, ବାହାରିଚ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହିତାଧିକାରୀ ତିଳକ ରାମ, ସନ୍ଥ କବୀର ନଗର ଜିଲ୍ଲାର ଜନୈକ ଉଦ୍ୟୋଗପତି ଆମରେନ୍ଦ୍ର କୁମାର ସେମାନଙ୍କ ଅଭିଜ୍ଞତାର କାହାଣୀ ପ୍ରଧାନମନ୍ତ୍ରୀ ଆଗରେ ବଖାଣି ଥିଲେ। ଏହିପରି ଶ୍ରୀ ମୋଦୀ ମୁମ୍ବାଇରୁ ଫେରିଥିବା ପ୍ରବାସୀ ଶ୍ରମିକ କୁର୍ବାନ ଅଲ୍ଲି, ଗୋରଖପୁର ଜିଲ୍ଲାର ନଗେନ୍ଦ୍ର ସିଂହ ଓ ଜଳାଉନ ଜିଲ୍ଲାର ଶ୍ରୀ ଦିପୁଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.