Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳ ଷ୍ଟେସନରେ ଚାଂଚଲ୍ୟ, ପ୍ଲାଟଫର୍ମର ଗଛରେ ଝୁଲୁଥିବା ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା...

ଭଦ୍ରକ ରେଳ ଷ୍ଟେସନରେ ଚାଂଚଲ୍ୟ, ପ୍ଲାଟଫର୍ମର ଗଛରେ ଝୁଲୁଥିବା ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ଅନ୍ୟ କିଛି! ତଦନ୍ତ ଆରମ୍ଭ

7

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳ ଷ୍ଟେସନ ପରି ଅତ୍ୟନ୍ତ ବ୍ୟସ୍ତ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହେବା ଘଟଣା ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଛି। ବୁଧବାର ସକାଳେ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ଏକ ଗଛ ଡାଳରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ଯାତ୍ରୀ ଓ ରେଳ କର୍ମଚାରୀମାନେ ହତବାକ୍ ହୋଇଯାଇଥିଲେ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଭଦ୍ରକ ରେଳ ଷ୍ଟେସନର ୩ ଓ ୪ ନମ୍ବର ପ୍ଲାଟଫର୍ମ ମଧ୍ୟଭାଗରେ ଥିବା ଏକ ଗଛର ଡାଳରେ ଯୁବକଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ସର୍ବପ୍ରଥମେ କିଛି ଯାତ୍ରୀ ଦେଖିଥିଲେ। ତୁରନ୍ତ ଜିଆରପିକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଘଟଣାର ପ୍ରତ୍ୟେକ ଦିଗକୁ ଯାଂଚ କରୁଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାରୁ ପୁଲିସ ତାଙ୍କ ପରିଚୟ ଖୋଜିବାରେ ଲାଗିପଡ଼ିଛି। ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଭଦ୍ରକ ରେଳ ଷ୍ଟେସନ ଦିନରାତି ଜନଗହଳିପୂର୍ଣ୍ଣ ରହୁଥିବା ବେଳେ ପ୍ରାୟ ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଟ୍ରେନ୍ ଚଳାଚଳ କରୁଛି। ଷ୍ଟେସନ ପରିସରରେ ସର୍ବଦା ଜିଆରପି ଓ ଆରପିଏଫ କର୍ମଚାରୀମାନେ ମୁତୟନ ରହୁଥିବା ସତ୍ୱେ ଏଭଳି ଘଟଣା କିପରି ଘଟିଲା, ତାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଯୁବକ ଜଣକ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି କି, ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଂଚ କରାଯାଉଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିବା ସହ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କୌଣସି ନିଷ୍କର୍ଷରେ ପହଂଚିବା ସମ୍ଭବ ନୁହେଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣା ପରେ କିଛି ସମୟ ପାଇଁ ଷ୍ଟେସନ ପରିସରରେ ଉତ୍ସୁକ ଲୋକଙ୍କ ଭିଡ଼ ଜମିଥିଲା। ଏହି ଘଟଣା ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ସମସ୍ତ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.