ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ଅଧୀନ ଦଇପୁର ଗ୍ରାମପଂଚାୟତର କୁସୁମା ଗ୍ରାମରେ ସରକାରୀ ଅନୁଦାନ ବିନିଯୋଗକୁ ନେଇ ଉଠିଛି ପ୍ରଶ୍ନ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଜେନା ସାହି ପଶ୍ଚିମା ଠାରୁ ନାୟକ ସାହି ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ, କୁସୁମା ପ୍ରାଥମିକ ବିଦ୍ୟାଳୟଠାରୁ ଜେନା ସାହି ପର୍ଯ୍ୟନ୍ତ ଅତ୍ୟନ୍ତ ଦୟନୀୟ ରାସ୍ତା ଅବହେଳିତ ହୋଇଥିବା ଅଭିଯୋଗ ହୋଇଛି।ଏହି ରାସ୍ତା ଦେଇ ପ୍ରତିଦିନ ଅନୁସୂଚିତ ଜାତିର ଅନେକ ପରିବାର ଯାତାୟାତ କରୁଥିବାବେଳେ ଛୋଟ ପିଲାମାନେ ଅଙ୍ଗନବାଡ଼ି ଓ ବିଦ୍ୟାଳୟକୁ ଯାଉଛନ୍ତି। ରାସ୍ତାରେ ଫାଟ ଓ ଗାତ ଥିବାରୁ ଦୁର୍ଘଟଣା, ସାପ ଭୟ ଏବଂ ଆମ୍ବୁଲାନ୍ସ ଯାତାୟାତ ରେ ଅସୁବିଧା ହେଉଥିବା ଅଭିଯୋଗ ରହିଛି।ଅନ୍ୟପଟେ ନୂଆ ପ୍ରକଳ୍ପ ପାଇଁ ଚୟନିତ ରାସ୍ତାଟି ପ୍ରାୟ ୨ ବର୍ଷ ପୂର୍ବେ ଜଳସମ୍ପଦ ବିଭାଗ ଅଧୀନରେ ରେବ ନଦୀର କୂଳବନ୍ଧ ଭାବେ ୨୦ ରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜଣା ଯାଇଛି। ଏହି ରାସ୍ତାରେ କେଉଁ ବିଭାଗୀୟ ଅନୁମତିରେ ପୁଣି ୫ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା, ତାହା ଏବେ ତଦନ୍ତର ବିଷୟ। ୨୦୨୧-୨୨ ଆର୍ôଥକ ବର୍ଷରେ ଏସ୍ଏଫ୍ସି/ଜିଆଇଏ ଅଧୀନରେ ଏହି ରାସ୍ତା ପାଇଁ ୨ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଅଧୀନରେ ଥିବା କାରଣରୁ କାମ ହୋଇପାରିନଥିବା ଅଭିଯୋଗ ରହିଛି। ତେବେ ଏବେ କିପରି ନୂଆ ପ୍ରକଳ୍ପ ଅନୁମୋଦିତ ହେଲା, ତାହାର ସ୍ପଷ୍ଟତା ଦାବି କରାଯାଇଛି।ଦାନା ବାତ୍ୟା ସମୟରେ ଦୁଇଟି ରାସ୍ତା ମରାମତି ପାଇଁ ଆସିଥିବା ୪ ଲକ୍ଷ ଟଙ୍କାରେ ଭଲ ରାସ୍ତାରେ ପତଳା ପେଚ ପକାଇ ଅର୍ଥ ବିନିଯୋଗ କରାଯାଇଥିବା ଏବଂ ଶାସକ ଦଳର କେତେକ କର୍ମୀଙ୍କ ହସ୍ତକ୍ଷେପ ଥିବା ଅଭିଯୋଗ ହୋଇଛି। ଏହାସହ ୨୦୧୯-୨୦ ଆର୍ôଥକ ବର୍ଷର ସିଏସ୍ଏସ୍ ଅନୁଦାନରେ କୁସୁମା ପାଟଣା ମିନି ଅଙ୍ଗନବାଡ଼ି ପାଇଁ ୨ ଲକ୍ଷ ଟଙ୍କାର ପ୍ରକଳ୍ପ ଓ ଅନ୍ୟ ଅନୁଦାନକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଛି। ମୋଟ ପ୍ରାୟ ୯ ଲକ୍ଷ ଟଙ୍କାର ପ୍ରକଳ୍ପ ଓ ଅନୁଦାନର ବିନିଯୋଗ ଯାଂଚ ଦାବି ହୋଇଛି।ଭଦ୍ରକ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଧାମନଗର ବିଡିଓ ଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ସ୍କୁଲ ଠାରୁ ଜେନା ସାହି ପର୍ଯ୍ୟନ୍ତ ଜରୁରୀ ରାସ୍ତାରେ ବିନିଯୋଗ କରିବାକୁ ଅନୁରୋଧ କରାଯାଇଛି। ଅଟକିଥିବା ଅନ୍ୟ ପ୍ରକଳ୍ପଗୁଡ଼ିକୁ ଯାଂଚ କରି ନିୟମ ଅନୁଯାୟୀ ଅର୍ଥର ପୁନଃ ବିନିଯୋଗ ଦାବି ହୋଇଛି।ଅଭିଯୋଗ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ଅଦାଲତ ଙ୍କ ଦ୍ୱାରସ୍ଥ ହେବାକୁ ଅଭିଯୋଗକାରୀଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିବା କୁହାଯାଇଛି। ଅଭିଯୋଗ ପାଇଲା ପରେ ଘଟଣା ତଦନ୍ତ କରାଯିବ ବୋଲି ବିଡ଼ିଓ ବନ ବିହାରୀ ଦିନ୍ଦା କହିଛନ୍ତି।
Home ଜିଲ୍ଲା ପରିକ୍ରମା ଭଲ ରାସ୍ତାରେ ୫ ଲକ୍ଷ, ଭଙ୍ଗା ରାସ୍ତା ଅବହେଳିତ, କୁସୁମାରେ ସରକାରୀ ଅନୁଦାନ ବିନିଯୋଗକୁ ନେଇ...







