Home ଓଡ଼ିଶା ମୋଦିଙ୍କ ଜନ୍ମଦିନ ଅବସରରେ ଆୟୋଜିତ “ସେବା ସପ୍ତାହ” ଆଲୋଚନା ଚକ୍ରରେ ମତ: ନରେନ୍ଦ୍ର ମୋଦି ହେଉଛନ୍ତି...

ମୋଦିଙ୍କ ଜନ୍ମଦିନ ଅବସରରେ ଆୟୋଜିତ “ସେବା ସପ୍ତାହ” ଆଲୋଚନା ଚକ୍ରରେ ମତ: ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

87

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଗତ ସେପ୍ଟେମ୍ବର ୧୪ ତାରିଖରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ସେବା ସପ୍ତାହ। ଏଥି ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ୱେବିନାର ମାଧ୍ୟମରେ ରାଜ୍ୟରେ ୨ଟି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ୧୮ ଏବଂ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବ୍ୟକ୍ତିତ୍ୱ ଏବଂ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ୨ଟି ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଏବଂ ପ୍ରବୃଦ୍ଧ ନାଗରିକମାନେ ଯୋଗଦାନ କରି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରିଥିଲେ। ୧୮ ତାରିଖ, ପ୍ରଥମ ଦିନର ସମ୍ମିଳନୀରେ ରାଜ୍ୟର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଂଜ ଏବଂ ଢେଙ୍କାନାଳ ପ୍ରମୁଖ ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ବୁଦ୍ଧିଜୀବୀ, ନାଗରିକ, ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ କର୍ତ୍ତୃତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବକ୍ଷେତ୍ର ବିଦ୍ୟାଭାରତୀ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବାଞ୍ଚାନିଧି ପଣ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରକୃତ ରାଷ୍ଟ୍ରନାୟକ ବୋଲି ସମ୍ବୋଧନ କରିଥିଲେ। “ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ”କୁ ପାଥେୟ କରି ପ୍ରଧାନ ସେବକ ଭାବେ ଗତ ୬ ବର୍ଷ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। “ମନ କି ବାତ୍” କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ମୋଦି ଦେଶବାସୀଙ୍କ ସହ ଯୋଡ଼ି ହୋଇ ରହିବାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଦେଶର ବହୁ ଜନ ଏବଂ ଗରୀବ କଲ୍ୟାଣ ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି ଦେଶ ହିତ ଏବଂ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ କଠୋର ଏବଂ ଦୃଢ଼ ନିଷ୍ପତିକୁ ବିସ୍ତୃତ ଭାବେ ଡଃ ପଣ୍ଡା ଆଲୋଚନା କରିଥିଲେ। ରାଷ୍ଟ୍ର ସେବାରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭଳି ନିଜ ସମଗ୍ର ଜୀବନକୁ ସମର୍ପିତ କରିଛନ୍ତି, ତାହା ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ଡଃ ପଣ୍ଡା କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ସ୍ବାଗତ ଜଣାଇଥିଲେ ଏବଂ ଅନ୍ୟତମ ରାଜ୍ୟ ଉପସଭାପତି ବିଧାୟକ ନାଉରୀ ନାଏକ ଧନ୍ୟବାଦ ଜଣାଇଥିଲେ।

ସେହିପରି ୧୯ ତାରିଖରେ ଆୟୋଜିତ ଦ୍ୱିତୀୟ ଦିନର ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗ ଦେଇଥିଲେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ୱର, ପୁରୀ, ଆସ୍କା, ଗଞ୍ଜାମ ଏବଂ କନ୍ଧମାଳ ପ୍ରମୁଖ ୧୨ଟି ଲୋକସଭା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ, ନାଗରିକ ଏବଂ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ମୁଦ୍ରା ଯୋଜନା, କୋଭିଡ୍- ୧୯ ସମୟରେ ଗରୀବ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରୀତା କାରଣରୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି। ସେହିପରି ବର୍ଷ ବର୍ଷ ଧରି ଲାଗି ବିବାଦ ହୋଇ ରହିଥିବା ଧାରା ୩୭୦ ଉଚ୍ଛେଦ, ଟ୍ରିପଲ ତଲାକ ବ୍ୟବସ୍ଥା ଉଚ୍ଛେଦ, ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ପୃଥକ ରାଜ୍ୟ ଘୋଷଣା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦର ସୁସମାଧାନ କରି ଦେଶବାସୀଙ୍କ ମନ ଭିତରେ ଆଶାର ସଞ୍ଚାର ସୃଷ୍ଟି କରିଛନ୍ତି। ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବେ ଦେଶର ବିକାଶ ପାଇଁ ଏକ ନୂତନ ବାର୍ତ୍ତା ସାଜିଛି। ସେହିପରି ଯୋଗକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ଦେଶବାସୀଙ୍କୁ ଗର୍ବାନ୍ୱିତ କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆଜି ପ୍ରତ୍ୟେକ ଦେଶବାସୀ ନିଜକୁ ଗର୍ବର ସହ ଭାରତୀୟ ବୋଲି ପରିଚୟ ଦେଇପାରୁଛି। ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଭାରତବର୍ଷର ସୁନାମ ଓ ସମ୍ମାନ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଚାର ମୂଳରେ ଭାରତୀୟତା ଦୃଷ୍ଟିକୋଣ ପ୍ରତିଫଳିତ ହୁଏ ବୋଲି ଆଜିର ସମ୍ମିଳନୀରେ ମୁଖବକ୍ତା ଶ୍ରୀ ଶତପଥୀ ଉଦବୋଧନ ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟତମ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ। ସେବା ସପ୍ତାହର ଶେଷ ଦିନ ୨୦ ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। -@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.