ad
ଓଡ଼ିଶା

ଭଜନ ସମ୍ରାଟ ଭିକାରୀ ବଳ (୧୯୨୯ – ୨୦୧୦) – ଆଜି ଜୟନ୍ତୀ: କିପରି ନାମ ହେଲା, ‘ଭିକାରୀ’

ଭୁବନେଶ୍ୱର: ଭଜନ ସମ୍ରାଟ ଭିକାରୀ ବଳ। ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ସ୍ଥିତ ସୋବଳା ଗ୍ରାମରେ ଜନ୍ମ ଗ୍ରହଣ। କରିଥିଲେ। ଜନ୍ମ ନେବା ପରେ ରାମଚନ୍ଦ୍ର ବଳ ଏବଂ ଗେହ୍ଲାରାଣି ବଳଙ୍କ ସବୁ ସନ୍ତାନ ମରି ଯାଉଥିଲେ। କିନ୍ତୁ, ଏହି ଜଣେ ମାତ୍ର ବଞ୍ଚି ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ ‘ଭିକାରୀ’ ରଖାଯାଇଥିଲା। ଭିକାରୀ ବଳ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ମଧ୍ୟ ରେକର୍ଡ଼ କରିଛନ୍ତି ।

ଭିକାରୀ ବଳ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା, ମାଆ ମୃତ୍ୟୁ ବରଣ କରିଥିଲେ। ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲ୍ଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ। ସେଠାରେ ସେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ଏହା ପରେ ନିଜ ଗାଁ ସବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ। ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ। ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ। ଭିକାରୀ ବଳ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ କର୍ମ ସଂସ୍ଥାନ ପାଇଁ ସେ କଟକ ଚାଲି ଆସିଥିଲେ। ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ଚେଷ୍ଟା ଚଳାଇଥିଲେ। ସେଠାରେ ସେ ଜଣେ ଏ- ଗ୍ରେଡ୍ ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ। ‘ପ୍ରାଣ ମିତଣି ବାରେ ଚାହାଁରେ’ ଗୀତ ପାଇଁ ସେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ।କିନ୍ତୁ, ‘କୋଠ ଭୋଗଖିଆ’ ଗୀତରୁ ତାଙ୍କର ଲୋକପ୍ରିୟତା ଅନେକ ବଢ଼ିଯାଇଥିଲା। ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ଏବଂ ଆଜି ଯାଏଁ ମଧ୍ୟ ରହିଛି।

ପୁରାତନ ରଚନାରୁ ଭିକାରୀ ବଳ ବହୁ ସଙ୍ଗୀତ ଗାନ କରିଛନ୍ତି। ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି। ଏହାସହ ଡ ପ୍ରସନ୍ନ ସାମଲ, ଖିରୋଦ ଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି। ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ‘ଭଜନ ସମ୍ରାଟ’ ଉପାଧିରେ ଭୂଷିତ କରିଥିଲେ। ଏହାସହ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ। ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ। ତାଙ୍କ ଦେଇ ବୋଲା ଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର “ଚଗଲା ମନ” ଏବଂ ୨୦୦୬ରେ ତାଙ୍କର ଶେଷ ସଙ୍ଗୀତ ପରିବେଷଣ ଥିଲା। ଏହାପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇ ଯାଇଥିଲେ। ୨୦୧୦ ମସିହା ନଭେମ୍ବର ୩ ତାରିଖରେ ୮୧ ବର୍ଷ ବୟସରେ ଭଜନ ସମ୍ରାଟ ଭିକାରୀ ବଳ ପରଲୋକ ଗମନ କରିଥିଲେ।

ଭିକାରୀ ବଳ ଅନେକ ସୁପରିଚିତ ସଙ୍ଗୀତରେ କଣ୍ଠଦାନ କରିଛନ୍ତି। ସେଗୁଡ଼ିକ ହେଲା, କୋଠ ଭୋଗଖିଆ, ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ଭକତ ବିଦୂର ଶାଗ ଭଜା ଦେଇ, ହାତରେ ମୋ ମୁଠା ମୁଠା ଶରଧା ବାଲି, ତୋର ସାଆନ୍ତପଣକୁ କିଏ ସରିକି, ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ, ଅଜା ଥାଉ ଥାଉ ନାତି ଯାଏ ଚାଲି, ତୋତେ ବାହୁଡ଼େଇ ନେବି ଆସିଛି, ତୋ ଦାଣ୍ଡଧୁଳି ମୁଁ ନହେଲେ ନାହିଁ। ସେହିପରି, ୧୯୮୩ ମସିହାରେ ଅଭିଳାଷ, ୧୯୮୩ରେ ଭକ୍ତ ସାଲବେଗ, ୧୯୮୦ରେ ଅଗ୍ନି ପରୀକ୍ଷା , ୧୯୮୦ରେ ଅପରିଚିତା, ୧୯୭୯ରେ ମଥୁରା ବିଜୟ, ୧୯୭୯ରେ ଶ୍ରୀକୃଷ୍ଣ ରାସଲୀଳା, ୧୯୭୮ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ନିର୍ଦ୍ଦେଶନା, ୧୯୭୭ରେ ଅନୁତାପ, ୧୯୭୬ରେ ଅମର ପ୍ରେମ, ୧୯୭୩ରେ କନକଲତା ଏବଂ ୧୯୬୮ରେ କିଏ କାହାର ଆଦି ଚଳଚିତ୍ରରେ ଭିକାରୀ ବଳ କଣ୍ଠଦାନ କରିଛନ୍ତି। /-ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top