ad
ଓଡ଼ିଶା

ସାରାଦେଶରେ ୩୦ ଜୁନ ୨୦୨୦ ସୁଦ୍ଧା କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା’

– କୁପୋଷଣ ନିରାକରଣ ଯୋଜନାରେ ସାମିଲ ହେବେ ଓଡ଼ିଶା ସମେତ ୧୫ଟି ରାଜ୍ୟ
– ଆଧାର କାର୍ଡ ଓ ରାସନ ସଂଯୋଗ ପ୍ରକ୍ରିୟା ଚୁଡ଼ାନ୍ତ ପର୍ଯ୍ୟାୟରେ
– ଦେଶର ଯେକୌଣସି ସ୍ଥାନରୁ ହିତାଧିକାରୀଙ୍କୁ ମିଳିପାରିବ ଖାଦ୍ୟ ଶସ୍ୟ

ନୂଆଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଶ୍ୱାନ କହିଛନ୍ତି ଯେ ସାରା ଦେଶରେ ସମସ୍ତ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡ଼ିବା ଏବଂ ପଏଂଟ ଅଫ ସେଲ (ପିଓଏସ) ଜରିଆରେ ସମଗ୍ର ଖାଦ୍ୟ ଶସ୍ୟ ବଂଟନ ବ୍ୟବସ୍ଥାକୁ ସଂଗଠିତ କରିବା କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।

ବର୍ତମାନ ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ଖାଦଶସ୍ୟ ବଂଟନ ପାଇଁ ଶତପ୍ରତିଶତ ପିଓଏସ ମେସିନ ବ୍ୟବସ୍ଥା କରାଯିବା ସହିତ ଏଠାକାର ସବୁ ପିଡିଏସ ଦୋକାନରେ ଇଂଟରନେଟ ସଂଯୋଗ କାର୍ଯ୍ୟ ଶେଷ ହୋଇଛି। ବର୍ତମାନ ଏହି ରାଜ୍ୟଗୁଡ଼ିକରେ ଜଣେ ହିତାଧିକାରୀ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ସାଧାରଣ ବଂଟନ ବ୍ୟବସ୍ଥା କେନ୍ଦ୍ରରୁ ଖାଦ୍ୟ ଶସ୍ୟ ନେଇପାରିବେ। ଶ୍ରୀ ପାଶ୍ୱାନ ଆହୁରି କହିଥିଲେ ଯେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର ହିତାଧିକାରୀମାନେ ପରସ୍ପରର ରାଜ୍ୟରେ ଥିବା ଯେକୌଣସି ପିଡିଏସ କେନ୍ଦ୍ରରୁ ଯେପରି ସାମଗ୍ରୀ ପାଇପାରିବେ ସେ ବ୍ୟବସ୍ଥା କରାଯାଉଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ “ଏକ ରାଷ୍ଟ୍ର ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବା ଲାଗି ଯୁଦ୍ଧକାଳୀନ ଭିତିରେ କାମ କରାଯାଉଛି। ଏଥିପାଇଁ ସମସ୍ତ ରାସନ କାର୍ଡ ତଥ୍ୟକୁ ଗୋଟିଏ ସର୍ଭରରେ ସଂରକ୍ଷିତ କରି ରଖାଯିବ। ଫଳରେ ୩୦ ଜୁନ ୨୦୨୦ ସୁଦ୍ଧା ଦେଶର ଯେକୌଣସି ସ୍ଥାନରେ ଥିବା ପିଡିଏସ କେନ୍ଦ୍ରରୁ ଜଣେ ହିତାଧିକାରୀ ନିଜର ଖାଦ୍ୟଶସ୍ୟ ପାଇପାରିବେ।

ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସମେତ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), କେନ୍ଦ୍ରୀୟ ଭଣ୍ଡାରଣ ନିଗମ (ସିଡବ୍ଲ୍ୟୁସି) ଏବଂ ରାଜ୍ୟ ଭଣ୍ଡାରଣ ନିଗମ (ଏସଡବ୍ଲୁସି)ଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହ ୨୭ଜୁନରେ ଏକ ବୈଠକରେ ଏହି କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବୈଠକରେ ପ୍ରବାସୀ ଲୋକମାନଙ୍କୁ ରାସନ କାର୍ଡ ବଂଟନ କାର୍ଯ୍ୟ ଦୁଇ ମାସ ମଧ୍ୟରେ ସାରିବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ ନିର୍ଦ୍ଦେଶ ଦେଇଥିଲେ। ଅଧିକ ସଂଖ୍ୟକ ପ୍ରବାସୀ ନାଗରିକ ରହୁଥିବା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ମହାରାଷ୍ଟ୍ରର ଅନ୍ୟ ସହରଗୁଡ଼ିକରେ ଏହି କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ସେ କହିଥିଲେ।

