Home ଆନ୍ତର୍ଜାତୀୟ ଅମାନୁଷିକ ନବୀନ ସରକାର, ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର: ନବୀନଙ୍କୁ ଲେଖାଶ୍ରୀଙ୍କ ଆକ୍ଷେପ, ପରୋକ୍ଷରେ...

ଅମାନୁଷିକ ନବୀନ ସରକାର, ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର: ନବୀନଙ୍କୁ ଲେଖାଶ୍ରୀଙ୍କ ଆକ୍ଷେପ, ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ବାଜୁଛି ..

652

ଭୁବନେଶ୍ୱର: ତେଲ ଉପରେ ଭାଟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପେଟ୍ରୋଲ ଉପରେ ୨୬ ପ୍ରତିଶତରୁ ୩୨ ପ୍ରତଶତ ଏବଂ ଡିଜେଲ ଉପରେ ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ଭାଟ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫଳରେ ପେଟ୍ରୋଲ ଲିଟର ପ୍ରତି ୩ ଟଙ୍କା ୧୧ ପଇସା ଏବଂ ଡିଜେଲ ଦର ଲିଟର ପ୍ରତି ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି।

ଅମାନୁଷିକ ନବୀନ ସରକାର –
ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଓଡ଼ିଶା ବିଜେପି ନେତ୍ରୀ ଡଃ: ଲେଖାଶ୍ରୀ ସାମନ୍ତସିଂହାର। ଅମାନୁଷିକ ନବୀନ ସରକାର କହି ସୋସିଆଲ୍ ମିଡିଆ ମାଧ୍ୟମରେ ଲେଖାଶ୍ରୀ କହିଛନ୍ତି, “କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ସାହାଯ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଓ ସାଧାରଣ ଜନତାଙ୍କ ବୋଝକୁ କମ କରିବାପାଇଁ ରାଜକୋଷକୁ ଆକୁଣ୍ଠ ଚିତ୍ତରେ ଖୋଲି ଦେଇଥିବା ବେଳେ ଓଡ଼ିଶାର ବିଜୁ ଜନତା ଦଳ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼େଇ ଲୋକଙ୍କ ମେରୁଦଣ୍ଡକୁ କୁଠାରାଘାତ କରିଛନ୍ତି। ଲୋକେ ଯେତେବେଳେ ମହାମାରୀ ବୋଝରେ ନଇଁ ପଡ଼ିଛନ୍ତି ଏ ସମ୍ବେଦନହୀନ ସରକାର ତାଙ୍କୁ ବିଧାଟିଏ ମାରିବାକୁ ପଛେଇ ନାହାନ୍ତି। ଇଏ ଜନ ମଙ୍ଗଳକାରୀ ବୋଲାଉଥିବା ସରକାରର ଅସଲ ଚେହେରା।”

ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର –
ଏହା ପୂର୍ବରୁ ପେଟ୍ରୋଲ, ଡିଜେଲ ଉପରେ ମୋଦୀ ସରକାର ଜିଜିଆ କର ଲଗାଇଛନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ବର୍ଷ ତଳକୁ ଫେରି ଆସି ୨୦ ଡଲାଇ ହୋଇଥିବା ବେଳେ ଏହାର ସୁବିଧା ଜନସାଧାରଣ ଉପଲବ୍ଧ ନକରି ପାରିବା ଏକ ଦୁଃଖଦାୟକ ଏବଂ ଜନସ୍ୱାର୍ଥ ବିରୋଧି ଘଟଣା ବୋଲି ସୁର ରାଉତରାୟ କହିଥିଲେ। କରୋନାର ଭୟାବହ ପରିସ୍ଥିତି ସମୟରେ ଯେତେବେଳେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିଛି ସେତେବେଳେ ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଟିକସ ଲଦି ଦେବା ଏକ ନିର୍ଦ୍ଦୟ ନିଷ୍ପତି ବୋଲି ସୁର କହିଥିଲେ।

