Home ଓଡ଼ିଶା ଜନଅଦାଲତର ଗୁରୁତ୍ତ୍ୱକୁ ଉପଲବ୍ଧି କଲେଣି ଜନ ପ୍ରତିନିଧି

ଜନଅଦାଲତର ଗୁରୁତ୍ତ୍ୱକୁ ଉପଲବ୍ଧି କଲେଣି ଜନ ପ୍ରତିନିଧି

122

ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପୁରାଣ କାଳରେ ରାଜାରାଜୁଡ଼ା ଶାସନରେ ରାଜା ଓ ମହାରାଜାମାନେ ଥିଲେ ତାଙ୍କ ପ୍ରଜାମାନଙ୍କର ହର୍ତ୍ତାକର୍ତ୍ତା ଓ ଦଇବ ବିଧାତା। ରାଜ ଦରବାରରେ ପ୍ରଜାମାନଙ୍କର ଆପତ୍ତି ଅଭିଯୋଗକୁ ଶୁଣି ଏହାର ସମାଧାନ କରୁଥିଲେ ରାଜା ଓ ମହାରାଜାମାନେ। ସମୟାନୁକ୍ରମେ ଗଣତନ୍ତ୍ର ଶାସନରେ ମଧ୍ୟ ସେହି ପ୍ରଥା ପ୍ରଚଳିତ ହୋଇ ଆସୁଛି। ସ୍ଥାନୀୟ ଲୋକ ପ୍ରତିନିଧି ନିଜ ଅଞ୍ଚଳର ଜନସାଧାରଣଙ୍କର ଆପତ୍ତି ଅଭିଯୋଗକୁ ଶୁଣି ଏହାର ସମାଧାନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରଥା ଅବଲମ୍ବନ କରଥାନ୍ତି। କିନ୍ତୁ ଏହି ହାଇଟେକ୍ ଯୁଗରେ ବିଭିନ୍ନ ଲୋକ ପ୍ରତିନିଧି ବିଭିନ୍ନ ମାଧ୍ୟମରେ ଏହି ତଥା କଥିତ ଜନ ଅଦାଲତକୁ ପରିଚାଳନା କରୁଛନ୍ତି। ଲୋକ ପ୍ରତିନିଧିଟିଏ ହେବାପରେ କେବଳ ସମ୍ମାନ ଦୃଷ୍ଟିରୁ ଲୋକ ପ୍ରତିନିଧି ଘର ଆଗରେ ସାଇନ୍ ବୋର୍ଡ଼ଟିଏ ଝୁଲାଇ ଦିଆଯାଏ, ଜନସାଧାରଣଙ୍କର ଲୋକ ପ୍ରତିନିଧିଙ୍କୁ ଭେଟିବାର ସମୟ ଓ ତାରିଖ। କିନ୍ତୁ ଏହି କାର୍ଯ୍ୟକ୍ରମ ଅଧିକାଂଶ କ୍ଷେତ୍ରରେ ସାଇନ୍ ବୋର୍ଡ଼ ଓ କାଗଜ କଲମ ମଧ୍ୟରେ ସୀମିତ ରହିଯାଏ। ଏହି ପରମ୍ପରାକୁ ବ୍ୟତୀକ୍ରମ କରାଇ ଭାରତବର୍ଷରେ ଅନେକ ଜାତୀୟ ଏବଂ ଆଞ୍ଚଳିକ ସ୍ଥରର ପ୍ରତିନିଧି ଏକ ଭିନ୍ନ ରୂପରେଖ ଦେବାପାଇଁ ଚେଷ୍ଟା କରିଛନ୍ତି। ମାତ୍ର ସମୟ ଚକ୍ରରେ କିଛି ଦିନ ଏହି ପରମ୍ପରାକୁ ଆଗେଇ ନେବା ପରେ ବିଭିନ୍ନ କାରଣରୁ ଏହାକୁ ବନ୍ଦ ମଧ୍ୟ କରିଦେଇଛନ୍ତି। ଅଭିଯୋଗର ଶୁଣାଣି ସରକାରୀ ବାସଭବନର ଶୀତତାପ ନିୟନ୍ତ୍ରୀତ କକ୍ଷରେ ଚାଲୁଥିଲା ଏବଂ ଚାଲୁଅଛି ମଧ୍ୟ। ମାତ୍ର ଲୋକଙ୍କ ପାଖରେ ପହଁଚି ତାଙ୍କ ସମସ୍ୟା ଶୁଣି ଏହାକୁ ସମାଧାନ କରିବା ଆଜି କାଲି କୋଚିତ୍ ଦେଖାଯାଉଛି। ଓଡ଼ିଶାପରି ଏକ ରାଜ୍ୟରେ ଦୀର୍ଘ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ। ୧୯ ବର୍ଷ ଧରି ଏହି ସରକାର ବିରୁଦ୍ଧରେ ଗୋଟିଏ ଅଭିଯୋଗ ରହି ଆସିଛିଯେ, ନିର୍ବାଚନ ଜିତିଲା ପରେ ଏହି ଦଳର ଲୋକ ପ୍ରତିନିଧିମାନେ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ। ଲୋକ ଏମାନଙ୍କ ପାଖକୁ ଆସନ୍ତି। ଆପତ୍ତି ଅଭିଯୋଗ କରନ୍ତି। କ’ଣ ସମାଧାନ ହୁଏ ତାହା ସେହି ଲୋକ ପ୍ରତିନିଧି ଜାଣନ୍ତି ଓ ଅଭିଯୋଗକରୀ ଜାଣେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କର ସମସ୍ୟାକୁ ନିଜ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସମାଧାନ କରିଥାନ୍ତି। ଓଡ଼ିଶାର ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କର ଏକ ନିଜସ୍ୱ ଅଭିଯୋଗ ପ୍ରକୋଷ୍ଠ ରହିଛି। ବିଜୁ ଜନତା ଦଳ ସରକାରଙ୍କର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠର ଅବସ୍ଥା ଯାହା ତାହା ବିଭିନ୍ନ ସମୟରେ ଅନେକ ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କରେ। ଦୀର୍ଘ ବର୍ଷ ଧରି ଦୁଇ ତିନୋଟି କର୍ମଚାରୀଙ୍କୁ ନେଇ କାମ କରୁଛି ଆମ ଓଡ଼ିଶାର ଅଭିଯୋଗ ପ୍ରକୋଷ୍ଠ। ଏଥିପାଇଁ ଅନେକ ସମୟରେ ଏହି ସରକାର ସମାଲୋଚନାର ଶୀକାର ହୋଇଥାଏ। ମାତ୍ର ଏବେ ଏଥିରେ କିଞ୍ଚିତ୍ ପରିବର୍ତ୍ତନର ଆଭାଷ ପରିଲକ୍ଷିତ ହୋଇଛି। ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ଶାସକ ଦଳର ଜଣେ ଯୁବ ମନ୍ତ୍ରୀ। ସେ ହେଉଛନ୍ତି ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଚାରିଥର ବିଧାୟକ ହେବାପରେ ସେ ଜନ ଅଦାଲତର ଗୁରୁତ୍ତ୍ୱକୁ ଉପଲବ୍ଧି କରି ଜନସାଧାରଣଙ୍କ ନିକଟରେ ପହଁଚିବାର ପ୍ରୟାସ ଆରମ୍ଭ କରିଛନ୍ତି। ବୋଧ ହୁଏ ଓଡ଼ିଶା ରାଜନୀତିରେ ଏହା ପ୍ରଥମ ଘଟଣାଯେ, ଜଣେ ଜନ ପ୍ରତିନିଧି ନିଜ ନିର୍ବାଚନ ମଣ୍ଡଳୀର ରାଜରାସ୍ଥାରେ ଟେବୁଲ ଓ ଚୌକିଟିଏ ପକାଇ ଜନ ସାଧାରଣଙ୍କର ଅଭିଯୋଗ ଶୁଣୁଛନ୍ତି। ଏହାର କାର୍ଯ୍ୟକାରିତା ଓ ଫଳାଫଳ ବର୍ତ୍ତମାନ ପର୍ଯ୍ୟନ୍ତ ସେତେଟା ଆଖିଦୃଶିଆ ସଫଳତା ପାଇନଥିଲେ ମଧ୍ୟ ଏହି ଯୁବମନ୍ତ୍ରୀଙ୍କର ନିଶ୍ଚିତରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ସୁସ୍ଥ ପରମ୍ପରାର ସଫଳ ରୂପାୟନ ପାଇଁ ନିଶ୍ଚିତ ରୂପେ ସମୟ ଲାଗିବ। ମାତ୍ର ଏଥିପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କର ଧୈର୍ଯ୍ୟ ରହିବା ଦରକାର। ଯଦି ଏହି କାର୍ଯ୍ୟକ୍ରମରେ ସେ ସଫଳତା ହାସଲ କରୁଛନ୍ତି ତେବେ ଓଡ଼ିଶା ରାଜନୀତିରେ ସେ ଏକ ଆଦର୍ଶ ରାଜନେତା ରୂପେ ପରିଗଣିତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.