Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜରେ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ସଚେତନତା କାର୍ଯ୍ୟକ୍ରମ ସହ ଜାତୀୟ କର୍କଟ ସଚେତନତା...

ଭଦ୍ରକ କଲେଜରେ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ସଚେତନତା କାର୍ଯ୍ୟକ୍ରମ ସହ ଜାତୀୟ କର୍କଟ ସଚେତନତା ଦିବସ ପାଳିତ

5

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରସେବା କେନ୍ଦ୍ର , ଶକ୍ତିଶ୍ରୀ ସେଲ୍ ଏବଂ ଗୃହବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ‘ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ଜାତୀୟ କର୍କଟ ସଚେତନତା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଭଦ୍ରକ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ କର୍କଟ ରୋଗର ପ୍ରତିରୋଧ, ପ୍ରାଥମିକ ଲକ୍ଷଣ ଚିହ୍ନଟ ଓ ସମୟୋଚିତ ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲାର ମହାମାରୀ ବିଶେଷଜ୍ଞ ଡ. ପାର୍ଥସାରଥୀ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡ. ଆକାଶ କୁମାର ନନ୍ଦ ଯୋଗଦେଇ ମାନସିକ ଚାପ, ଅବସାଦ, ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରାଥମିକ ଲକ୍ଷଣ ଏବଂ ଏହାର ଉପଯୁକ୍ତ ପରାମର୍ଶ ଓ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ନିଜର ମତାମତ ରଖିଥିଲେ। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ସହ ସମାନ ଗୁରୁତ୍ୱ ଦେବା ସହ ଏ ସମ୍ପର୍କରେ ରହିଥିବା ସାମାଜିକ ଭ୍ରାନ୍ତଧାରଣା ଦୂର କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପ୍ରଶାସନିକ ବର୍ସର ଡ. ଲକ୍ଷ୍ମୀକାନ୍ତ ନାୟକ, ସହକାରୀ ପ୍ରଶାସନିକ ବର୍ସର ଡ. ସଞ୍ଜୟ କୁମାର ଦତ ଏବଂ ଏକାଡେମିକ୍ ବର୍ସର ଡ. ବ୍ରହ୍ମାନନ୍ଦ ପଣ୍ଡା ନିଜର ମତାମତ ରଖିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ମାନସିକ ସୁସ୍ଥତା ଓ ସ୍ୱାସ୍ଥ୍ୟ ସଚେତନତାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମଟିକୁ ଛାତ୍ରସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ଅକ୍ଷୟ କୁମାର ଦାସ, ସଦସ୍ୟ ଡ. ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଆୟୋଜନ କରିଥିଲେ। ଶକ୍ତିଶ୍ରୀ ସେଲ୍‌ର ସଂଯୋଜିକା ଡ. ସ୍ୱପ୍ନା ସାରିତା ମହାପାତ୍ର ଓ ଡ. ହଂସିତା ଓଝା ଏବଂ ଗୃହବିଜ୍ଞାନ ବିଭାଗର ମୁଖ୍ୟ ଡ. ସ୍ମରଣିକା ପରିଡ଼ା ଓ ଡ. ସୁଶ୍ରୀ ସଙ୍ଗୀତା ଦାସ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମନସ୍ତତ୍ୱ ବିଭାଗ ଓ ଗୃହବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ, ସମୟୋଚିତ ଚିକିତ୍ସା, କର୍କଟ ରୋଗ ସମ୍ପର୍କରେ ସଚେତନତା ଏବଂ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାର ବାର୍ତା ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କ ନିକଟରେ ପହଂଚିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.