ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ରୋକିବାରେ ସମସ୍ତଙ୍କ ସକ୍ରିୟ ଭୂମିକା ରହିଛି ବୋଲି ଉଲ୍ଲେଖ କରିବା ସହିତ ପ୍ରତ୍ୟେକ ଅଧିକାରୀ, ଜନସାଧାରଣ ଓ ଯୁବପିଢି ଏଥିପ୍ରତି ଆତ୍ମ ନିୟନ୍ତ୍ରଣ କରି ନିଜ କର୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା, ସ୍ୱଚ୍ଛତା ସହ ଦାୟିତ୍ୱ ନିର୍ବାହ କରିବା, ଜନସାଧାରଣଙ୍କ ହିତ ସାଧନ ଲାଗି ସମର୍ପିତ ରହିବା, ଜନସଚେତନତା ହିଁ ସମାଜରେ ଦୁର୍ନୀତିର ମୂଳୋତ୍ପାଟନ କରିବାରେ ସହାୟକ ହେବ ବୋଲି କହିଥିଲେ। ଦୁର୍ନୀତି ନିବାରଣ ବିଭାଗ ଭଦ୍ରକର ଉପ ଆରକ୍ଷୀ ଅଧୀକ୍ଷକ ଦୁଷ୍ମନ୍ତ କୁମାର ନାୟକ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରି ଚଳିତ ବର୍ଷର ବାର୍ତା ପ”ସାଧୁତାରୁ ସମୃଦ୍ଧି’ପ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ସଂଯୋଜନା ଶିକ୍ଷକ ମନୋଜ କୁମାର କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଓ ଭଦ୍ରକ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା, କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।








