ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ଗୁରୁବାର ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ଓ ଭିତିପ୍ରସ୍ତର ସ୍ଥାପନ କରିବେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପ୍ରଶାସନିକ ସୂଚନା ଅନୁଯାୟୀ କ୍ରିକେଟ୍ ପଡିଆର ବିକାଶ, ପରିବର୍ତନ କକ୍ଷ ସହ ପାଭିଲିଅନ ଭବନ ଓ ୨ ହଜାର ଆସନ ବିଶିଷ୍ଟ ଦର୍ଶକ ଗ୍ୟାଲେରୀ ନିର୍ମାଣ କରାଯିବ। ଏହାବ୍ୟତୀତ ବାହ୍ୟ କ୍ରୀଡା ପ୍ରାଙ୍ଗଣ ଯେଉଁଠାରେ ଭଲିବଲ୍ କୋର୍ଟ, ୨ଟି କବାଡି କୋର୍ଟ, ୨ଟି କ୍ରିକଟେ୍ ଅଭ୍ୟାସ୍ ପିଚ୍ର ଭିତିଭୂମି ନିର୍ମାଣ ହେବ। ଏହି ସମାରୋହରେ ଭଦ୍ରକ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ ଓ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଏହାପୂର୍ବରୁ ଅର୍ଥାତ୍ ବିଜେଡି ସରକାରଙ୍କ ସମୟରେ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୨୦୨୨ ମସିହାରେ ନେହେରୁ ଷ୍ଟାଡିୟମ୍ର ପରିସରରେ କ୍ରିକେଟ୍, ଭଲିବଲ୍, ବାସ୍କେଟବଲ୍ ଓ ଜିମ୍ ପ୍ରତିଷ୍ଠା ସହ ଗ୍ୟାଲେରୀର ସେଡ୍ ନିର୍ମାଣ ପାଇଁ ୩ କୋଟି ଟଙ୍କା ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା। ପୂର୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ଖେଳ ପଡିଆର ଉନ୍ନତିକରଣ ବାବଦରେ ୧ କୋଟି ୬୦ ଲକ୍ଷ ଟଙ୍କାର ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଭଣ୍ଡାରିପୋଖରୀ ଅଂଚଳର ଏକ ଠିକାଦାରୀ ସଂସ୍ଥା ଏହାର ଉନ୍ନତିକରଣ ଦାୟିତ୍ୱ ନେଇଥିଲେ। ତେବେ ନିର୍ମାଣ କାର୍ଯ୍ୟର ଦୁଇବର୍ଷ ପରେ ଷ୍ଟାଡିୟମ୍ କେବଳ ଯଥା ପୂର୍ବଂ ତଥା ପରଂ ହୋଇନାହିଁ। ବରଂ ବର୍ଷାଦିନରେ ଜଳାର୍ଣ୍ଣବ ହୋଇପଡୁଛି। ଷ୍ଟାଡିୟମ୍ର ଜଳ ନିଷ୍କାସନ ପାଇଁ ପରିକଳ୍ପିତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳରେ ସଂପୂର୍ଣ୍ଣ ଷ୍ଟାଡିୟମ୍ଟି ଏକ ପୋଖରୀର ଭ୍ରମ ସୃଷ୍ଟି କରୁଛି। ନିର୍ମାଣ ଦାୟିତ୍ୱ ନେଇଥିବା ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ୩ କୋଟି ଟଙ୍କାରେ କରାଯାଇଥିବା ପଡିଆର ଉନ୍ନତିକରଣ କେବଳ ଠିକାଦାରଙ୍କୁ ପୋଷିବା ସାର ହୋଇଛି। କ୍ରିକେଟ୍, ବାସ୍କେଟବଲ୍, ଭଲିବଲ୍ର ଫିଲଡ୍ ହେଲାନାହିଁ, ସେ ଜାଗାରେ ବର୍ଷାଜଳ ଲହଡି ମାରୁଛି। ପଡିଆର ଉନ୍ନତିକରଣ ପାଇଁ ମୁଖ୍ୟତଃ କ୍ରିକେଟ୍ ଗ୍ରାଉଣ୍ଡ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ବାହାର ଜିଲାରୁ ଓ ଅନ୍ୟ ରାଜ୍ୟରୁ ନିମ୍ନମାନର ଘାସ ଓ ମାଟି ମଗାଯାଇ ପିଚ୍ ନିର୍ମାଣ କରାଯାଇଥିଲା। ଯାହାକି ଏବେ ତାହାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ବାସ୍କେଟବଲ୍ ଓ ଭଲିବଲ୍ ଗ୍ରାଉଣ୍ଡ ଅଦ୍ୟାବଧି ନିର୍ମାଣ ହୋଇନାହିଁ। କେବଳ ଜିମ୍ର ବିଲ୍ଡିଂ ଟି ପୂର୍ତ ବିଭାଗ ନିର୍ମାଣ କରି ଛିଡା କରିଦେଇଛି। ଅପରପକ୍ଷରେ ଗ୍ୟାଲେରୀରେ ସେଡ୍ ନିର୍ମାଣ ପାଇଁ ଅବଶିଷ୍ଟ ଅର୍ଥ କୋଟେସନ ଜରିଆରେ ଏକ ଠିକାଦାରୀ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏହି ସେଡ୍ ଗୁଡିକ ବାତ୍ୟାରେ ଉଡି ଧରାଶାୟୀ ହୋଇପଡିଲା। ଏହି ସେଡ୍ ବାବଦରେ ବ୍ୟୟ କରାଯାଇଥିବା ୧ କୋଟି ୩୦ ଲକ୍ଷର ହିସାବ କିତାବ ଅଦ୍ୟାବଧି ପୂର୍ତ ବିଭାଗ ଅନ୍ଧାରରେ ରଖିଛି। ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଏବେ ଷ୍ଟାଡିୟମ୍ଟିର ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ତ ବିଭାଗର ଏହି ଉନ୍ନତିକରଣ କାର୍ଯ୍ୟକୁ ‘ସରକାରୀ କା ମାଲ, ଦରିଆ ମେ ଡାଲ’ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଶେଷକରି ଷ୍ଟାଡିୟମ୍ଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବାରୁ ଷ୍ଟାଡିୟମ୍କୁ ସଂଯୋଗ କରୁଥିବା ଡ୍ରେନ୍ଗୁଡିକ ଆବଶ୍ୟକ ମରାମତି ଅଭାବରୁ ଏଭଳି ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହେଉଛି। ଏ ନେଇ କ୍ରୀଡାବିତ୍ ମାନଙ୍କୁ ଏହା କ୍ଷୁବ୍ଧ କରିଛି। ବିଜେପି ସରକାର ଆସିବା ପରେ ରାଜ୍ୟ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରୀ ଜିଲାପାଳଙ୍କ ସହ ଷ୍ଟାଡିୟମ୍ ପରିଦର୍ଶନରେ ଆସି ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଆସନ୍ତାକାଲି କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ପୂର୍ବ ସରକାର ଅମଳରେ ଷ୍ଟାଡିୟମ୍ର ଉନ୍ନତିକରଣ ଓ ବିକାଶ ପାଇଁ ମିଳିଥିବା ପାଖାପାଖି ୩ କୋଟି ଟଙ୍କା ସରକାରୀ ଆର୍ଥିକ ଅନୁଦାନର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା ୩ କୋଟି ସରକାରୀ ଅର୍ଥ ପାଣିରେ ପଡିଲା,ପୁଣି ଆଜି ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣର...








