ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା “ଜାତୀୟ ଏକତା ଦିବସ’ ପାଳିତ ହୋଇଯାଇଛି। ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସକାଳେ ଏକ ଭବ୍ୟ ଏକତା ଦୌଡ଼ ର ଆୟୋଜନ କରାଯାଇଥିଲା। ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ଧାମନଗର ମେଡିକାଲ ବଜାର ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଂଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ପୋଲିସ ପ୍ରଶାସନର କର୍ମଚାରୀମାନେ ଯୋଗଦେଇ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ। ଏହାପରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାବାନ ମାଧ୍ୟମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ଧାମନଗର ଥାନା ତରଫରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସଫଳ ଆୟୋଜନ ସ୍ଥାନୀୟ ଅଂଚଳରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଏବଂ ସାମାଜିକ ସଦ୍ଭାବନା ଜାଗ୍ରତ କରିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।








