ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ପାର୍ବତୀ ବେହେରାଙ୍କୁ ଜୋରଜବରଦସ୍ତି ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ଦେଇ ସ୍କୁଲରୁ ବିଦା କରିବା ହେତୁ ୨ ମାସ ହେଲା ପାଠପଢ଼ାରୁ ବଂଚିତ ହୋଇଛନ୍ତି। ବ୍ୟକ୍ତିଗତ ବିବାଦକୁ କେନ୍ଦ୍ରକରି ପ୍ରଧାନଶିକ୍ଷକ ଏଭଳି ପଦକ୍ଷେପ ନେଇଥିବା ଛାତ୍ରୀଙ୍କ ବାପା ବଳରାମ ବେହେରା ଓ ମା ଲକ୍ଷ୍ମୀପ୍ରିୟା ବେହେରା ଅଭିଯୋଗ କରୁଛନ୍ତି। ଏହାଦ୍ୱାରା କୋମଳମତି ଛାତ୍ରୀ ଜଣକ ୨ମାସ ହେଲା ପାଠପଢ଼ାରୁ ବଂଚିତ ହୋଇଥିବାରୁ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ପାର୍ବତୀ ବେହେରାଙ୍କୁ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ ଟିସି ପ୍ରଦାନ କରିଛନ୍ତି। ଗତ ଜୁଲାଇ ମାସରେ ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ଏକ ସାମାନ୍ୟ ବଚସାକୁ ନେଇ ଛାତ୍ରୀଙ୍କ ମା’ ବିଦ୍ୟାଳୟକୁ ଯାଇଥିବା ବେଳେ ପ୍ରଧାନଶିକ୍ଷକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଜୁଲାଇ ୨୪ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ତେବେ ଏହାର କିଛି ଦିନ ପରେ ଗତ ଅକ୍ଟୋବର ୮ ତାରିଖରେ ପ୍ରଧାନଶିକ୍ଷକ ଟିସି ନଂ ୨୭/୨୦୨୬ ଜାରି କରିଥିଲେ। ଏଥିରେ “ଅନ୍ୟତ୍ର ପଢ଼ନ୍ତୁ’ ଉଲ୍ଲେଖ କରାଯାଇଛି। ଛାତ୍ରୀଙ୍କ ବାପାମା’ଙ୍କ ପକ୍ଷରୁ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ କୌଣସି ଲିଖିତ ଆବେଦନ କରାଯାଇନଥିବା ସତ୍ୱେ ଟିସି ଜୋରଜବରଦସ୍ତି ଜାରି କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏହା ସହ ବାପାମା’ କୌଣସି ପାଠ ପଢ଼ିନଥିବାରୁ ତାଙ୍କଠାରୁ ଖାତାରେ ଜୋରଜବରଦସ୍ତି ଦସ୍ତଖତ ନେଇଥିବା ତାଙ୍କ ବାପାମା’ କହିଛନ୍ତି। ଫଳରେ ଛାତ୍ରୀଙ୍କ ପାଠପଢ଼ା ୨ ମାସ ହେବ ବାଧାପ୍ରାପ୍ତ ହୋଇଛି। ଶିକ୍ଷା ଅଧିକାର ଆଇନ-୨୦୦୯ରେ ୬ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା ରହିଛି। ଏଥିସହ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପୂର୍ବରୁ ଶିଶୁଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବା ଉପରେ ଆଇନଗତ କଟକଣା ରହିଛି। ଏଭଳି ସ୍ଥିତିରେ ଜଣେ ଛୋଟ ଛାତ୍ରୀଙ୍କୁ କେଉଁ ପରିସ୍ଥିତିରେ ଟିସି ପ୍ରଦାନ କରାଗଲା, ତାହାର ତଦନ୍ତ ଆବଶ୍ୟକ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିବା ବେଳେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ନିଲମ୍ବନ ସମେତ ଦୃଢ଼ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଛାତ୍ରୀଙ୍କୁ ପୁନର୍ବାର ବିଦ୍ୟାଳୟରେ ପାଠ ପଢ଼ିବାକୁ ଦେବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି। ଏନେଇ ଧାମନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁଙ୍କୁ ପଚାରିବାରୁ କୁହନ୍ତି, ଘଟଣା ବିଷୟରେ ମୁଁ ୨ ଦିନ ତଳେ ଅବଗତ ହୋଇଛି। ବାଧ୍ୟତାମୂଳକ ଟିସି ଦେବା ନିୟମ ନାହିଁ। ଯଦି ବଚସାକୁ ନେଇ ଟିସି ଦେଇଛନ୍ତି, ତେବେ ମଙ୍ଗଳବାର ପ୍ରଧାନଶିକ୍ଷକଙ୍କୁ ଅଫିସ ଡକାଯାଇ ତଦନ୍ତ କରାଯିବ ଓ ଛାତ୍ରୀଙ୍କୁ ପାଠ ପଢ଼ିବାକୁ ସେହି ସ୍କୁଲରେ ଆଡମିଶନ କରାଯିବ ବୋଲି ବିଇଓ କହିଛନ୍ତି।
Home ଜିଲ୍ଲା ପରିକ୍ରମା ପାଠପଢ଼ାରୁ ବଂଚିତ ହେଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ, ଟିସି ଦେଇ ବିଦ୍ୟାଳୟରୁ ବିଦା କଲେ ପ୍ରଧାନଶିକ୍ଷକ








