ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର କାଳୀପୂଜା କେବଳ ଆଧ୍ୟାତ୍ମିକ ମହୋତ୍ସବ ନୁହେଁ, ସାମ୍ପ୍ରଦାୟିକ ସଦ୍ଭାବନାର ଏକ ଯୋଗସୂତ୍ର। ସମଗ୍ର ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କ ସହିତ ଏହି କାଳୀପୂଜା ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ସାମାଜିକ ଓ ସାଂସ୍କୃତିକ ଯୋଗସୂତ୍ର ରକ୍ଷା କରିଆସିଛି। ଏହି ପୂଜାର ବିଶେଷତ୍ୱ ହେଉଛି ଏହାର ମେଳା, ଆନ୍ତଃରାଜ୍ୟ ବାଣିଜ୍ୟିକ କାରବାର ତଥା ସାଂସ୍କୃତିକ ସାମାଜିକ ସହବସ୍ଥାନ। ରେଳବାଇ ପରିସରରେ ଅନୁଷ୍ଠିତ ହେଉଥିବା ୯ଦିନ ମୁଖ୍ୟତଃ ପ୍ଲାଟଫର୍ମ ବାହାରେ ହୋଇଥାଏ। ଏଠାରେ ରେଳ କର୍ତୃପକ୍ଷ ନିଜର ଷ୍ଟେସନ ପରିସରଭୁକ୍ତ ଅଂଚଳକୁ ୯ଦିନ ପାଇଁ ନିଲାମ ଦେଇଥାନ୍ତି। ଦୀପାବଳି ଅମାବାସ୍ୟା ଠାରୁ ୯ଦିନ ପର୍ଯ୍ୟନ୍ତ ଚରମ୍ପା ଅଂଚଳରେ ଏହି ସାଂସ୍କୃତିକ ସମାରୋହରେ ନାଂହି ନଥିବା ଭିଡ଼ ଲାଗି ରହେ। ଅମାବାସ୍ୟାର ଦୁଇଦିନ ପରେ ଭକ୍ତଙ୍କ ଭିଡ଼ ଲାଗିରହେ। ବିଶେଷ କରି ସନ୍ଧ୍ୟା ପର ଠାରୁ ଅର୍ଦ୍ଧରାତି ପର୍ଯ୍ୟନ୍ତ ଜନଗହଳି ନିୟନ୍ତ୍ରଣ ବାହାରକୁ ଚାଲିଯାଏ।ତେବେ ଓଡିଶା ପ୍ରସିଦ୍ଧ ଏହି କାଳୀପୂଜାର ସମାରୋହ ଟି ମୁଖ୍ୟତଃ ଏକ ବିପ୍ପଣୀର ମେଳା। ଭଦ୍ରକ ରେଳଷ୍ଟେସନ ନିକଟରେ ଏହି ଉତ୍ସବ ଟି ପାଳିତ ହେଉଥିବାରୁ ରେଳପଥରେ ସୁବିଧାରେ ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଏହି ମେଳାରେ ନିଜର ବିପ୍ପଣୀ ଖୋଲନ୍ତି।ପଶ୍ଚିମବଙ୍ଗ, ଝାଡଖଣ୍ଡ ବିହାର ଅଂଚଳର କେତେକ ବ୍ୟବସାୟୀ ବଂଶାନୁକ୍ରମିକ ଭାବେ ଏକ ନିର୍ଦିଷ୍ଟ ବ୍ୟବସାୟ ନେଇ ଆସିଥାନ୍ତି। କାଳୀପୂଜାରେ ଦିଅଁ ଦେଖା ହୁଏ କିଣାବିକା ବି ହୁଏ।ସାଂସ୍କୃତିକ ଚେତନା ସହ ବାଣିଜ୍ୟକ ପରମ୍ପରା ଏହି ମେଳା ସହ ଜଡିତ। ବିଶେଷକରି ବିଭିନ୍ନ ପ୍ରକାର ଘରକରଣା ଜିନିଷ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ। ସମୟ ଥିଲା ଯେଉଁ ଦୁଷ୍ପାପ୍ୟ ଭଦ୍ରକରେ ମିଳୁନଥିଲା ତାହା ଲୋକମାନେ ଏହି ଯାତ୍ରାରୁ କିଣି ନେଉଥିଲେ। ଘରକରଣା ଠାରୁ ଆରମ୍ଭକରି ବିବାହ ବ୍ରତ ପର୍ଯ୍ୟନ୍ତ ଆବଶକ୍ୟୟ ସମସ୍ତ ଜିନିଷ ଏହି ଯାତ୍ରାରୁ କିଣା ଯାଉଥିଲା। ଶିଳ ଶିଳପୁଆ, ପେଶା, ପନିକି, ଦା