Home ଜିଲ୍ଲା ପରିକ୍ରମା କାଣୀ ନଦୀ ମୁହଁ ବନ୍ଦ ବିବାଦ, ପଥର ବନ୍ଧ ହଟା କାର୍ଯ୍ୟ

କାଣୀ ନଦୀ ମୁହଁ ବନ୍ଦ ବିବାଦ, ପଥର ବନ୍ଧ ହଟା କାର୍ଯ୍ୟ

0

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀର ଶାଖା କାଣୀ ନଦୀର ମୁହଁକୁ ବନ୍ଦ କରିବା ଉଦ୍ୟମକୁ ଝଟକା ଲାଗିଛି।ଯାଜପୁର ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟ ପ୍ରତିବାଦରେ ଧାମନଗରରେ ଦେଖା ଦେଇଥିବା ବିରୋଧାଭାସ ପରେ ପକା ଯାଇଥିବା ପଥର ବନ୍ଧକୁ ଭଙ୍ଗା ଯିବାର ସମ୍ଭାବନା ପ୍ରକାଶ ପାଇଛି।ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ବୈତରଣୀ ସମେତ ଏହାର ସମସ୍ତ ଶାଖା ନଦୀମାନଙ୍କରେ ବାରମ୍ବାର ବନ୍ୟା ଆସିଥିଲା।ଯାହା ବୈତରଣୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ବ୍ୟାପକ ଧନଜୀବନ ହାନିର କାରଣ ହୋଇଥିଲା। ଯାଜପୁର ପାର୍ଶ୍ୱରେ ଥିବା ବୈତରଣୀ ନଦୀର ଅନ୍ୟତମ ଶାଖା କାଣି ନଦୀରେ ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ କୂଳ ବନ୍ଧ ଭାଙ୍ଗି ଯାଇଥିଲା।ନଦୀର ଦୁର୍ବଳ ବନ୍ଧକୁ ସୁଦୃଢ଼ କରିବା ଓ ଆବଶ୍ୟକ ମରାମତି କରିବା ପରିବର୍ତେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀମୁହାଣରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପଥର ଓ କଂକ୍ରିଟ୍ ବନ୍ଧ ନିର୍ମାଣ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ କରାଗଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ବିଭାଗୀୟ ବୈଷୟିକ କମିଟିର ଅନୁଧ୍ୟାନ ଓ ଆବଶ୍ୟକ ଅନୁମୋଦନ ପରେ ଏହି କାର୍ଯ୍ୟ ହୋଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତସାପେକ୍ଷ।ଏଭଳି କାର୍ଯ୍ୟ ବେଆଇନ ଏବଂ ଏପରି ହେଲେ ଭଦ୍ରକ ଜିଲ୍ଲାର ଧାମନଗର ଚାନ୍ଦବାଲି ତିହିଡି ଆଦି ଅଂଚଳରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ରୂପ ଧାରଣ କରିବାକୁ ଥିବାରୁ ପ୍ରତିବାଦ ଜୋର ଧରିଥିଲା।ଧାମନଗରବାସୀ ଏନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ଏହି ପଥର ବନ୍ଧ ନିର୍ମାଣ ଯୋଗୁଁ ନଦୀର ସ୍ୱାଭାବିକ ଜଳପ୍ରବାହ ଓ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ନେଇ ଅଭିଯୋଗ ଉଠିଥିଲା। ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ଅନ୍ୟପଟେ ଜଳ ଅଭାବରୁ ଚାଷକାର୍ଯ୍ୟ ପ୍ରଭାବିତ ହୋଇ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଜନଅସନ୍ତୋଷ ଓ ଆନ୍ଦୋଳନ ଦେଖାଦେବା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ତାଗିଦ୍ ପରେ ପଥର ବନ୍ଧ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ଏହି ବନ୍ଧ ସମ୍ପୂର୍ଣ୍ଣ ଭାବେ କେବେ ଭଙ୍ଗାଯିବ ଏବଂ ନଦୀର ସ୍ୱାଭାବିକ ଜଳପ୍ରବାହ କେବେ ସୁନିଶ୍ଚିତ ହେବ, ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଯାଜପୁର ଅଂଚଳର ସ୍ଥାନୀୟ ବାସିନ୍ଦାମାନେ ନିର୍ମିତ ପଥର ବନ୍ଧକୁ ତୁରନ୍ତ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ନଦୀର ଜଳପ୍ରବାହ ଓ ଜଳ ନିଷ୍କାସନ ବ୍ୟବସ୍ଥାର ବୈଜ୍ଞାନିକ ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି। ଏଥିସହ ଦୁର୍ବଳ ନଦୀବନ୍ଧର ସ୍ଥାୟୀ ମରାମତି ଓ ସୁଦୃଢ଼ୀକରଣ ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି। ନଚେତ୍ ଧାମନଗର ସମେତ ଯାଜପୁର ଅଂଚଳର ଚାଷଜମି ଓ ଜନଜୀବନ ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.