Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକା କାର୍ଯ୍ୟାଳୟରେ ପରିବାରିକ ବିବାଦ ଉଗ୍ରରୂପ, ମାରପିଟ ଅଭିଯୋଗ, ଉଭୟ ପକ୍ଷର ପାଲଟା ବୟାନ

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟରେ ପରିବାରିକ ବିବାଦ ଉଗ୍ରରୂପ, ମାରପିଟ ଅଭିଯୋଗ, ଉଭୟ ପକ୍ଷର ପାଲଟା ବୟାନ

2

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ପରିସରରେ ସୋମବାର ଏକ ପରିବାରିକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉତେଜନା ଦେଖାଦେଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ କିଛି ସମୟ ପାଇଁ ପୌରପାଳିକା ପରିସରରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଂଚାୟତର ଭଗବାନପୁର ଗ୍ରାମର ରତ୍ନାକର ପାଢୀଙ୍କ ପରିବାରରେ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଚାଲିଆସୁଛି। ଅଭିଯୋଗ ଅନୁସାରେ, ରତ୍ନାକର ପାଢୀଙ୍କ ଭାଇ ସୁବାସ ଚନ୍ଦ୍ର ପାଢୀ ନିଜ ଶ୍ୱଶୁରଙ୍କୁ ନେଇ ପରିବାରର ଜମିବାଡ଼ି ନିଜ ନାମରେ କରାଇଥିବା ଅଭିଯୋଗ ହୋଇଛି। ସୋମବାର ଆହୁରି କିଛି ଜମିର ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଶ୍ୱଶୁରଙ୍କୁ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ ଆଣିଥିବା ଅଭିଯୋଗ କରିଛନ୍ତି ଅନ୍ୟ ପକ୍ଷ। ଏହି ଖବର ପାଇ ସୁବାସ ପାଢୀଙ୍କ ପତ୍ନୀ ସଞ୍ଜୁଲତା ପାଢୀ ସେଠାରେ ପହଂଚି ଘଟଣା ସମ୍ପର୍କରେ ପଚାରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବଚସା ହେବା ସହ ପରିସ୍ଥିତି ଉତପ୍ତ ହୋଇ ମାରପିଟ ପର୍ଯ୍ୟନ୍ତ ଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପରିସ୍ଥିତିକୁ ଶାନ୍ତ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ପକ୍ଷ ନିଜ ନିଜ ଅଭିଯୋଗ ରଖିଥିବା ବେଳେ ପରସ୍ପର ବିରୋଧରେ ବିଭିନ୍ନ ଦାବି କରିଛନ୍ତି। ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଜମିବାଡ଼ିକୁ କେନ୍ଦ୍ର କରି ପରିବାରିକ ବିବାଦ ଏବେ ସାର୍ବଜନୀନ ସ୍ଥାନରେ ହିଂସାତ୍ମକ ରୂପ ନେଇଥିବାରୁ ଘଟଣାଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶାସନ ନିରପେକ୍ଷ ତଦନ୍ତ କରି ପ୍ରକୃତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.