ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କୁବେରା ପଂଚାୟତର ଦେଉଳା ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତା ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ଓ ପରେ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ କରିବା ଅଭିଯୋଗ ହୋଇଛି।ପୋଲିସ ଏହି ଘଟଣାରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ହୋଇଥିବା ଯୁବକ ହେଉଛନ୍ତି ସୟା ପଞ୍ଚାୟତ ଡ଼ିଆଁସାହି ଗାଁର ସୁଶାନ୍ତ ମଲ୍ଲିକ (୩୧) ବୋଲି ଜଣା ଯାଇଛି । ପ୍ରକାଶ ଯେ, ସୁଶାନ୍ତ ସମ୍ପୃକ୍ତ ଯୁବତୀ ନାବାଳିକା ଥିବା ସମୟରୁ ତାଙ୍କ ସହିତ ସମ୍ପର୍କସ୍ଥାପନ କରି ଆସିଥିଲେ । ବିଭିନ୍ନ ସମୟରେ ଯୁବତୀ ଜଣଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ତା ସହିତ ଶାରୀରିକ ସମ୍ପର୍କ ମଧ୍ୟ ରକ୍ଷା କରୁଥିଲେ । ତେବେ ନିକଟରେ ସୁଶାନ୍ତ ଯୁବତୀଙ୍କୁ ନେଇ ଭଦ୍ରକର ଏକ ହୋଟେଲରେ ରଖି ତା ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ସହିତ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଉତୋଳନ କରିଥିଲେ । ପରେ ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ମନୋମାଳିନ୍ୟ ହେବାରୁ ସୁଶାନ୍ତ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦେଇଥିଲେ । ଯୁବତୀ ଏକଥା ଜାଣିବା ପରେ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଯୁବତୀଙ୍କ ମାଆ ଏଥିନେଇ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଘଟଣାର ତଦନ୍ତ କରିଥିଲେ । ଘଟଣାର ସତ୍ୟାସତ୍ୟ ଜାଣିବାପରେ ଆଇଆଇସି ନାୟକ ଚଳିତମସ ୩ ତାରିଖରେ ନଂ – ୩୬୧/୨୬ରେ ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସୁଶାନ୍ତକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।








