Home Top News ହୁ’ ହୁ’ ହୋଇ ବଢ଼ି ଚାଲିଛି ତେଲ ଦର; ନିଜ ବିଭାଗ କଥା ଛାଡ଼ି ଅନ୍ୟସବୁ...

ହୁ’ ହୁ’ ହୋଇ ବଢ଼ି ଚାଲିଛି ତେଲ ଦର; ନିଜ ବିଭାଗ କଥା ଛାଡ଼ି ଅନ୍ୟସବୁ ବିଭାଗ କଥା କହୁଛନ୍ତି ମନ୍ତ୍ରୀ: ବାହାନା ଛାଡ଼ ଷ୍ଟକ୍ କୁଆଡ଼େ ଗଲା କୁହ ..

95

ଭୁବନେଶ୍ୱର: ହୁ’ ହୁ’ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଆଉ ଡିଜେଲ ଦର। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଉଛି। ତେଲ ବୃଦ୍ଧିକୁ ନେଇ ଅତିଷ୍ଠ ହୋଇ ପଡ଼ିଲେଣି ସାଧାରଣ ଜନତା। ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ନିଜ ବଜେଟ ଭାଷଣରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିବା ପରେ ନିଜ ଦଳର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ, ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହ ଭାରତର ତୁଳନା କରି ଏକ ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଥିଲେ। ସୁବ୍ରମଣ୍ୟମ ସ୍ୱାମୀ ନିଜ ଦଳର ସରକାରଙ୍କୁ କଟାକ୍ଷ କରି ଏକ ଟ୍ୱିଟ୍ କରିଥିଲେ, ପେଟ୍ରୋଲ ₹ ୯୩ ରାମଙ୍କ ଭାରତରେ, ₹ ୫୩ ସୀତାଙ୍କ ନେପାଳରେ ଆଉ ₹ ୫୧ ରାବଣର ଲଙ୍କାରେ! କିନ୍ତୁ, ତେଲ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରାଗଲେ ରାଜ୍ୟରେ ଭାଟ ଛାଡ଼ କଥା କହି ସେମାନେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି। କିନ୍ତୁ କେନ୍ଦ୍ର ନେଉଥିବା ଟ୍ୟାକ୍ସ କଥା ଏଡ଼ାଇ ଦେଉଛନ୍ତି। ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି, କରୋନା ଭାଇରସ୍ ମହାମାରୀ କାରଣରୁ ତୈଳ ଉତ୍ପାଦନକାରୀ ଦେଶରେ ଉତ୍ପାଦନ କମ୍ ଥିବାରୁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ନିମ୍ନ ଉତ୍ପାଦନ ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ସୃଷ୍ଟି କରିଛି। ତୈଳମନ୍ତ୍ରୀ କହୁଛନ୍ତି, ତୈଳ ଉତ୍ପାଦନକାରୀ ଦେଶ ଗୁଡ଼ିକ କରୋନା ଭାଇରସ୍ ମହାମାରୀ ସମୟରେ ଉତ୍ପାଦନ ବନ୍ଦ କରିଦେଲେ କିମ୍ବା ଉତ୍ପାଦନ ହ୍ରାସ କରିଦେଲେ। ଚାହିଦା ଏବଂ ଯୋଗାଣରେ ଏହି ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ଦେଖାଗଲା। କିଛି ମାସ ପୂର୍ବେ ଅଶୋଧିତ ତୈଳ ମୂଲ୍ୟ USD ୩୫ – ୩୮ ଡଲାର ଥିଲା ଯାହା USD ୫୪ – ୫୫ ଡଲାରକୁ ବୃଦ୍ଧି ପାଇଛି। ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଚାହିଦା ୧ ପ୍ରତିଶତରୁ କମ୍ ଥିବା ଇଥାନଲ ଉତ୍ପାଦନ ଚଳିତ ବର୍ଷ ୯ ପ୍ରତିଶତରେ ପହଞ୍ଚିବାକୁ ବସିଛି ବୋଲି ତୈଳମନ୍ତ୍ରୀ କହୁଛନ୍ତି। “ଆମର ମୌଳିକ ଆହ୍ୱାନ ହେଉଛି ଆମର ଆବଶ୍ୟକତାର ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିବାକୁ ପଡ଼ିବ, ବ୍ୟବହାର ବୃଦ୍ଧି ପାଉଛି। ଶକ୍ତି ବ୍ୟବହାରରେ ଭାରତ ତୃତୀୟ ସ୍ଥାନରେ ରହିଛି ବୋଲି ତୈଳ ମନ୍ତ୍ରୀ କହୁଛନ୍ତି।

