ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ପାଳସାହି ଓ ରଇପୁର ପଂଚାୟତ ଅଂଚଳରେ ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଥିବା ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏହା ଉପରେ ତୁରନ୍ତ ରୋକ ଲଗାଇବା ସହ ନିଶା କାରବାରରେ ସମ୍ପୃକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ରବିବାର ପାଳସାହି ଓ ରଇପୁର ପଂଚାୟତବାସୀଙ୍କ ପକ୍ଷରୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଂଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ସମେତ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଦାବିପତ୍ରରେ ଦର୍ଶାଯାଇଛି। ନିଶା କାରବାର ଯୋଗୁ ଅପରାଧିକ ଗତିବିଧି ବଢ଼ିବା ସହ ପାରିବାରିକ ଅଶାନ୍ତି, ଘରୋଇ ହିଂସା ଓ ଆର୍ôଥକ ସମସ୍ୟା ବଢ଼ୁଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ଯୁବପିଢ଼ି ଓ ଛାତ୍ରଛାତ୍ରୀ ପଡ଼ିବା ନେଇ ମଧ୍ୟ ଅଂଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବେଆଇନ ମଦ ଓ ନିଶା ବିକ୍ରୟସ୍ଥଳ ଚିହ୍ନଟ କରି ନିୟମିତ ଚଢ଼ାଉ, ସମ୍ପୃକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନିୟମିତ ନଜରଦାରି ବଢ଼ାଇବାକୁ ଦାବି ହୋଇଛି। ମନ୍ତ୍ରୀ ସୂରଜ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।