୨୦୧୪ ପରେ ମୋଦି ସରକାର ୧୨ ଥର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଉପରେ ଅର୍ଥ ବୋଝ ଲଦି ଦେଇଛନ୍ତି। ଏବେ ତୈଳ ଦର ବୃଦ୍ଧିକୁ ସାଧାରଣ ଲୋକ ମୋଦି ଟ୍ୟାକ୍ସ, ଗବର ସିଂ ଟ୍ୟାକ୍ସ ବା ଜିଜିୟା କର ବୋଲି କହୁଛନ୍ତି। ଏବେ ଅଶୋଧିତ ତୈଳ ଦର ୨୦ ଡଲାରକୁ ଖସି ଆସିଥିବା ବେଳେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୭୦ ଟଙ୍କା ରଖି ସାଧାରଣ ଜନତାଙ୍କ ତଣ୍ଟି ଚିପି ଅର୍ଥ ଆଦାୟ କରୁଛନ୍ତି। ଉପା ସରକାର ସମୟରେ ସାମାନ୍ୟ ତୈଳ ଦର ବୃଦ୍ଧି ହେଲେ ଉଭୟ ବିଜେପି ଓ ବିଜେଡି ପ୍ରତିବାଦ କରି ରାସ୍ତାରେ ଗଡୁଥିଲେ। ଏବେ ବିଜେପି ସରକାର ବଢ଼ାଇ ଚାଲିଛି, ହେଲେ ନବୀନ ବାବୁ ଏବଂ ବିଜେଡି ଦଳର ମୁହଁ ବନ୍ଦ। କାରଣ ଏ ଦୁଇଟି ସରକାରଙ୍କର ଗୋଟିଏ ନିଷ୍ପତି, ଯାହାକି ସାଧାରଣ ଜନତାଙ୍କର ତଣ୍ଟି ଚିପି ଅର୍ଥ ଆଦାୟ କରିବା। ଜନସାଧାରଣ ଏବେ ୩୦/୪୦ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ପାଆନ୍ତେ। ମାତ୍ର କେନ୍ଦ୍ର ଓ ଓଡିଶାର ରାଜ୍ୟ ସରକାର ଏହା କରାଇ ଦେଲେ ନାହିଁ। ୭୦ ଟଙ୍କା ପେଟ୍ରୋଲ ଓ ଡିଜେଲ ଦରରେ ମୋଦି ଓ ନବୀନ ଟିକସ ୫୦ ଟଙ୍କା ପଡିଯାଉଛି ବୋଲି ସୁର କହିଥିଲେ। ୨୦୧୪ ଏପ୍ରିଲ୍ ପରେ ପେଟ୍ରୋଲ ଟିକସ ପରିମାଣ ୨୪୮ ପ୍ରତିଶତ ଓ ଡିଜେଲର ୭୯୪ ପ୍ରତିଶତ ବଢ଼ିଛି। ଏହା ଉପରେ ରାଜ୍ୟ ସରକାର ମଧ୍ୟ ଆଖିବୁଜା ଟିକସ ବଢାଇଛନ୍ତି। ଯେଉଁ ରେଟ୍‌ରେ ଖାଉଟି ପେଟ୍ରୋଲ ଓ ଡିଜେଲ ଏବେ କିଣୁଛନ୍ତି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ତା’ର ଅଧା ରେଟ୍‌ରେ ସେମାନେ ପାଇବା କଥା। ମାତ୍ର ଉଭୟ ମୋଦି ଓ ନବୀନ ସରକାର ଏକ ଜନସ୍ୱାର୍ଥ ବିରୋଧି ସରକାର ହୋଇଥିବାରୁ ସାଧାରଣ ଜନତା କମ୍ ଦାମ୍‌ରେ ପେଟ୍ରୋଲ ଓ ଡିଜେଲ ପାଇପାରୁ ନାହାନ୍ତି। ବିଶ୍ୱରେ ବିଭିନ୍ନ ଦେଶ ତୁଳନାରେ ତୈଳ ଦର ଉପରେ ମୋଦି ସରକାର ସର୍ବାଧିକ ଟ୍ୟାକ୍ସ ନେଉଛନ୍ତି।

