Home Top News “ନାରୀ ଶକ୍ତି ବନ୍ଦନ ଅଧିନିୟମ” କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ବନ୍ଦନା: କୁଆଡ଼େ ଗଲେ ଦୁଇ ନିର୍ବାଚିତ ମହିଳା...

“ନାରୀ ଶକ୍ତି ବନ୍ଦନ ଅଧିନିୟମ” କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ବନ୍ଦନା: କୁଆଡ଼େ ଗଲେ ଦୁଇ ନିର୍ବାଚିତ ମହିଳା ସାଂସଦ?

49

ଭୁବନେଶ୍ୱର: ସଂସଦରେ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ପ୍ରଦାନ କରି ଦେଶବ୍ୟାପୀ ବିଜେପି ଆୟୋଜିତ କରୁଛି କାର୍ଯ୍ୟକ୍ରମ। ମହିଳା ସମ୍ବଦ୍ଧିତ ବିଷୟ ହୋଇଥିବାରୁ ବିଶେଷ କରି ବିଜେପି ମହିଳା ମୋର୍ଚ୍ଚା ଆୟୋଜିତ କରୁଛି ଏହି କାର୍ଯ୍ୟକ୍ରମ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପରେ ‘ଦେଶ କରୁଛି ନାରୀ ଶକ୍ତିଙ୍କୁ ପ୍ରଣାମ’ ଏବଂ ‘ନାରୀ ଶକ୍ତିଙ୍କ ନେତୃତ୍ୱରେ ବିକାଶର ସଂକଳ୍ପ ହୋଇଛି ଆହୁରି ସଶକ୍ତ’ ନାମରେ କାର୍ଯ୍ୟକ୍ରମ କରୁଛି ବିଜେପି ମହିଳା ମୋର୍ଚ୍ଚା। ଓଡ଼ିଶାରେ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ଏପରି ଏକ କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗ ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ, ଯେଉଁ ସଂସଦରେ ଏହି ଅଧିନିୟମ ଗୃହୀତ ହେଲା ସେହି ସଂସଦକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ବିଜେପି ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର) ଏବଂ ସଙ୍ଗୀତା କୁମାରୀ ସିଂହଦେଓ ଏହି କାର୍ଯ୍ୟକ୍ରମରେ ଥିଲେ ଅନୁପସ୍ଥିତ! “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଭିତରେ ଏବେ ଶିକ୍ଷା ବିଭାଗକୁ ନେଇ ଏବଂ ପୂର୍ବରୁ ପେଟ୍ରୋଲିୟମ ବିଭାଗ ଉଜ୍ଜଲା ଗ୍ୟାସ୍ କଥା ନେଇ ମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ। ଲାଗୁଥିଲା ସତେ ଯେପରି ମୋଦୀଙ୍କୁ ନୁହେଁ, ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ! ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍ ସମେତ ପୂର୍ବତନ ମନ୍ତ୍ରୀ ତଥା ମହିଳା ମୋର୍ଚ୍ଚା ପୂର୍ବତନ ରାଷ୍ଟ୍ରୀୟ ଏବଂ ରାଜ୍ୟ ସଭାନେତ୍ରୀ ସୁରମା ପାଢ଼ୀ, ପୂର୍ବତନ ରାଜ୍ୟ ସଭାନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ସୀମିତିନୀ ଜେନା, ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ଅନିତା ଶୁଭଦର୍ଶିନୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଭୁବନେଶ୍ୱର ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର ପ୍ରମୂଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ। କିନ୍ତୁ ଉପସ୍ଥିତ ନଥିଲେ ଓଡ଼ିଶା ବିଜେପିର ଦୁଇ ମହିଳା ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ। ସେହିପରି ମହିଳା ମୋର୍ଚ୍ଚାର ଦୁଇ ପୂର୍ବତନ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ସ୍ମୃତି ପଟ୍ଟନାୟକ ମଧ୍ୟ ଥିଲେ ଅନୁପସ୍ଥିତ। ପ୍ରଭାତୀ ପରିଡ଼ା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ହିସାବରେ ସେଠାରେ ଆୟୋଜିତ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାମିଲ ରହିଥିବା ବେଳେ ସ୍ମୃତି ପଟ୍ଟନାୟକ ଅନୁପସ୍ଥିତି ରହିବାର କାରଣ ଜଣାପଡ଼ି ନାହିଁ। ତେବେ, ବିଜେପିର ନିର୍ବାଚିତ ଦୁଇ ମହିଳା ସାଂସଦ ଯେଉଁ ଦୁଇ ଜଣ ଏହି ମହିଳା ସଂରକ୍ଷଣ ଅଧିନିୟମ ଉପରେ ଭୋଟ୍ ଦେଇଥିଲେ ସେହି ଦୁଇ ଜଣ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” କାର୍ଯ୍ୟକ୍ରମରେ ଥିଲେ ଅନୁପସ୍ଥିତ! ଯାହାକୁ ନେଇ ଏବେ ସର୍ବତ୍ର ଆଲୋଚନା!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.