ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଐତିହାସିକ କାଳୀପୂଜା ଗଣପର୍ବକୁ ସୁସଂଗଠିତ, ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଭବ୍ୟ ଭାବେ ପାଳନ କରିବା ନିମନ୍ତେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଭଦ୍ରକ ଜିଲାର ହୋଇଥିବାରୁ ଚଳିତବର୍ଷର କାଳୀପୂଜାକୁ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଭଦ୍ରକର ଗଣପର୍ବ ଐତିହାସିକ କାଳୀପୂଜା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଓ ବ୍ୟବସାୟୀମାନେ ଆସିଥାନ୍ତି। ଏଣୁ ଭିଡର ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେବା ସହ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରି ପାଳନ କରାଗଲେ ପୂଜାର ମହତ୍ୱ ବଢିବ ବୋଲି ସେ କହିଥିଲେ। ଏହି ବୈଠକରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଡିଆଇବି) ଅଂଶୁମାନ ଦ୍ୱିବେଦୀଙ୍କ ସମେତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ବିଶେଷକରି ଏହି ବୈଠକରେ କାଳୀପୂଜା ଅବସରରେ ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ସ୍ୱଚ୍ଛତା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂଜାସ୍ଥଳୀ ଅଂଚଳରେ ରାସ୍ତା ପ୍ରଶସ୍ତିକରଣ, ମେଢ଼ ଅଂଚଳରୁ ପ୍ରତିଦିନ ଆବର୍ଜନା ସଂଗ୍ରହ ଓ ଅପସାରଣ, ନାଳଗୁଡ଼ିକର ସଫେଇ ସହିତ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରାଯାଇଥିଲା। ଭକ୍ତ ଓ ସାଧାରଣ ଜନସାଧାରଣଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବା ସହିତ ପୂଜା ସମୟରେ ନିୟୋଜିତ ମହିଳା ପୋଲିସ କର୍ମଚାରୀଙ୍କ ନିମନ୍ତେ ଶୌଚାଳୟ ସୁବିଧା ଉପଲବ୍ଧ କରାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ମେଢ଼ ଅଂଚଳରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଆବଶ୍ୟକୀୟ ଆଲୋକୀକରଣ ବ୍ୟବସ୍ଥା କରିବା ଏବଂ ପୂଜାସ୍ଥଳୀରେ ପରିଷ୍କାର-ପରିଚ୍ଛନ୍ନତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ରେଳବାଇ ବିଭାଗ ପକ୍ଷରୁ ଆବଶ୍ୟକ ଆଲୋକୀକରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜନସୁବିଧାମୂଳକ ପଦକ୍ଷେପ ନେବା ସମ୍ପର୍କରେ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। କାଳୀପୂଜା ଅବସରରେ ଭବ୍ୟ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପୂଜାର ସାଂସ୍କୃତିକ ପରମ୍ପରା ଓ ଭଦ୍ରକର ଐତିହ୍ୟକୁ ଉଜ୍ଜ୍ୱଳ କରିବା ଉପରେ ଆଲୋଚନା ହୋଇଥିଲା। ଭଦ୍ରକର ଐତିହାସିକ କାଳୀପୂଜାକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ଗୌରବମୟ କରିବା ଉଦ୍ଦେଶ୍ୟରେ ‘ଭଦ୍ରକ କାଳୀପୂଜା ଗୌରବ ସମ୍ମାନ-୨୦୨୬’ ପ୍ରଦାନ ସମ୍ପର୍କରେ ମଧ୍ୟ ନିୟମାବଳୀ ଉପସ୍ଥାପନ କରାଯାଇଥିଲା। ଏହାର ମୂଳ ବାର୍ତା ରହିଛି “ପରମ୍ପରାରେ ଗୌରବ, ଭବ୍ୟତାରେ ଭଦ୍ରକ”। ଏହି ସମ୍ମାନ ପାଇଁ ଭଦ୍ରକ ଜିଲ୍ଲାରେ ଆୟୋଜିତ କାଳୀପୂଜା ମଣ୍ଡପ ଓ ପୂଜା କମିଟିଗୁଡ଼ିକ ବିଚାରଯୋଗ୍ୟ ହେବେ। ସମ୍ପୃକ୍ତ ପୂଜା କମିଟିଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ତଥ୍ୟ ଓ ଦଲିଲ ଦାଖଲ କରିବେ। ବିଚାରକମଣ୍ଡଳୀଙ୍କ ଦ୍ୱାରା ପୂଜା ମଣ୍ଡପଗୁଡ଼ିକର ସ୍ଥଳ ପରିଦର୍ଶନ କରାଯାଇ ୧୦୦ ନମ୍ବର ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯିବ। ମୂଲ୍ୟାୟନ ସମୟରେ ମଣ୍ଡପର ସୌନ୍ଦର୍ଯ୍ୟ, ପ୍ରତିମା, ସୃଜନଶୀଳତା, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସୁରକ୍ଷା ବ୍ୟବସ୍ଥା, ଆଲୋକୀକରଣ, ଶୃଙ୍ଖଳା, ଭଦ୍ରକର ଐତିହ୍ୟ ଓ ସାମାଜିକ ସେବା ଆଦିକୁ ବିଚାରକୁ ନିଆଯିବ। ଏଥିସହିତ ପ୍ରଶାସନିକ ନିୟମ, ଶବ୍ଦଦୂଷଣ ନିୟନ୍ତ୍ରଣ ନିୟମ, ଅଗ୍ନି ନିରାପତା ଓ ଅନ୍ୟାନ୍ୟ ସରକାରୀ ନିର୍ଦ୍ଦେଶାବଳୀର ଅନୁପାଳନକୁ ବିଶେଷ ଗୁରୁତ୍ୱ ଦିଆଯିବ। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ପ୍ରଶାସନିକ ବିଚାରକମଣ୍ଡଳୀଙ୍କ ପ୍ରଦତ ନମ୍ବରର ସମନ୍ୱୟ ଆଧାରରେ ଚୂଡ଼ାନ୍ତ ଫଳାଫଳ ନିର୍ଦ୍ଧାରଣ କରାଯିବ। ସମାନ ନମ୍ବର ମିଳିଲେ ବିଚାରକମଣ୍ଡଳୀଙ୍କ ନିଷ୍ପତି ଅନୁଯାୟୀ ଶ୍ରେଣୀକ୍ରମ ସ୍ଥିର କରାଯିବ। ବିଚାରକମଣ୍ଡଳୀଙ୍କ ନିଷ୍ପତି ଚୂଡ଼ାନ୍ତ ରହିବ ଏବଂ ଏ ସମ୍ପର୍କରେ କୌଣସି ଅଭିଯୋଗ ବା ଆପତି ଗ୍ରହଣ କରାଯିବ ନାହିଁ। ଚୂଡ଼ାନ୍ତ ଫଳାଫଳ ଘୋଷଣା ପରେ ବିଜେତା ତିନିଟି ପୂଜା ମଣ୍ଡପକୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପ୍ରଥମ ପୁରସ୍କାର ୧,୦୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୭୫,୦୦୦ ଟଙ୍କା ଓ ତୃତୀୟ ପୁରସ୍କାର: ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ବିଜେତା ପୂଜା ମଣ୍ଡପଗୁଡ଼ିକୁ ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଓ ‘ଭଦ୍ରକ କାଳୀପୂଜା ଗୌରବ ସମ୍ମାନ-୨୦୨୬’ ପ୍ରଦାନ କରାଯିବ। ପୁରସ୍କାର ବିତରଣ ସମାରୋହରେ ଭଦ୍ରକର ମାନ୍ୟବର ବିଧାୟକଙ୍କ ଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ତିନୋଟି ପୂଜା ମଣ୍ଡପକୁ ଆନୁଷ୍ଠାନିକ ଭାବେ ପୁରସ୍କୃତ କରାଯିବ। ଭଦ୍ରକର ଏହି ପାରମ୍ପରିକ ଗଣପର୍ବକୁ ସୁରକ୍ଷିତ, ସ୍ୱଚ୍ଛ, ଶୃଙ୍ଖଳିତ ଓ ଭବ୍ୟ କରିବା ସହିତ ଜିଲ୍ଲାର ସାଂସ୍କୃତିକ ଗୌରବକୁ ଆହୁରି ସମୃଦ୍ଧ କରିବା ଦିଗରେ ପ୍ରଶାସନ, ପୋଲିସ, ପୌରପାଳିକା, ରେଳବାଇ ବିଭାଗ ଓ ପୂଜା କମିଟିଗୁଡ଼ିକର ସମନ୍ୱିତ ପ୍ରୟାସ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ କାଳୀପୂଜା-୨୦୨୬ ପ୍ରସ୍ତୁତି ବୈଠକ,ଶାନ୍ତିଶୃଙ୍ଖଳା, ସ୍ୱଚ୍ଛତା ଓ ଭବ୍ୟ ଆୟୋଜନ ଉପରେ ଗୁରୁତ୍ୱ