ମୋଦୀ ସରକାର ଜନ କଲ୍ୟାଣ ପାଇଁ ରଖିଛନ୍ତି; ତେବେ ନବୀନ ସରକାର କ’ଣ ନିଜ ପାଇଁ ରଖିଛନ୍ତି –

କରୋନା ଆତଙ୍କ ଏବଂ ଲକ୍ ଡାଉନ୍ ଭିତରେ ପେଟ୍ରୋଲିୟମ ମନ୍ତ୍ରାଳୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ପଦକ୍ଷେପ ନେଇଛି। ବିଭିନ୍ନ ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ତେଲ କାରବାର ବହୁ ମାତ୍ରାରେ ହ୍ରାସ ପାଇଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବହୁତ ଶସ୍ତା ହୋଇଥିବାରୁ ତାହାର ଲାଭ ଉଠାଇବାକୁ ଚାହିଁଛି ଭାରତ। ତେଲ କିଣି ତାହାକୁ ଜାହାଜ ଭିତରେ ମହଜୁଦ ରଖିବା ଲାଗି ଯୋଜନା ପ୍ରସ୍ତୁତ କରିଛି ପେଟ୍ରୋଲିୟମ ମନ୍ତ୍ରାଳୟ। ଏହା ଜରିଆରେ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ତୈଳ କଂପାନିଗୁଡ଼ିକ ସୁଲଭ ମୂଲ୍ୟରେ ପ୍ରାୟ ୭ ନିୟୁତ ତୈଳ କିଣିଛନ୍ତି। ଦେଶର ଆବଶ୍ୟକତାର ୨୦% ତୈଳ ଗଚ୍ଛିତ ରଖାଯାଇଛି। ଏହା ଦ୍ବାରା ତୈଳ ଆମଦାନି ବିଲ୍‌ କମ୍ ହେବ। ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତର ମୋଟ ତୈଳ ସଂରକ୍ଷଣ କ୍ଷମତା ଏବେ ୩୯୮ ନିୟୁତ ଟନ୍ ରହିଛି। ଏହା ୧୮- ୨୦ ପ୍ରତିଶତ ଚାହିଦା ସହ ସମାନ। ଭାରତରେ ଦୈନିକ ୪.୫ ନିୟୁତ ବ୍ୟାରେଲ ତୈଳ ବିକ୍ରି ହେଉଛି। କରୋନା ସଙ୍କଟ ଆରମ୍ଭ ହେବା ପରେ ପେଟ୍ରୋଲ ଓ ଡିଜେଲ୍‌ର ବିକ୍ରି ବହୁତ କମିଯାଇଛି। କରୋନା ଭୂତାଣୁର ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯାଇ ଥିବାରୁ ତୈଳ ଚାହିଦା ୭୦ ପ୍ରତିଶତ ହ୍ରାସ ପାଇଛି। ତୈଳ ସଂରକ୍ଷିତ ରଖିବା ଲାଗି ଦେଶରେ ୫ ନିୟୁତ ଟନ୍‌ର ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେଥିରେ ୩ ନିୟୁତ ଟନ୍ ତୈଳ ଥିବା ବେଳେ ଆଉ ୨ ନିୟୁତ ଟନ୍ ତୈଳ ରଖିବା ଲାଗି ଫାଙ୍କା ସ୍ଥାନ ରହିଥିଲା। ଗତ ଫେବ୍ରୁଆରି ମାସରୁ ତେଲ ଦର କମିବା ଆରମ୍ଭ ହେବା ପରେ ସେହି ଫାଙ୍କା ସ୍ଥାନରେ ତେଲ ଷ୍ଟକ୍ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତୈଳ କିଣିବା ଲାଗି ବଜେଟ୍‌ରେ ୬୯୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସରକାର ଆଉ ୩୧୮୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

‌ତୈଳ ବଜାର ସ୍ଥିତିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବ ଓ ୟୁଏଇ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ସାତ ନିୟୁତ ଟନ୍ ତୈଳ ପାଇଁ ବରାଦ ଦିଆଯାଇଛି। ଗତ ଜାନୁଆରିରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୫ ଡଲାର ଥିଲା। କିନ୍ତୁ ସାଉଦିରୁ ମଗା ଯାଇଥିବା ତେଲକୁ ବ୍ୟାରେଲ ପିଛା ୨୧ ଡଲାରରେ କିଣା ହେଉଛି। ଫଳରେ ୫୦୦୦ କୋଟି ଟଙ୍କା ସଞ୍ଚୟ ହେବ। ଏହା ବ୍ୟତୀତ ଗତ ମାର୍ଚ୍ଚ- ଏପ୍ରିଲ୍ ଭିତରେ ତୈଳ କଂପାନିଗୁଡ଼ିକ ୮ ନିୟୁତରୁ ଅଧିକ ତେଲ ମଗାଇଛନ୍ତି। ସେଥିରେ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହେବ। ମାର୍ଚ୍ଚରେ ମାସରେ ମଗାଯାଇଥିବା ତେଲର ବ୍ୟାରେଲ ପିଛା ଦାମ୍ ୩୩.୩୬ ଡଲାର ଥିଲା। ଏପ୍ରିଲ୍‌ରେ ତାହା ୧୯.୯ ଡଳାରକୁ ହ୍ରାସ ପାଇଥିଲା। ତେଲ ଶସ୍ତା ହେବାରୁ ଜାନୁଆରି ମାସର ଦର ତୁଳନାରେ ଭାରତ ପ୍ରାୟ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରୁଛି। ତେଣୁ ତେଲ ଦର ନ’କମାଇ ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ଯଦି ମୋଦୀ ସରକାରଙ୍କର ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି, ତେବେ ନବୀନ ସରକାର ଭାଟ୍ ବୃଦ୍ଧି କରି ଆଉ କ’ଣ ନିଜ କଲ୍ୟାଣ ପାଇଁ ଅର୍ଥ ସଞ୍ଚୟ କରୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି। ତେଣୁ ନବୀନ ସରକାରଙ୍କ ପ୍ରତି ବିଜେପି ନେତ୍ରୀ ଲେଖାଶ୍ରୀ କରିଥିବା ଆକ୍ଷେପ ବାସ୍ତବରେ ନିଜ ସରକାର ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ପ୍ରତି ପରୋକ୍ଷରେ ଅଧିକ ଆକ୍ଷେପ କରୁଛି।/-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.