ମନ୍ତ୍ରୀ କହିଥିଲେ ଯେ ସମଗ୍ର ସାଧାରଣ ବଂଟନ ବ୍ୟବସ୍ଥାକୁ ଡିପୋ ଅନଲାଇନ ସିଷ୍ଟମ (ଡିଓଏସ) ସହ ସଂଯୋଗ କରିବା କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି। ଏହା ହୋଇଯିବା ଫଳରେ ଜାତୀୟ ଖାଦ୍ୟ ନିରପତା ଆଇନର କାର୍ଯ୍ୟାନ୍ୱୟନ ସହଜ ହେବ ଏବଂ ଖାଦ୍ୟ ଶସ୍ୟର ଭଣ୍ଡାରଣ ଏବଂ ବଂଟନ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ କରିବ। ଚାରି ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ସହିତ ଡିଓଏସର ମିଶ୍ରଣ ପାଇଁ ଏଫସିଆଇ ଗେଟୱେ ପ୍ରଦାନ କରିବ। ଏହାପରେ, ଦୁଇ ମାସ ମଧ୍ୟରେ, ରାଜ୍ୟଗୁଡ଼ିକ ସେମାନଙ୍କ ଭଣ୍ଡାରଣ ପରିଚାଳନା ବ୍ୟବସ୍ଥାକୁ ଡିଓଏସ ସହିତ ମିଶାଇବେ। ଏହି କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ନିରନ୍ତର ସମୀକ୍ଷା କରିବା ଲାଗି କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଶ୍ରୀ ପାଶ୍ୱାନ ଆହୁରି କହିଥିଲେ ଯେ ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ଦ୍ୱାରା କରାଯାଉଥିବା କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଏଫସିଆଇ, ସିଡବ୍ଲୁସି, ଏସଡବ୍ଲୁସି ଓ ଘରୋଇ ଭଣ୍ଡାର ଗୃହରେ ସଂରକ୍ଷିତ ପାଖାପାଖି ୬୧୨ ଲକ୍ଷ ଟନ ଖାଦ୍ୟ ଶସ୍ୟକୁ ବାର୍ଷିକ ୮୧ ଲକ୍ଷ ହିତାଧିକାରୀଙ୍କ ନିକଟକୁ ପହଁଚାଇବାରେ ସଫଳ ହେଉଛି। ଶ୍ରୀ ପାଶ୍ୱାନ କହିଥିଲେ ଯେ ଖାଦ୍ୟଶସ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ଏହାର ବଂଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଦକ୍ଷତା ବୃଦ୍ଧି ପାଇବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରହିବା ସହିତ ଦୁର୍ନୀତିକୁ ରୋକା ଯାଇପାରିବ।

ଏଫସିଆଇ ପକ୍ଷରୁ ୫୬୩ଟି ଭଣ୍ଡାର ଏବଂ ସିଡବ୍ଲସି ପକ୍ଷରୁ ୧୪୪ଟି ଡିପୋରେ ଡିପୋ ଅନଲାଇନ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ଏହାଛଡ଼ା, ଏଫସିଆଇ ଦ୍ୱାରା ସଂଗ୍ରହ କରାଯାଉଥିବା ଖାଦ୍ୟଶସ୍ୟର ତଥ୍ୟକୁ ଅନଲାଇନ କରାଯାଇଛି। ଅନ୍ୟପଟେ ଅଧିକାଂଶ ରାଜ୍ୟରେ କ୍ରୟ, ଭଣ୍ଡାରଣ ଏବଂ ବଂଟନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି।

ଶ୍ରୀ ପାଶ୍ୱାନ ଆହୁରି ଗୁରୁତ୍ୱାରୋପ କରି କହିଥିଲେ ଯେ ଏଫସିଆଇ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ବାଧାମୁକ୍ତ ଅନଲାଇନ ସୂଚନା ପ୍ରବାହ ରହିବା ଆବଶ୍ୟକ। ତେଣୁ ଏହାର ସମ୍ମିଶ୍ରଣ ଆବଶ୍ୟକତା ରହିଛି ଯାହାଦ୍ୱାରା ସାରା ଦେଶରେ କ୍ରୟ ଏବଂ ବିତରଣ ଉପରେ ସଠିକ ସୂଚନା ଉପଲବ୍ଧ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏପରି ସମସ୍ତ ଗୁଣାତ୍ମକ ଏବଂ ମାତ୍ରାତ୍ମକ ସୂଚନା ସଂଗୃହିତ କରିବା ଲାଗି ଏକ ପ୍ରଣାଳୀ ବିକଶିତ କରାଯିବା ଆବଶ୍ୟକ, ଯାହାକୁ ‘ଅନ୍ନବିତରଣ’ ପୋର୍ଟାଲ ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଡ୍ୟାଶବୋର୍ଡ ଜରିଆରେ ଆକ୍ସେସ କରାଯାଇପାରିବ। ଏହାକୁ ସେ ବ୍ୟକ୍ତିଗତ ଭାବେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ସକାଳ ବୈଠକ ସମୟରେ ଅନୁଧ୍ୟାନ କରିପାରିବେ।

କୁପୋଷଣ ସମସ୍ୟାର ସମାଧାନ ସମ୍ପର୍କରେ ଅନ୍ୟ ଏକ ପ୍ରମୁଖ ଘୋଷଣା କରାଯାଇଥିଲା। ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ‘ସାଧାରଣ ବଂଟନ ପ୍ରଣାଳୀ ଅନ୍ତର୍ଗତ ଚାଉଳର ସୁଦୃଢ଼ିକରଣ ଏବଂ ଏହାର ବିତରଣ’ ଲାଗି ଏକ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଲଟ ଯୋଜନା ଭାବେ କାର୍ଯ୍ୟକାରୀ କରିବ। ଏହି ଯୋଜନାକୁ ୧୪ ଫେବୃଆରୀ ୨୦୧୯ରେ ପ୍ରଶାସନିକ ଅନୁମୋଦନ ମିଳିଥିଲା। ପାଇଲଟ ଯୋଜନାକୁ ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ପ୍ରାରମ୍ଭିକ ତିନି ବର୍ଷର ଅବଧି ଲାଗି ୧୪୭.୬୧ କୋଟି ଟଙ୍କାର ମୋଟ ବଜେଟ ବ୍ୟୟବରାଦ ସହିତ ଅନୁମତି ଦିଆଯାଇଛି। ଭାରତ ସରକାରଙ୍କ ଦ୍ୱାରା ଉତର-ପୂର୍ବାଂଚଳ, ପାର୍ବତ୍ୟ ଏବଂ ଦ୍ୱୀପାଂଚଳ ରାଜ୍ୟଗୁଡ଼ିକ ପାଇଁ ୯୦:୧୦ରେ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ୭୫:୨୫ ଆଧାରରେ ପାଇଲଟ ଯୋଜନା ଲାଗି ଅର୍ଥ ଯୋଗାଣ କରାଯିବ।

ପାଇଲଟ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ୧୫ଟି ରାଜ୍ୟରୁ ଗୋଟିଏ ଲେଖାଏଁ ଜିଲ୍ଲାକୁ ନେଇ ମୋଟ ୧୫ଟି ଜିଲ୍ଲା ଚୟନ କରାଯିବାକୁ ନିଷ୍ପତି ହୋଇଛି। ବର୍ତମାନ ୯ଟି ରାଜ୍ୟ ଏହି ଯୋଜନାକୁ ଆରମ୍ଭ କରିବା ଲାଗି ସହମତି ବ୍ୟକ୍ତ କରିଛନ୍ତି ଏବଂ ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଉତର ପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ ଏବଂ ଆସାମ। ଅବଶିଷ୍ଟ ରାଜ୍ୟଗୁଡ଼ିକରୁ ଜିଲ୍ଲାଗୁଡ଼ିକ ଚୟନ କରିବା ଏବଂ ଚାଉଳରେ ପୋଷକ ତତ୍ୱର ମିଶ୍ରଣ ଲାଗି ଏଜେନ୍ସି/ମିଲ ଚୟନ କରିବା ଲାଗି ଅନୁରୋଧ କରାଯାଇଛି। ଏହାକୁ ସରକାରଙ୍କ ୧୦୦ ଦିନର ଏଜେଣ୍ଡାରେ ରଖାଯାଇଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତଥା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ମଧ୍ୟାହ୍ନ ଭୋଜନ ଯୋଜନା ଜରିଆରେ ପୋଷକ ତତ୍ୱ ମିଶ୍ରିତ ଚାଉଳ ଉପଲବ୍ଧ କରାଉଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top