Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରା ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ ସାଙ୍କେତିକ ପଦଯାତ୍ରା

ଭଦ୍ରକରେ ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରା ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ ସାଙ୍କେତିକ ପଦଯାତ୍ରା

2

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ପିସ୍ ଫାଉଣ୍ଡେସନ୍‌, ଭଦ୍ରକ ପକ୍ଷରୁ ମହତ୍ମା ଗାନ୍ଧୀଙ୍କ ୧୯୩୪ ମସିହାର ଐତିହାସିକ ହରିଜନ ପଦଯାତ୍ରାର ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଗାନ୍ଧୀଜୀ ୧୯୩୪ ମସିହା ଜୁନ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ହରିଜନ ପଦଯାତ୍ରା କରିଥିଲେ ଏବଂ ଗାନ୍ଧୀ ବାଳାଶ୍ରମରେ ତିନି ଦିନ ଅବସ୍ଥାନ କରି ଅସ୍ପୃଶ୍ୟତା ନିବାରଣ ଓ ହରିଜନ(ବର୍ତମାନର ଅନୁସୁଚିତ ଜାତି) ସମୁଦାୟର ଅଧିକାର ପାଇଁ ସଂଗ୍ରାମ କରିଥିଲେ । ଏହି ଅବସରରେ ଗତ ୨ ଜୁନ ତାରିଖରେ ମଞ୍ଜୁରୀଠାରେ ଅବସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ୪ ଜୁନରେ ଆୟୋଜିତ ସ୍ମୃତିସଭାରେ ଗାନ୍ଧୀ ପିସ ଫାଉଣ୍ଡେସନର ଜାତୀୟ ସଭାପତି ଶ୍ରୀ କୁମାର ପ୍ରଶାନ୍ତ ଏବଂ ରାଜ୍ୟ ସଂଯୋଜକ ଡ଼. ବିଶ୍ୱଜିତ ରାଏ ଯୋଗଦେଇ ଗାନ୍ଧୀୟ ଦର୍ଶନ, ସାମାଜିକ ସମରସତା ଏବଂ ଅହିଂସା ଭିତିକ ସମାଜ ଗଠନରେ ଗାନ୍ଧୀ ପିସ ଫାଉଣ୍ଡେସନର ଭୂମିକା ସମ୍ପର୍କରେ ବିସ୍ତୃତ ଅଲୋଚନା କରିଥିଲେ । ସଭାରେ ଫାଉଣ୍ଡେସନର ସଭାପତି ଅଖିଳ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଆଡଭୋକେଟ୍ ପବନ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ । ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ରବିନାରାୟଣ ପାଣିଗ୍ରାହୀ, ଆମିର, ଅଜୟ ଧଳ ଏବଂ ସୀତାକାନ୍ତ ଦାସ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଝରଣା ପଟ୍ଟନାୟକ, ଜମିଲ ଅଖତର ଖାନ, ନାସିର ବକ୍ସ, ବିଦ୍ୟାଧର ବାରିକ, ଲକ୍ଷ୍ମୀକାନ୍ତ ବାରିକ, ଲଲାଟେଣ୍ଡୁ ମହାନ୍ତି, ରାଜା ରସୁଲ, ଶାନ୍ତନୁ ରାଉତ, ବିଶାଳ ଲଖାନୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ କୁମାର ପ୍ରଶାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଜ୍ଞା ଦାସ ଏବଂ ବାଳାଶ୍ରମର ଛାତ୍ରମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ” … ପରିବେଷଣ କରିଥିଲେ । ଏହି ଅବସରରେ ସମାଜର ପ୍ରେରଣାଦାୟୀ ଯୁବପିଢ଼ୀଙ୍କୁ ଗାନ୍ଧୀଜୀଙ୍କ ଜୀବନୀ, ସତ୍ୟ କଥା ସମେତ ଅନ୍ୟାନ୍ୟ ଗାନ୍ଧୀୟ ସାହିତ୍ୟ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଯୁବ ସମାଜ ମଧ୍ୟରେ ଗାନ୍ଧୀୟ ମୁଲ୍ୟବୋଧ, ସତ୍ୟ, ଅହିଂସା ଓ ସେବାଭାବକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଶେଷରେ ଦିବ୍ୟସିଂହ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ବାଳାଶ୍ରମର ଅନ୍ତେବାସୀ ଓ ଅତିଥିମାନଙ୍କ ଦ୍ୱାରା ଏକ ସାଙ୍କେତିକ ହରିଜନ ପଦଯାତ୍ରା ଆୟୋଜିତ ହୋଇଥିଲା । ଏହା ମାଧ୍ୟମରେ ଗାନ୍ଧୀଜୀଙ୍କ ସମତା, ସାମାଜିକ ନ୍ୟାୟ, ଭ୍ରାତୃତ୍ୱ ଓ ଅସ୍ପୃଶ୍ୟତାମୁକ୍ତ ସମାଜ ଗଠନର ବାର୍ତାକୁ ପୁନଃ ସ୍ମରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.