Home ଅପରାଧ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ଆଗରେ ବିଜେପିର...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ଆଗରେ ବିଜେପିର ନୀରବ ଧାରଣା

190

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡ଼ିଛନ୍ତି। ରକ୍ଷକ ଏଠି ଭକ୍ଷକ ପାଲଟିଛି। ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ଜୁନ୍ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡ଼ିତାର ବେଆଇନ ଭାବେ ଏକ ସରକାରୀ ମେଡିକାଲରେ ଗର୍ଭପାତ କରାଇଛନ୍ତି। ବିରୋଧୀଙ୍କ ଚାପ ପଡ଼ିବାରୁ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୀର୍ଘ ୩ ମାସ କାଳ ନାବାଳିକା ଝିଅଟିକୁ ଥାନାର ଉପର ମହଲାରେ ବଡ଼ବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ କରିଥିବା ବେଳେ ବାକି ଅପରାଧୀଙ୍କୁ ପୋଲିସ ଗିରଫ ନକରି ଚୁପ୍ ବସିଛି। ଏହାର ପ୍ରତିବାଦରେ ସୁନ୍ଦରଗଡ଼ (ପାନପୋଷ) ସାଙ୍ଗଠନିକ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ଆଗରେ ନୀରବ ଧାରଣା ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଏସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅନ୍ୟ ଦୋଷୀଙ୍କୁ ଗିରଫ କରିବା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା, ରାଜ୍ୟ ସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଏବଂ ପୋଲିସ ଧମକ ଦେଉଥିବାରୁ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।

ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପର ମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡ଼ନ କରି ଆସୁଥିଲେ। ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ପରେ ଥାନାବାବୁ ପୀଡ଼ିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଥିଲେ। ଖୋଦ୍ ପୀଡ଼ିତା ୫ ଜଣ ଦୁଷ୍କର୍ମକାରୀଙ୍କ ନାଁ ପୋଲିସକୁ ଜଣାଇଥିବା ବେଳେ ପୋଲିସ ଏ’ ପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରି ଗିରଫ କରୁନାହିଁ ବୋଲି ବିଜେପି ପ୍ରଶ୍ନ କରିଛି।

ଏହି ଘଟଣାରେ ପୀଡ଼ିତା ଆଦିବାସୀ ନାବାଳିକା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସସି- ଏସଟି ଏବଂ ପୋକସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ପୀଡ଼ିତା ପରିବାରକୁ ୮- ୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ। ପୂର୍ବରୁ ରାଜ୍ୟ ବିଜେପି ପ୍ରତିନିଧୀ ଦଳ ରାଜ୍ୟ ମାନବଧିକାର କମିଶନ, ପୋଲିସ ମହାନିର୍ଦ୍ଦେଶକ ଏବଂ ଜାତୀୟ ଏସଟି କମିଶନଙ୍କୁ ଭେଟି ଘଟଣାର ତଦନ୍ତ ନିରପେକ୍ଷ ଭାବେ କରି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲା। ଏହି ନୀରବ ଧାରଣାରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା କଳ୍ପନା ଲେଙ୍କା, ରାଉରକେଲାର ପୂର୍ବତନ କାଉନସିଲର ପ୍ରମିଳା ଦାସ, ସସ୍ମିତା ପାଢ଼ୀ, ସଂଯୁକ୍ତା ମିଶ୍ର ଏବଂ ରଞ୍ଜିତା କିସପଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.