ତେବେ, ଏଠାରେ ଆମେ ଗୋଟେ କଥା ମନେ ପକାଇ ଦେବାକୁ ଚାହୁଁଛୁ, କିଛି ଦିନ ତଳେ ଆମେ “କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଦୂରଦୃଷ୍ଟି” ଶୀର୍ଷକ ଏକ ଖବର ପ୍ରକାଶ କରିଥିଲୁ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଅନୁଭବ କରି ଆମେ ତାହା ପ୍ରକାଶନ କରିଥିଲୁ। ବିଭିନ୍ନ ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ତେଲ କାରବାର ବହୁ ମାତ୍ରାରେ ହ୍ରାସ ପାଇଥିଲା। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବହୁତ ଶସ୍ତା ହୋଇଥିବାରୁ ତାହାର ଲାଭ ଉଠାଇବାକୁ ଚାହିଁଥିଲା ଭାରତ। ତେଲ କିଣି ତାହାକୁ ଜାହାଜ ଭିତରେ ମହଜୁଦ ରଖିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲା ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଜରିଆରେ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତୈଳ କମ୍ପାନୀ ଗୁଡ଼ିକ ସୁଲଭ ମୂଲ୍ୟରେ ପ୍ରାୟ ୭ ନିୟୁତ ତୈଳ କିଣିଥିଲେ। ଦେଶର ଆବଶ୍ୟକତାର ୨୦% ତୈଳ ଗଚ୍ଛିତ ରଖାଯାଇଥିଲା। ଏହା ଦ୍ବାରା ତୈଳ ଆମଦାନି ବିଲ୍‌ କମ୍ ହେବ। ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

ଭାରତର ମୋଟ ତୈଳ ସଂରକ୍ଷଣ କ୍ଷମତା ଏବେ ୩୯୮ ନିୟୁତ ଟନ୍ ରହିଥିଲା। ଏହା ୧୮- ୨୦ ପ୍ରତିଶତ ଚାହିଦା ସହ ସମାନ। ଭାରତରେ ଦୈନିକ ୪.୫ ନିୟୁତ ବ୍ୟାରେଲ ତୈଳ ବିକ୍ରି ହୁଏ। ମାତ୍ର କରୋନା ସଙ୍କଟ ଆରମ୍ଭ ହେବା ପରେ ପେଟ୍ରୋଲ ଓ ଡିଜେଲ୍‌ର ବିକ୍ରି ବହୁତ କମିଯାଇଥିଲା। ତୈଳ ସଂରକ୍ଷିତ ରଖିବା ଲାଗି ଦେଶରେ ୫ ନିୟୁତ ଟନ୍‌ର ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଏବଂ ସେଥିରେ ୩ ନିୟୁତ ଟନ୍ ତୈଳ ଥିବା ବେଳେ ଆଉ ୨ ନିୟୁତ ଟନ୍ ତୈଳ ରଖିବା ଲାଗି ଫାଙ୍କା ସ୍ଥାନ ରହିଥିଲା। ୨୦୨୦ ଫେବ୍ରୁଆରି ମାସରୁ ତେଲ ଦର କମିବା ଆରମ୍ଭ ହେବା ପରେ ସେହି ଫାଙ୍କା ସ୍ଥାନରେ ତେଲ ଷ୍ଟକ୍ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତୈଳ କିଣିବା ଲାଗି ବଜେଟ୍‌ରେ ୬୯୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସରକାର ଆଉ ୩୧୮୪ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। କରୋନା ଭୂତାଣୁର ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ତୈଳ ଚାହିଦା ୭୦ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ତୈଳ ବିଶୋଧନ ହେଉଥିବା କାରଖାନାରେ ଉତ୍ପାଦନ କମ୍ କରାଯାଇଥିଲା ଏବଂ ତୈଳ ‌ରଖିବା ଲାଗି ଯେତିକି ସ୍ଥାନ ଥିଲା ତାହା ଭର୍ତ୍ତି ହୋଇଯିବା ପରେ ଅବଶିଷ୍ଟ ତୈଳକୁ ମହଜୁଦ ରଖିବା ଲାଗି କମ୍ପାନୀ ଗୁଡ଼ିକ ଜାହାଜକୁ ବ୍ୟବହାର କରୁଥିଲେ। ଯେଉଁ ଜାହାଜରେ ତେଲ ଆସୁଥିଲା, ସେଗୁଡ଼ିକ ବନ୍ଦରରେ ସେହିପରି ଠିଆ ହୋଇ ରହୁଥିଲା। ସେଥିରୁ ତେଲ କଢ଼ା ଯାଉନଥିଲା। ଯେତେବେଳେ ଆବଶ୍ୟକ ହେବ କିମ୍ବା ତୈଳ ସଂରକ୍ଷଣ ଲାଗି ଥିବା ବ୍ୟବସ୍ଥା ଗୁଡ଼ିକରେ ଫାଙ୍କା ସ୍ଥାନ ସୃଷ୍ଟି ହେବ ସେବେ ଜାହାଜରୁ ତେଲ କଢ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ‌ତୈଳ ବଜାର ସ୍ଥିତିକୁ ନେଇ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବ ଓ ୟୁଏଇ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ସାତ ନିୟୁତ ଟନ୍ ତୈଳ ପାଇଁ ବରାଦ ଦିଆଯାଇଥିଲା। ୨୦୨୦ ଜାନୁଆରୀରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୫ ଡଲାର ଥିଲା। କିନ୍ତୁ ସାଉଦିରୁ ମଗା ଯାଇଥିବା ତେଲକୁ ବ୍ୟାରେଲ ପିଛା ୨୧ ଡଲାରରେ କିଣିବା ନିଷ୍ପତ୍ତି ହୋଇଥିଲା। ଯାହା ଫଳରେ ୫୦୦୦ କୋଟି ଟଙ୍କା ସଞ୍ଚୟ ହେବ। ଏହା ବ୍ୟତୀତ ୨୦୨୦ ମାର୍ଚ୍ଚ- ଏପ୍ରିଲ୍ ଭିତରେ ତୈଳ କମ୍ପାନୀ ଗୁଡ଼ିକ ୮ ନିୟୁତରୁ ଅଧିକ ତେଲ ମଗାଇଥିଲେ। ସେଥିରେ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଥିଲା। ୨୦୨୦ ମାର୍ଚ୍ଚ ମାସରେ ମଗାଯାଇଥିବା ତେଲର ବ୍ୟାରେଲ ପିଛା ଦାମ୍ ୩୩.୩୬ ଡଲାର ଥିଲା। ଏପ୍ରିଲ୍‌ରେ ତାହା ୧୯.୯ ଡଲାରକୁ ହ୍ରାସ ପାଇଥିଲା। ତେଲ ଶସ୍ତା ହେବାରୁ ଜାନୁଆରୀ ମାସର ଦର ତୁଳନାରେ ଭାରତ ପ୍ରାୟ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିଛି ବୋଲି କୁହାଯାଇଥିଲା।

