ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ୱାଧିନତାର ଦୀର୍ଘ ୭୯ବର୍ଷ ପରେ ମଧ୍ୟ ଭଦ୍ରକ ଜିଲ୍ଲା ଧାମରାରେ ଥିବା ଧାମରା ଥାନାର ନିଜସ୍ୱ ସ୍ଥାନ ନାହିଁ। ଏହି ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଫଳ ସ୍ୱରୂପ ଏ୦.୭୦କର ସ୍ଥାନ ଗୃହ ବିଭାଗ ନାମରେ ନାମିତ ମଧ୍ୟ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ୧୯୭୫ମସିହା ପୂର୍ବରୁ ଧାମରାରେ ଆଇନ ଶୃଙ୍ଖଳା ସ୍ଥିତି ଚିନ୍ତା ଜନକ ଥିବା ବେଳେ ରାଜ୍ୟ ସରକାର ୧୯୭୬ ମସିହାରେ ଧାମରାରେ ଫାଣ୍ଡି ଖୋଲାଯାଇଥିଲା। ପ୍ରଥମେ ବାଣିଜ୍ୟ ବିଭାଗର ଗୃହରେ ଏବଂ ୨୦୧୫ ମସିହାରେ ଏକ ନୂତନ ସ୍ଥାୟୀ ଅଫିସ ନିର୍ମାଣ କରାଯାଇ ଧାମରା ସାମୁଦ୍ରିକ ଥାନା ପରିସରକୁ ଏହାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ୨୦୧୮ ମସିହାରେ ଗୃହ ବିଭାଗର ଆଦେଶ ମୁତାବକ (ଚିଠି ନଂ ଡିଏଆଇ/ସିଆରଟିଏନ-୦୦୦୫-୨୦୧୮) ଧାମରା ଠାରେ ଥିବା ଧାମରା ଫାଣ୍ଡି ଧାମରା ଥାନାକୁ ରୂପାନ୍ତରିତ ହୋଇଥିଲା। ୨୦୧୮ ମସିହା ନଭେମ୍ବର ୧୩ ତାରିଖ ଦିନ ଏହି ନୂତନ ଥାନାକୁ ଧାମରା ଠାରୁ ୬ କି.ମି ଦୂରରେ ଥିବା ଦୋସିଙ୍ଗା ଠାରେ ଆଦାନୀ ବନ୍ଦରର ଏକ ଗୃହରେ ନୂତନ ଅଫିସ ଖୋଲା ଯାଇଥିଲା। ୨୦୨୧ ମସିହାରେ ଆଦାନୀ କର୍ତୁପକ୍ଷ ପୁନଶ୍ଚ ଧାମରା ଥାନାକୁ ଅନ୍ୟ ଏକ ଗୃହକୁ ସ୍ଥାନାନ୍ତରିତ କରିଥିଲେ। ଏ ନେଇ ନ୍ୟୁଜରେ ଖବର ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ନରସିଂହ ପ୍ରସାଦ ମୌଜାରେ ପ୍ଲଟ ନଂ ୩୪୪/୧୦୬୦ ରେ ୭୦ଡିସିମିଲ ସ୍ଥାନ ଗୃହ ବିଭାଗ ନାମରେ ନାମିତ କରିଛନ୍ତି। ଏହାର ରେକର୍ଡ ସଂଶୋଧନ କରିବା ସହ ଦାଖଲ ଖାରଜ କେସ ନଂ ୧୧୬୫୬/୨୦୨୬ ରେ ଏହାର ସ୍ଥାୟୀ ପଟା ମଧ୍ୟ କରିଛନ୍ତି। ଏହାର ସମସ୍ତ ରେକର୍ଡ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଅବଗତି ନିମନ୍ତେ ପଠାଇଛନ୍ତି। ପୂର୍ବରୁ ଏହି ଥାନାର ନିଜସ୍ୱ ଗୃହ ନଥିବା ବେଳେ ଥାନାର ସ୍ଥାୟୀ କୋଠାଘର ଅସ୍ଥାୟୀ ଅଥବା ବେସରକାରୀ ସ୍ଥାନରେ ନିର୍ମାଣ ଅସମ୍ଭବ ବୋଲି ଭଦ୍ରକ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ନିଜର ପ୍ରତିକ୍ରିୟା ରଖିଥିଲେ। ବର୍ତମାନ ସ୍ଥିତିରେ ଧାମରା ଥାନାର ପଟା ଜାଗା ମିଳିବା ପରେ କେବେ ଗୃହ ବିଭାଗ ନିଜର ସ୍ଥାୟୀ ଘର ନିର୍ମାଣ କରିବା ସହ ଆଦାନୀ ଦୟାରେ ଚାଲୁଥିବା ଧାମରା ଥାନା କେବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ତାହାକୁ ନେଇ ଚର୍ଚା।








