ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ମମତାର ମୂର୍ତି ରମାଦେବୀ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କର ସଂଗ୍ରାମ ଜୀବନ ଗାନ୍ଧିବାଦୀ ଚିନ୍ତାଧାରାରେ ପରିଚାଳିତ ଥିଲା। ସେ ସବୁବେଳେ କହିଆସୁଥିଲେ ‘ସେବା ହିଁ ପରମ ଧର୍ମ’। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲୋକଙ୍କ ହକ୍ ପାଇଁ ଲଢିଥିଲେ। ରମାଦେବୀ କେବଳ ସ୍ୱାଧୀନତା ସଂଗ୍ରାମରେ ସୀମିତ ନଥିଲେ ବରଂ ସେ ଜଣେ ମହାନ୍ ସମାଜ ସଂସ୍କାରକ ମଧ୍ୟ ଥିଲେ। ଅସ୍ପୃସ୍ୟତା ନିବାରଣ, ଶିକ୍ଷା ଓ ମହିଳା ସଶକ୍ତିକରଣ, ଶିଶୁମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାର ୪ ହଜାର କିଲୋମିଟର ପଦଯାତ୍ରା କରିଥିଲେ। ତାଙ୍କର ନିସ୍ୱାର୍ଥପର ସେବା ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଥିଲା ବୋଲି ଆଜି ରମାଦେବୀଙ୍କ ପବିତ୍ର ୪୧ ତମ ମହାପ୍ରୟାଣ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ଓ ସି ଆର ଏସ ଆର ବି ଇ ଡି କଲେଜ ମିଳିତ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୟରେ ସି ଆର ଏସ ଆର ସଭାଗୃହରେ ପୂର୍ବାହ୍ନ ୧୦ ଘଟିକା ୩୦ ମିନିଟ୍ ସମୟରେ ତାଙ୍କର ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଶିଷ୍ଟ ସ୍ତମ୍ଭକାର ଅଭୟ କୁମାର ଦ୍ୱିବେଦୀ , ସିଆରଏସଆର ନିର୍ଦ୍ଦେଶକ ଡ ଭଗବାନ ପରିଡ଼ା, ଉପଦେଷ୍ଟା ଡ ରାମଚନ୍ଦ୍ର ପଣ୍ଡା ଓ ସିଆରଏସଆର ଅଧ୍ୟକ୍ଷ ଡ ଅରୁଣ କୁମାର ଲେଙ୍କା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପଣ୍ଡିତ ଶୈଳେନ୍ଦ୍ର ପାଢ଼ୀ ପ୍ରାରମ୍ଭରେ ବେଦ ପାଠ କରିଥିଲେ। ସିଆରଏସଆର ଅଧ୍ୟକ୍ଷ ଡ ଲେଙ୍କା ମଂଚ ଆମନ୍ତ୍ରଣ କରିଥିଲା ବେଳେ ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ଓ ସଂଯୋଜୀକା ସଂଯୁକ୍ତା ଯାଦବ ସର୍ବୋଦୟ ମଣ୍ଡଳ ବାବଦରେ ସୂଚନା ଦେଇଥିଲେ। ଡ ରାମଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ କମଳା କାନ୍ତ ସ୍ୱାଇଁ ଙ୍କ ସମେତ ସମସ୍ତ ଅତିଥି ମାନେ ମା ରମାଦେବୀ ଙ୍କ ଦେଶ ପ୍ରେମ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯିବା, ୧୯୩୦ ଲବଣ ସତ୍ୟାଗ୍ରହ ର ନେତୃତ୍ୱ ନେଇ ଶହ ଶହ ମହିଳାଙ୍କ ସମେତ ଇଂଚୁଡ଼ି ଓ ଶ୍ରୀଜଙ୍ଗ ରେ ଲୁଣ ମାରି ଜେଲ ଦଣ୍ଡ ଭୋଗିଥିଲେ ଓ ଅସ୍ପୃଶ୍ୟତା ବିରୋଧରେ ଆନ୍ଦୋଳନ କରି ଥିଲେ ବୋଲି କହିଥିଲେ। ଏବଂ ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେ କିପରି ନିଜର ୨୦୦ ଭରି ସୁନା ଗହଣା ମହାତ୍ମା ଗାନ୍ଧୀଙ୍କ ସ୍ୱରାଜ୍ ପାଣ୍ଠି କୁ ଦାନ କରି ସାରା ଜୀବନ ସାଧାରଣ ଗାଉଁଲି ଜୀବନ ରେ ଚଳି ଥିଲେ । ସୁନାଗହଣା ନ ପିନ୍ଧି ଦେଶ ସେବା ପାଇଁ ଦାନ କରନ୍ତୁ ବୋଲି ସେ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ ବୋଲି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଡ ଦିଲ୍ଲୀପ ରାଉତରାଏ ଯୋଗଦାନ କରି ମହିୟସୀ ପୁଣ୍ୟାତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ତାରା ମହାକାଶ ରେ ଥିବ ସେପର୍ଯ୍ୟନ୍ତ ମା ରମାଦେବୀ ଜନ ମାନସ ଙ୍କୁ ସତ୍ୟ ନ୍ୟାୟ ସେବା ଓ ପରୋପକରିତା ଗୁଣ ଶିକ୍ଷା ପ୍ରଦାନ କରୁଥିବେ। ସେ ଆମ ଓଡ଼ିଶା ଓ ଦେଶ ମାତୃକା ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଡଃ ରାଉତରାଏଙ୍କୁ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ତତଫରୁ ସମ୍ବର୍ଧନା ଦିଆଯାଇଥିଲା। ଗାନ୍ଧୀବାଳାଶ୍ରମ ର ପିଲାମାନେ ବୈଷ୍ଣବଜନୋ ଭଜନ ପରିବେଷଣ କରିଥିଲେ। ଗାନ୍ଧୀ ବିଚାରମଂଚର ଶାନ୍ତନୁ ରାଉତ, ଅଧ୍ୟାପକ ଶିବପ୍ରସାଦ ଖାମୁରାଇ , ମହିଳା ନେତ୍ରୀ କଳ୍ପନା ଜେନା, ପ୍ରଧ୍ୟାପକ କମଳାକାନ୍ତ ସ୍ୱାଇଁ, ଡ ଭଗବାନ୍ ପରିଡ଼ା,ଉପଦେଷ୍ଟା ଡ ରାମଚନ୍ଦ୍ର ପଣ୍ଡା ଆଲୋଚନାରେ ଅଂଶ ଗ୍ରହଣ କରି ମହାପୁରୁଷଙ୍କ ଜୀବନୀ ବିଶେଷ କରି ମା ରମାଦେବୀ ଙ୍କ ସଂଗ୍ରାମ ଦେଶ ପ୍ରେମ ତ୍ୟାଗ ମୋହ ମାୟା ଠାରୁ ଦୂରେଇ ରହିବାକୁ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଉପସଭାପତି ଅଧିବକ୍ତା ଆଦିତ୍ୟ ନାୟକ, ସୁଧାକର ରାଉତ , ବରିଷ୍ଠ ନାଗରିକ ଇନ୍ଦ୍ରମଣି ପଣ୍ଡା, ଅଭୟ ପଣ୍ଡା ନାରାୟଣ ପ୍ରଧାନ ପ୍ରାନ ଭାଇ , ବି ଇ ଡି କଲେଜ ଛାତ୍ରୀ ମାନେ ବିଶେଷ ଭାବେ ଶୃଙ୍ଖଳା ଓ ଶାନ୍ତି ରକ୍ଷା କରିବା ରେ ସହଯୋଗ୍ କରିଥିଲେ। ବରିଷ୍ଠ ସଭ୍ୟ ମଦନ ମୋହନ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମା’ ରମାଦେବୀଙ୍କ ୪୧ ତମ ମହାପ୍ରୟାଣ ଦିବସ,ସେବା ଓ ମମତାର ମୂର୍ତି...