କତା, କରେଇ ଖଡ଼ିକା ଭଳି ଲୁହା ଲକଡ଼ ସହ ଠାକୁରଙ୍କ ଘଂଟି ଘଂଟା ନୋଟା ଆଦି ପିତଳ ର ପୂଜା ଉପକରଣ ଓ କଂସା ବାସନ, ଶଙ୍ଖ ପଥର ତିଆରି ସାମଗ୍ରୀ ଏହି ମେଳା ରୁ ସହଜରେ ମିଳେ। ଏହାଛଡା ମହିଳା ମାନଙ୍କ ପାଇଁ ମନୋହାରୀ ସାମଗ୍ରୀ ର ଏକ କାଳୀନ ଲମ୍ବାଧାଡି ମେଳାକୁ ବେଶ ଆକର୍ଷିତ କରିଥାଏ। ଗୋଟିଏ ଜାଗାରୁ ଏତେ ଗୁଡ଼ାଏ ଜିନଷ ଏକ ସାଙ୍ଗରେ କିଣିବାରେ ଗ୍ରାହକ ଆଗ୍ରହ ସହକାରେ ଖୁସି ହେଇଥାନ୍ତି। ଏହି କାଳୀପୂଜାର ମାହୌଲକୁ ରଂଗାରଙ୍ଗ କରିଥାଏ ଶିଶୁ ଓ କିଶୋରମାନଙ୍କ ମନୋରଂଜନ ପାଇଁ ଚିଡିଆଖାନା, ଛୋଟ ଛୋଟ ସର୍କସ, ରାମଦୋଳି, ଯାଦୁ, ଉଡାଜାହାଜ, ପାଣିଜାହାଜ, ଘୋଡା ଗାଡି, ଜଳପରି ଓ ଭିନ୍ନ ଭିନ୍ନ ଅତ୍ୟାଧୁନିକ ଖେଳ କସରତ। ପୁଣି ଏହି ମେଳାରେ ମିଳୁଥିବା ଭିନ୍ନ ରୁଚିର ଫାଷ୍ଟଫୁଡ୍ ସହ କଟକ ଠୁଙ୍କା ପୁରୀ, ଆଳୁଦମ୍ ଚାର୍ଟ ଅନ୍ୟ ଏକ ଆକର୍ଷଣ। ତେବେ ଗତ କିଛିବର୍ଷ ଧରି ‘ଟାଟୁ ଆର୍ଟ’ ଯୁବପିଢିଙ୍କୁ ଆକୃଷ୍ଟ କରୁଥିବାରୁ ଚଳିତବର୍ଷ ଏହି ଦୋକାନମାନଙ୍କରେ ଯୁବକ-ଯୁବତୀଙ୍କ ଭିଡ ବେଶ୍ ଦେଖିବାକୁ ମିଳିଛି। ସମୟ ବଦଳିଛି। ଗମନାଗମନ ର ସୁଭିଦା ପରେ ଏବେ କିନ୍ତୁ ଏସବୁ ବେପାର ମାନ୍ଦା ହୋଇପଡିଛି। ଭଦ୍ରକ ସହର ସମେତ ଜିଲ୍ଲାର ଛୋଟ ବଡ଼ ସହରାଂଚଳରେ ଏବେ ସବୁ ଜିନିଷ ମିଳୁଥିବାରୁ କାଳୀପୁଜାରେ ଏହି ପାରମ୍ପରିକ ଜିନିଷର ଚାହିଦା କମିଯାଇଛି ବୋଲି କୁହନ୍ତି ଭଦ୍ରକ ବାଣିଜ୍ୟ ସଙ୍ଘର ପ୍ରମୁଖ ଗୌରାଙ୍ଗ ପଣ୍ଡା। ବିଗତ ବର୍ଷମାନଙ୍କ ଭଳି ଏହି ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଭଦ୍ରକ କାଳୀପୂଜାକୁ ଆସିଛନ୍ତି। ଏହି କାଳୀପୂଜାରେ ବିପ୍ପଣୀ ଖୋଲିଥିବା କଲିକତା ଦୀଘା ଅଂଚଳର ବ୍ୟବସାୟୀ କହନ୍ତି ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ୍ୱ ଶଙ୍ଖ ବ୍ୟବସାୟ ଏହି କାଳୀପୂଜାରେ ଶଙ୍ଖ ଓ ଶାମୁକାରେ ନିର୍ମିତ ଲକେଟ୍, ଅଙ୍ଗୁଠି, କାନଫୁଲ ଓ ଅନ୍ୟାନ୍ୟ ଘର ସାଜସଜ୍ଜା ସାମଗ୍ରୀ ନେଇ ଆସିଛି। ମୁଁ ପିଲାଟି ବେଳୁ ବାପାଙ୍କ ସାଙ୍ଗରେ ଏହି ଶଙ୍ଖ ଜିନିଷ ନେଇ ଆସେ। ଏବେବି ଆସିଛି। ତେବେ ଆଗ ବେପାର ଏବେ ନାହିଁ। ତଥାପି ବଂଶାନୁକ୍ରମିକ ଭାବେ ଏହି ମେଳାକୁ ଆସି ପରମ୍ପରା ବଜାୟ ରଖିଛି।








