Home ଜିଲ୍ଲା ପରିକ୍ରମା ଶିଶୁର ୨୧ ଦିନିଆ ଉତ୍ସବରେ ଉତେଜନା,ବୋହୂକୁ ବେକ ଚିପି ହତ୍ୟା ଧମକ ଅଭିଯୋଗ, ଥାନାରେ ମାମଲା

ଶିଶୁର ୨୧ ଦିନିଆ ଉତ୍ସବରେ ଉତେଜନା,ବୋହୂକୁ ବେକ ଚିପି ହତ୍ୟା ଧମକ ଅଭିଯୋଗ, ଥାନାରେ ମାମଲା

1

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବଜାତ ଶିଶୁର ୨୧ ଦିନିଆ ଉତ୍ସବ ଚାଲିଥିବାବେଳେ ପାରିବାରିକ କଳହ ଉଗ୍ରରୂପ ନେବା ସହ ବୋହୂଙ୍କୁ ମାଡ଼ ମାରିବା, ବେକ ଚିପିବା ଓ ହତ୍ୟା ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରେମ ବିବାହର ତିନି ବର୍ଷ ପରେ ଯୌତୁକ ନିର୍ଯାତନାର ଅଭିଯୋଗ ଉଠିବା ଘଟଣା ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି।ଏଭଳି ଘଟଣା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଂଚାୟତର କଂଟିକା ଆରଣ ସାହିରେ ଘଟିଛି। ଏନେଇ ସଙ୍ଗୀତା ଗିରି ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୫୦୭/୨୦୨୬ରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ସଙ୍ଗୀତା ପ୍ରାୟ ତିନି ବର୍ଷ ପୂର୍ବେ ଧୀନୁ ଭାରତୀଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ବିବାହ ପରଠାରୁ ଯୌତୁକ ଦାବିକୁ କେନ୍ଦ୍ର କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ୨୨ ତାରିଖରେ ନିଜ ପୁଅର ୨୧ ଦିନିଆ ଉତ୍ସବ ଚାଲିଥିବା ସମୟରେ ସୁଧାକର ଭାରତୀ ନିଶାସକ୍ତ ଅବସ୍ଥାରେ ହୋହଲ୍ଲା କରିଥିଲେ। ସଙ୍ଗୀତା ବାହାରକୁ ଆସିବା ପରେ ତାଙ୍କୁ ଗାଳିଗୁଲଜ କରିବା ସହ ବେକ ଚିପି ଧରିଥିବା ଅଭିଯୋଗ ହୋଇଛି।ଏହି ସମୟରେ ଅନ୍ୟମାନେ ଝାଡ଼ୁରେ ମାଡ଼ ମାରିଥିବା ଏବଂ ସ୍ୱାମୀ ଧୀନୁ ମଧ୍ୟ ତାଙ୍କ ବେକ ଚିପିଥିବା ସଙ୍ଗୀତା ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଘଟଣା ସମୟରେ ତାଙ୍କ ମୋବାଇଲ୍ ଫୋନ୍‌, ଆଧାର କାର୍ଡ ଓ ଶିଶୁର ମେଡିକାଲ୍ ରିପୋର୍ଟ ଛଡ଼ାଇ ନେଇ ଲୁଚାଇ ରଖିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।ଏହି ଘଟଣାରେ ବିଏନ୍‌ଏସ୍‌ର ଧାରା ୮୫, ୧୧୫(୨), ୧୧୭(୨), ୧୨୬(୨), ୩(୫), ୩୫୧(୨) ଏବଂ ଯୌତୁକ ନିଷେଧ ଆଇନର ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ପ୍ରଦୀପ କୁମାର ନାୟକ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.