ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟିଗୁଡ଼ିକର ନବୀକରଣ ପ୍ରକ୍ରିୟାକୁ ସରଳ, ସୁଗମ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ (ଆଜିଆର), ଓଡ଼ିଶା ପୋର୍ଟାଲରେ “ରିନୁଆଲ ଉଇଥ୍ ଏମେଣ୍ଡମେଣ୍ଡ” ନାମରେ ନୂଆ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହାଦ୍ୱାରା ସୋସାଇଟି ନବୀକରଣ ସହ ସଂଶୋଧନ ସମ୍ବନ୍ଧୀୟ ଆବେଦନ ପ୍ରକ୍ରିୟା ଅଧିକ ସହଜ ହେବ। ସୋସାଇଟି ନବୀକରଣ ପ୍ରକ୍ରିୟାରେ ବିଳମ୍ବକୁ ହ୍ରାସ କରି ଆବେଦନଗୁଡ଼ିକର ତ୍ୱରିତ ନିଷ୍ପତି ନିମନ୍ତେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଓଏଜ ଓଡ଼ିଶା ପୋର୍ଟାଲରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସୋସାଇଟି ପାଇଁ ରେଜିଷ୍ଟ୍ରେସନ, ରିନୁଆଲ ଏମେଣ୍ଡମେଣ୍ଡ, ରିନୁଆଲ ଉଇଥ୍ ଏମେଣ୍ଡମେଣ୍ଡ ଭଳି ଅନଲାଇନ ସେବା ଉପଲବ୍ଧ ରହିଛି। ଆବେଦନ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ସୋସାଇଟି ନବୀକରଣ ସମ୍ବନ୍ଧୀୟ ଏସଓପି ସହିତ ଏକ ଭିଡିଓ ଟ୍ୟୁଟୋରିଆଲ୍ ମଧ୍ୟ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ଏଥିସହ “ରିନୁଆଲ ଉଇଥ୍ ଏମେଣ୍ଡମେଣ୍ଡ” ଏସଓପି ମଧ୍ୟ ଆବେଦନକାରୀଙ୍କ ମାର୍ଗଦର୍ଶନ ପାଇଁ ଅପଲୋଡ୍ କରାଯାଇଛି। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ସୋସାଇଟିଗୁଡ଼ିକ ଅନଲାଇନରେ ଅଧିକ ସହଜ ଓ ସ୍ୱଚ୍ଛ ପ୍ରକ୍ରିୟାରେ ନବୀକରଣ ଏବଂ ଆବଶ୍ୟକ ସଂଶୋଧନ କରିପାରିବେ। ଏହା ଫଳରେ ସୋସାଇଟି ପଞ୍ଜୀକରଣ ସେବାରେ ଡିଜିଟାଲ୍ ସୁବିଧା ବୃଦ୍ଧି ପାଇବା ସହ ଆବେଦନ ନିଷ୍ପତି ପ୍ରକ୍ରିୟା ମଧ୍ୟ ଅଧିକ ଦ୍ରୁତ ହେବ।






