ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସମ୍ଭାବ୍ୟ ବାତ୍ୟା “ଆକଭାନ” ଭଦ୍ରକ ଜିଲ୍ଲାକୁ ପ୍ରଭାବିତ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସମନ୍ୱିତ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟା ୬.୦୦ ଘଟିକାରେ ଓସଆନ ହଲରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିଜ ନିଜ ବ୍ଲକ୍ ଓ ତହସିଲ ସମ୍ମିଳନୀ କକ୍ଷରୁ ଓସଆନ ଭିସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀ, ବିଡ଼ିଓ ଓ ତହସିଲଦାରମାନଙ୍କୁ ନିଜ ନିଜ ଅଂଚଳର ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ ବ୍ୟବସ୍ଥା ଓ ମୁକାବିଲା ପଦକ୍ଷେପ ସହ ଗଛ କଟା ମେସିନ୍, ଶୁଖିଲା ଖାଦ୍ୟ, ମେଡିସିନ୍, ପାନୀୟ ଜଳ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ବିଭାଗ / କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ବାତିଲ୍ କରାଯାଇଛି। ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେଇ ନିଜ ନିଜ ମୁଖ୍ୟାଳୟରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ କେହି ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ସମସ୍ତ ଫିଲ୍ଡ ସ୍ତରୀୟ ଅଧିକାରୀ ନିଜ ନିଜ କାର୍ଯ୍ୟାଳୟ / ଫିଲ୍ଡ ମୁଖ୍ୟାଳୟରେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ସତର୍କତା ଓ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ବ୍ଲକ୍ ଓ ଜିଲ୍ଲା ସ୍ତରରେ ୨୪ ଘଂଟିଆ କେଂଟ୍ରାଲ ରୁମ୍ ମନିଟରିଂ ଓ ଜରୁରୀ ମୁକାବିଲା ବ୍ୟବସ୍ଥା କରିବାକୁ କୁହାଯାଇଛି।
Home ଜିଲ୍ଲା ପରିକ୍ରମା ବାତ୍ୟା “ଅକଭାନ” ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ,ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍,ଛୁଟିରେ...








