ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଫେବର ରୋଡ–୨ରେ ପୌରପାଳିକା ଓ ସରକାରଙ୍କ ଅନୁମୋଦନକ୍ରମେ ଚାଲିଥିବା ଏକ ବିକାଶମୂଳକ କାର୍ଯ୍ୟକୁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବେ ଭାଙ୍ଗି କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ଦୟାନିଧି ମହାପାତ୍ର ଏତଲାକାରୀ ଭାବେ ପୁରୁଣା ବଜାର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ସହ ବହୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଥାନାରେ ପହଂଚି ସରକାରୀ ସମ୍ପତି ନଷ୍ଟ କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ସରକାରୀ ଓ ପୌରପାଳିକା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଉକ୍ତ କାର୍ଯ୍ୟକୁ କିଛି ବ୍ୟକ୍ତି ଜାଣିଶୁଣି ଭାଙ୍ଗି ଦେଇଥିବାରୁ ସରକାରୀ ସମ୍ପତିର କ୍ଷତି ଘଟିଛି ଏବଂ ଅଂଚଳର ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ଦେଖାଯାଇଛି। ଗ୍ରାମବାସୀଙ୍କ କହିବାନୁସାରେ, ସରକାରୀ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ଦେବା କିମ୍ବା ନଷ୍ଟ କରିବା ଏକ ଗୁରୁତର ଅପରାଧ। ତେଣୁ ଘଟଣାର ତୁରନ୍ତ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ କାର୍ଯ୍ୟକୁ ପୁନଃ ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ପୁରୁଣା ବଜାର ଥାନା ପୁଲିସ ଲିଖିତ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।
Home ଜିଲ୍ଲା ପରିକ୍ରମା ସରକାରୀ ଓ ପୌରପାଳିକା ଅନୁମୋଦିତ କାର୍ଯ୍ୟ ଭଙ୍ଗା ଅଭିଯୋଗ ,ପୁରୁଣାବଜାର ଥାନାରେ ଏତଲା, ଦୋଷୀଙ୍କ ବିରୋଧରେ...








