ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଈଗୋରୁ ଘଉଡ଼ାଇ ବାକୁ ନେଇ ବଚସା, ଗାଳିଗୁଲଜ, ପରେ ବାଡ଼ି ଧରି ଆକ୍ରମଣ। ପୁଅକୁ ବଂଚାଇବାକୁ ଆସିଥିବା ମାଆଙ୍କ ମୁଣ୍ଡକୁ ବାଡ଼ି, ଇଟା ଓ ପଥରରେ ଛେଚି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡ଼ିଥିବା ମହିଳା ଏବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ। ଧାମନଗର ଥାନା ଅନ୍ତର୍ଗତ ଦାସପାରି (ରାମରାକୁଳ) ଗ୍ରାମରେ ଘଟିଥିବା ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଅଭିଯୋଗ ଅନୁଯାୟୀ, ଗତ ୨୮ ତାରିଖ ସକାଳ ପ୍ରାୟ ୧୦ ଟାରେ ଅଜୟ ଜେନା ନିଜ ଧାନ ଜମି ଆଡ଼କୁ ଯାଉଥିବା ଗାଈଗୋରୁଙ୍କୁ ଘଉଡ଼ାଉ ଥିଲେ। ଏହି ସମୟରେ ଅର୍ଜୁନ ଦାସ, ପାନା ଦାସ, ବାପୁଜି ଦାସ ଓ ଗେଡ଼ି ଦାସ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ପାଇଁ ମାଡ଼ି ଆସିଥିଲେ। ପୁଅ ଉପରେ ଆକ୍ରମଣ ଦେଖି ମାଆ ଭାରତୀ ଜେନା ରୋକିବାକୁ ଆସିଥିଲେ। ହେଲେ ଅଭିଯୋଗ ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ମୁଣ୍ଡକୁ ବାଡ଼ି, ଇଟା ଓ ପଥରରେ ଆକ୍ରମଣ କରାଯାଇଥିଲ। ଗୁରୁତର ଆଘାତରେ ଭାରତୀ ରକ୍ତାକ୍ତ ହୋଇ ଚେତା ଶୂନ୍ୟ ହୋଇପଡ଼ିଥିଲେ।ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଧାମନଗର ମେଡିକାଲ ନିଆଯାଇ ଥିଲା। ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମାଆ ଓ ପୁଅଙ୍କୁ ପୁଣି ସାମ୍ନାରେ ପଡ଼ିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏନେଇ ଅଜୟ ଜେନାଙ୍କ ଅଭିଯୋଗକ୍ରମେ ଧାମନଗର ଥାନାରେ କେସ୍ ନଂ ୫୦୧/୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ୨୯୬, ୧୦୯(୧), ୩୫୧(୨) ଓ ୩(୫) ଦଫାରେ ମାମଲା ରୁଜୁ କରାଯାଇ ଏଏସ୍ଆଇ ନରେନ୍ଦ୍ର କୁମାର ରାଉତ ତଦନ୍ତ କରୁଛନ୍ତି।








