Home ଜିଲ୍ଲା ପରିକ୍ରମା ଏରେଇଁ ଗ୍ରାମରେ ପାଗଳା ମାଙ୍କଡର ଆତଙ୍କ, ୩୦ରୁ ଅଧିକ ଆହତ, ବନ ବିଭାଗର ନିଷ୍କ୍ରିୟତା, ଜିଲାପାଳଙ୍କୁ...

ଏରେଇଁ ଗ୍ରାମରେ ପାଗଳା ମାଙ୍କଡର ଆତଙ୍କ, ୩୦ରୁ ଅଧିକ ଆହତ, ବନ ବିଭାଗର ନିଷ୍କ୍ରିୟତା, ଜିଲାପାଳଙ୍କୁ ଅଭିଯୋଗ ପରେ ଧରାହେଲା ମାଙ୍କଡ

5

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଏରେଇଁ ଗ୍ରାମରେ ଗତ ପ୍ରାୟ ୨୦ ଦିନ ଧରି ଏକ ପାଗଳା ମାଙ୍କଡର ଉପଦ୍ରବ ଚରମ ସୀମାରେ ପହଂଚିବା ପରେ ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଆଜି ଅଭିଯୋଗ କରିଥିଲେ। ଏହି ଅଭିଯୋଗର ମାତ୍ର କେଇ ଘଂଟା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବନ ବିଭାଗର ନିଦ ଭାଙ୍ଗିଛି। ଏବଂ ସେ ସାପ ଧରାଳି ମିର୍ଜା ଆରିଫ୍ ବେଗ୍‌ର ସହାୟତାରେ ପାଗଳ ମାଙ୍କଡଟିକୁ ଆୟତ କରିଛି। ଗ୍ରାମବାସୀଙ୍କ ଅଭିଯୋଗ ମୂଳେ ମାଙ୍କଡଟି ଏପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଆହତ କରିଥିଲା। ଆହତମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଆଜି ଆତଙ୍କିତ ଗ୍ରାମବାସୀ ପ୍ରତାପ ସାହୁ, ଅଶୋକ ଦାସ, ଅଭୟ ରାଉତ, ପ୍ରଶାନ୍ତ ସ୍ୱାଇଁ, ରଶ୍ମିରଂଜନ ମିଶ୍ର, ଦିପୁନ ଧଳ, ପ୍ରତାପ ମହଲ, ସୁନୀଲ ବାରିକ, ବି.ଏନ. ସ୍ୱାଇଁ, ଦିଲୀପ କୁମାର ଆରଣ, ଅଶୋକ ସାହୁ, ଦିଲୀପ ବେହେରା, ତପନ ବେହେରା ପ୍ରମୁଖ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ ମାଙ୍କଡଟି ହଠାତ୍ ଲୋକଙ୍କ ଉପରେ ଆକ୍ରମଣ କରୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଭୟର ପରିବେଶ ସୃଷ୍ଟି ହୋଇଛି। ବିଶେଷକରି ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ଓ ବୟସ୍କ ବ୍ୟକ୍ତିମାନେ ଅଧିକ ବିପଦରେ ରହୁଛନ୍ତି। ପିଲାମାନଙ୍କର ସ୍କୁଲ ଯିବା ଓ ଫେରିବା ସମୟରେ ଅଭିଭାବକମାନେ ଭୟଭୀତ ରହୁଥିବା ବେଳେ ଗ୍ରାମରେ ସାଧାରଣ ଚଳପ୍ରଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଅଧିକାଂଶ ଲୋକ ଘରୁ ବାହାରକୁ ବାହାରିବା ସମୟରେ ଆତ୍ମରକ୍ଷା ପାଇଁ ହାତରେ ବାଡ଼ି ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି। ମାଙ୍କଡକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ବିଭିନ୍ନ ପ୍ରୟାସ କରିଥିଲେ ମଧ୍ୟ କୌଣସି ସଫଳତା ମିଳୁନାହିଁ। ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଆସୁଥିଲେ ମଧ୍ୟ ମାଙ୍କଡକୁ କାବୁ କରିବା କିମ୍ବା ସ୍ଥାନାନ୍ତର କରିବା ଦିଗରେ କୌଣସି ଫଳପ୍ରଦ ପଦକ୍ଷେପ ନେଉନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ବନ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ମାଙ୍କଡକୁ ଧରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଅଂଚଳବାସୀଙ୍କ ଜୀବନ ଓ ସୁରକ୍ଷା ନିଶ୍ଚିତ କରିବାକୁ ଦୃଢ଼ ଦାବି କରିଥିଲେ। ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ପରିସ୍ଥିତି ଆହୁରି ଗୁରୁତର ହେବା ସହ ଅଧିକ ଲୋକ ଆକ୍ରମଣର ଶିକାର ହେବାର ଆଶଙ୍କା ଥିବାର କହିବା ପରେ ପାଗଳ ମାଙ୍କଡଟିକୁ ବନ ବିଭାଗ ମିର୍ଜାକୁ ଡକାଇ କାବୁ ଜଙ୍ଗଲରେ ଛାଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.