Home ଓଡ଼ିଶା “ମୋ ସ୍କୁଲ” ବନାମ “ମୋ କଲେଜ”

“ମୋ ସ୍କୁଲ” ବନାମ “ମୋ କଲେଜ”

232

ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଓଡ଼ିଶା ସରକାର ଘୋଷଣା କରିଥିଲେ “ମୋ ସ୍କୁଲ” ଯୋଜନା ଏହି ଯୋଜନାର ବାସ୍ତବତା ଥିଲାଯେ, ଓଡ଼ିଶାରେ ଯେତେ ସ୍କୁଲ ଅଛି, ସେହି ସ୍କୁଲରୁ ଶିକ୍ଷା ସମାପ୍ତ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କର ସ୍କୁଲ ପ୍ରତି ଅବଦାନ। ପୁରାତନ ଛାତ୍ରଛାତ୍ରୀ ପଢ଼ୁଥିବା ସ୍କୁଲ୍ କୁ ଆର୍ଥିକ ଅନୁଦାନ ସାହାଯ୍ୟ କରିବେ ଏବଂ ସେହି ଅନୁପାତରେ ଆର୍ଥିକ ସାହାଯ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ମାତ୍ର ଏହିଯୋଜନାର ସଫଳତା କେତେଦୂର ତାହା ରାଜ୍ୟବାସୀଙ୍କ ପାଇଁ ଏକ ପ୍ରଶ୍ନବାଚୀ। ରାଜ୍ୟରେ ଥିବା ସଂଖ୍ୟାଧିକ ସ୍କୁଲରେ କେତେ ପ୍ରତିଶତ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଛନ୍ତି ତାହାର ଏକ ନିର୍ଦ୍ଧିଷ୍ଟ ରୂପାୟନ ସରକାରଙ୍କ ପାଖରେ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପରେ ବର୍ତ୍ତମାନ ଚାଲିଛି ବଜେଟ୍ ଅଧିବେଶନ। ଆଜି ଥିଲା ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା। ବିଧାନ ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରଶ୍ନତ୍ତୋର ସମୟରେ ଘୋଷଣା କରିଥିଲେଯେ, “ମୋ ସ୍କୁଲ” ଯୋଜନା ପରି “ମୋ କଲେଜ” ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛିଯେ, ୨୦୧୭ ମସିହାରେ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ” ଯୋଜନାର ସଫଳତାର ହାର କେତେ? ଯଦି “ମୋ ସ୍କୁଲ” ଯୋଜନା ଏକ ଆଖି ଦୃଶିଆ ସଫଳତା ପାଇଥାନ୍ତା ତେବେ “ମୋ କଲେଜ” ଯୋଜନାକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ନାହିଁ। ଏହି ଦୁଇଟି ଯୋଜନାର କାର୍ଯ୍ୟକାରିତା ଯଦି ସଫଳ ହୁଏ ତେବେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ଏଥିରେ ସନ୍ଦେହର ଅବକାଶ ନାହିଁ। ମାତ୍ର ଆଜି ମଧ୍ୟ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଏକ ଦୁର୍ବଳ ରାଜ୍ୟର ମାନ୍ୟତା ପାଇ ଆସୁଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କର ଅଚାନକ ବିଭିନ୍ନ ସ୍କୁଲକୁ ପରିଦର୍ଶନ କରିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ମାତ୍ର ଗଣଶିକ୍ଷା ମନ୍ତ୍ରୀ ପରିଦର୍ଶନରେ ଯାଉଛନ୍ତି ରାଜଧାନୀରେ ଅବସ୍ଥାପିତ ଥିବା ସ୍କୁଲଗୁଡ଼ିକୁ। ମାତ୍ର ଓଡ଼ିଶାର ଅନୁନ୍ନତ ଜିଲ୍ଲାମାନଙ୍କରେ ଏପରି ଶହଶହ ସ୍କୁଲ ଅଛି ଯେଉଁଠାରେ ସର୍ବନିମ୍ନ ଶିକ୍ଷା ଯୋଗାଇ ଦେବାପାଇଁ ସରକାର ଅସମର୍ଥ। ମାତ୍ର ବିଭାଗୀୟ ମନ୍ତ୍ରୀଙ୍କର ସେ ସ୍କୁଲରେ ପାଦ ପଡ଼ିଥିଲେ ତାହା ଅଧିକ ଗ୍ରହଣ ଯୋଗ୍ୟ ହୋଇଥାନ୍ତା। ରାଜଧାନୀ ଭୁବନେଶ‌୍ୱରରେ ଥିବା ସରକାରୀ ବାସ ଗୃହରୁ ବାହାରିକି ସେହି ରାଜଧାନୀର ଏକ ସରକାରୀ ସ୍କୁଲକୁ ପରିଦର୍ଶନରେ ଯିବାର ଯଥାର୍ଥତା କ’ଣ? ଏହା ସସ୍ଥା ରାଜନୀତିର ପରିପନ୍ଥି ନୁହେଁ କି? ଦିଲ୍ଲୀ ଯାଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ଅନୁକରଣ କରିବାର ଆବଶ୍ୟକତା କ’ଣ?

“ମୋ ସ୍କୁଲ” ଯୋଜନାର ଯଥାର୍ଥତା ଓ କାର୍ଯ୍ୟକାରିତାର ତର୍ଜମା କରି “ମୋ କଲେଜ” ଯୋଜନା କାର୍ଯ୍ୟକାରୀ କଲେ ବୋଧ ହୁଏ ଏହି ଯୋଜନାଟିର ସଫଳ ରୂପାୟନ ହୋଇପାରିବ। କାଗଜ କଲମରେ ଯୋଜନାଟିର ପ୍ରାକ୍ ପ୍ରସ୍ତୁତି କରିବା ପୂର୍ବରୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଥମେ ତର୍ଜମା କରିବା ନିହାତି ଜରୁରୀ ଯେ, “ମୋ ସ୍କୁଲ” ଯୋଜନାର ସଫଳତାର ପ୍ରତିଶତ କେତେ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.