ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୬ ନମ୍ବର ୱାର୍ଡରେ ନିର୍ମାଣ ହୋଇଥିବା ଫେବର ବ୍ଲକ୍ ରାସ୍ତାର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତା ନିର୍ମାଣର କିଛି ସମୟ ମଧ୍ୟରେ ଫେବର ବ୍ଲକ୍ ଭାଙ୍ଗିଯିବା ସହ ବିଭିନ୍ନ ସ୍ଥାନରୁ ଉଠିଯାଉଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତାର ସ୍ଥାୟିତ୍ୱ ଓ ନିର୍ମାଣର ଗୁଣବତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ ବିପୁଳ ଅର୍ଥ ବ୍ୟୟ ହୋଇଥିବା ସତ୍ୱେ ଏହାର ଅବସ୍ଥା ଏପରି କାହିଁକି ହେଲା, ତାହାର ଉତର ଦାୟିତ୍ୱରେ ଥିବା ଅଧିକାରୀ ଦେବା ଆବଶ୍ୟକ। ଏହି ଅଂଚଳରେ ପେଭର ବ୍ଲକ୍ ବଦଳରେ ଯଦି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥାନ୍ତା, ତେବେ ତାହା ଅଧିକ ସ୍ଥାୟୀ ହୋଇପାରିଥାନ୍ତା ବୋଲି କେତେକ ଲୋକ ମତ ପ୍ରକାଶ କରିଛନ୍ତି। ଏହି କାମ ପାଇଁ ଟେଣ୍ଡର ପ୍ରକ୍ରିୟା କିପରି ହୋଇଥିଲା, କାମର ମାନ ଯାଂଚ କରାଯାଇଥିଲା କି ନାହିଁ ଏବଂ କେଉଁ ଆଧାରରେ ବିଲ୍ ପାସ୍ କରାଯାଇଛି, ସେସବୁର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଏଥିସହିତ ସମ୍ପୃକ୍ତ ଯନ୍ତ୍ରୀ, ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଭୂମିକା ଯାଂଚ କରି ଅନିୟମିତତା ପ୍ରମାଣିତ ହେଲେ ଉପଯୁକ୍ତ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏହି ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଲୋକମାନେ ଏକତ୍ରିତ ହୋଇ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପୌରପାଳିକା କର୍ତୃପକ୍ଷ ତୁରନ୍ତ ଘଟଣାର ତଦନ୍ତ କରି ରାସ୍ତାର ଗୁଣବତା ଯାଂଚ କରିବା ସହ ଆବଶ୍ୟକ ମରାମତି ଓ ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାର ୨୬ ନମ୍ବର ୱାର୍ଡରେ ଫେବର ବ୍ଲକ୍ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ,ପୌରପାଳିକା...








