ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରମ ବୈଷ୍ଣବୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ରବିବାର ବେଦମାତା ଓ ସୋମବାର ମହାକାଳୀ ବେଶରେ ପୂଜା ପାଇଛନ୍ତି। ଚଳିତ ବର୍ଷ ମହାଯଜ୍ଞର ୨୫ ବର୍ଷ ପୂର୍ତୀ ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ପୀଠରେ ପ୍ରଦର୍ଶନ ହେଉଛି ପବିତ୍ର ଶିବ ରତ୍ନମଣି ଓ ଅତି ଦୁର୍ଲ୍ଲଭ ଗୋମତୀ ଚକ୍ର। ରବିବାର ସକାଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପବିତ୍ର ସାଳନ୍ଦୀ ନଦୀରୁ ଘଟରେ ଜଳ ଆଣି କଳସ ମଣ୍ଡପରେ ଘଟ ସ୍ଥାପନ କରିଥିଲେ। ନାନା ବାଦ୍ୟ, ସଂକୀର୍ତନ ରାଧାକୃଷ୍ଣ ନୃତ୍ୟ ବେଦପାଠରେ କଳସ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। କଳସ ଶୋଭାଯାତ୍ରାରେ ଭକ୍ତମାନେ ପୀଠକୁ ଫେରିବା ପରେ ମନ୍ଦିର ଶିଖରରୁ ବିହଙ୍ଗ ଛଡାଯାଇଥିଲା। ବିହଙ୍ଗ ମହାଯଜ୍ଞ ବାର୍ତା ବାହକ ରୂପେ ଶାସ୍ତ୍ରୀୟ ନୀତି ଓ ଶ୍ଳୋକ ପାଠ କରି ଛଡାଯାଇଥିଲା। ମାର୍ଗ ଦର୍ଶକ ଗଗନ ଗୁରୁଜୀଙ୍କ ପୌରୋହିତ୍ୟରେ କଳସ ଶୋଭାଯାତ୍ରା ଓ ପକ୍ଷୀ ପ୍ରେରଣ କରାଯାଇଥିଲା। ପୀଠରେ ପଂଚ ଦେବତା ପୂଜା, ସୂର୍ଯ୍ୟ ପୂଜା ଓ ଗୁରୁ ପୂଜା ପରେ ଆରମ୍ଭ ହୋଇଥିଲା ମହାଯଜ୍ଞ। ମାନସିକ ଧାରୀ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ବଂଟନ କରାଯାଇଥିଲା। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଭକ୍ତମାନଙ୍କ ସହିତ କଳସ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ। ମହାଯଜ୍ଞରେ ଚଳିତ ବର୍ଷ ମା’ଙ୍କୁ ଦୁଇ ଥର ବେଶ କରାଯାଉଛି। ସକାଳୁ ଆଭୂଷଣରେ ମା’ ସଜେଇ ହେଉଥିଲା ବେଳେ ଅପରାହ୍ନରେ ମା’ ଙ୍କର ପୁଷ୍ପ ବେଶ କରାଯଉଛି। ଅପରାହ୍ନରେ ମା’ଙ୍କ ର ମୁକୁଟ, ଓ ମା’ ପରିଧାନ କରିଥିବା ଅଳଙ୍କାର ଗୁଡ଼ିକ ସମ୍ପୂର୍ଣ୍ଣ ପୁଷ୍ପ ବେଶରେ ସଜ୍ଜିତ କରାଯାଉଛି। ମା’ ଙ୍କ ର ପୁଷ୍ପ ବେଶକୁ ଦର୍ଶନ କରିବା ନିମନ୍ତେ ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ ପୀଠରେ ଭିଡ ପରିଲିଖିତ ହୋଇଥିଲା। ବେଦମାତା ବେଶରେ ମା’ ଙ୍କୁ ଦର୍ଶନ କଲେ ଭକ୍ତ ମାନେ ବିଦ୍ୟା, ବୁଦ୍ଧି, ଜ୍ଞାନ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ମହାକାଳୀ ବେଶରେ ମା’ ଉଗ୍ର ରୂପରେ ଦର୍ଶନ ଦେଇଥାନ୍ତି। ମା’ଙ୍କ ପୀଠରେ ବର୍ଷ ସାରା ଶାନ୍ତ ରୂପରେ ପୂଜା ପାଉଥିବାବେଳେ ବର୍ଷରେ ଗୋଟିଏ ଦିନ କାଳୀ ପୂଜା ଅବସରରେ ମହାକାଳୀ ରୂପରେ ପୂଜା ପାଇଥାନ୍ତି। ମହାକାଳୀ ରୂପରେ ମା’ ଙ୍କୁ ଦର୍ଶନ କଲେ ଭକ୍ତ ମନରୁ ପାପ, ଗର୍ବ, ଅହଙ୍କାର ବିନାଶ ହୁଏ ଭକ୍ତ ଧର୍ମ ମାର୍ଗରେ ଆଚରଣ କରେ ବୋଲି ବିଶ୍ୱାସ କରାଯାଇଥାଏ। ମଙ୍ଗଳବାର ମା’ ରାଜରାଜେଶ୍ୱରୀ ବେଶରେ ପୂଜା ପାଇବେ। ମା’ ଙ୍କର ରାଜରାଜେଶ୍ୱରୀ ବେଶ ପାଇଁ ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପୀଠରେ ଭାଗବତ ପାଠ, ଚଣ୍ଡୀ ପାଠ, ସଂକୀର୍ତନ, ରୁଦ୍ରାଭିଷେକ, ବେଦପାଠ ଚାଲିଛି। ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ମା’ ଭଦ୍ରକାଳୀଙ୍କ ପୀଠରେ। ଚଳିତ ବର୍ଷ ତୋରଣ, ଆଲୋକ ମାଳା ସାଜସଜ୍ଜା ମଧ୍ୟ ଭକ୍ତ ମାନଙ୍କୁ ଆକର୍ଷିତ କରୁଛି। ସନ୍ଧ୍ୟା ଆଳତି ପରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ସନ୍ଧ୍ୟାରେ ଗାୟିକା ଉଷାରାଣୀ ନାୟକ ପାଲା ପରିବେଶନ କରିଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ପାଇକ ଆଖଡ଼ାର ଆସର ଜମିଥିଲା। ମା’ ଭଦ୍ରକାଳୀ ପୀଠରେ ମହାଯଜ୍ଞର ରୌପ୍ୟ ଜୟନ୍ତି ପାଳନରେ ନିଆରା ପରିବେଶ ଭକ୍ତଙ୍କୁ ଆକର୍ଷିତ କରୁଛି।