ତେବେ, ଏବେ ସେହି ଷ୍ଟକ୍ ଗଲା କୁଆଡ଼େ? ମହଜୁଦ ରଖାଯାଇଥିବା ତେଲ ଦ୍ୱାରା ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇ ଥିଲା। ତୈଳଦର ବୃଦ୍ଧି ନେଇ ଅତିଷ୍ଠ ହୋଇ ପଡ଼ିଲେଣି ସାଧାରଣ ଜନତା। ଏଥିରେ ମନ୍ତ୍ରାଳୟ ନିଜ ବିଭାଗର ଦାୟିତ୍ୱ ତୁଲାଇ ନପାରି ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ଅଯଥା ଚିନ୍ତା କରୁଛି କାହିଁକି? ମୋଦି ସରକାରରେ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଏପରି ଏକ ମନ୍ତ୍ରୀ ଯାହାଙ୍କୁ ତାଙ୍କ ନିଜ ବିଭାଗ କଥା ପଚାରିଲେ ସେ ତା’ର କମ୍ ଉତ୍ତର ଦେଇ ଅନ୍ୟାନ୍ୟ ସମସ୍ତ ବିଭାଗ କଥାରେ ଅନାବଶ୍ୟକ ମୁଣ୍ଡ ପୁରାଇ ଉତ୍ତର ଦିଅନ୍ତି। ତେଲ ଦର ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଆତ୍ମପ୍ରଚାର ପାଇଁ ପେଟ୍ରୋଲିୟମ ବିଭାଗ ଅର୍ଥ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରନ୍ତି। ନିଜ ବିଭାଗ କଥା ନବୁଝି, ମୋଦି ସରକାରଙ୍କର ପୁର୍ବୋଦୟ ବିକାଶ ଯୋଜନାରେ ଯେ କୌଣସି ବିଭାଗ କ୍ଷେତ୍ରରେ ଓଡ଼ିଶା ପ୍ରତି ରହୁଥିବା ଅନୁଦାନ ପାଇଁ ନିଜକୁ ନିଜେ ତୁଚ୍ଛା ଶ୍ରେୟ ଦିଅନ୍ତି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.