ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅଧୀନ ଦକ୍ଷିଣବାଡ଼ ସ୍ଥିତ ପ୍ରସିଦ୍ଧ ମୁରଲୀ ମନୋହର ମନ୍ଦିର ପରିସରରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। କନ୍ୟା ପକ୍ଷ ଅତି ଗରୀବ ହୋଇଥିବାରୁ ଧାମନଗର ବରିଷ୍ଠ ନାଗରିକ ପରିଷଦର ଉଦ୍ୟମରେ ଯାଜପୁର ଜିଲ୍ଲା ମହମଦ ଜାମପୁର (ଭାୟା-ସୁଜନପୁର)ର ପବିତ୍ର ପଣ୍ଡାଙ୍କ କନ୍ୟା ରୁବିନା ପଣ୍ଡାଙ୍କ ସହ ଧାମନଗର ବୈକୁଣ୍ଠୀ ମୁଥାନଗର ର ଉପେନ୍ଦ୍ର ଦାଶଙ୍କ ପୁଅ ତପନ ଦାଶଙ୍କ ସୋମବାର ଦିନ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ଉଭୟ ବର ଓ କନ୍ୟା ଜନ୍ମରୁ ପ୍ରାୟ ୮୦ ପ୍ରତିଶତ ଶାରୀରିକ ଅକ୍ଷମ ହୋଇଥିଲେ ମଧ୍ୟ ପରିବାରର ସହମତି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିବାହ ଉତ୍ସବ ଆନନ୍ଦଉଲ୍ଲାସର ସହ ସମ୍ପନ୍ନ ହୋଇଥିଲା। ଗ୍ରାମର ଅରୁଣ କୁମାର ବାରିକ କନ୍ୟାଦାନ କରିଥିବାବେଳେ ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଓ ଗ୍ରାମବାସୀ ବିବାହ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ପରିଷଦର ସଭାପତି ଅନୀଲ ବାରିକ,ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ନୃସିଂହ ଚରଣ ନାୟକ, ଭୈରବ ଚରଣ ଜେନାଙ୍କ ସମେତ ପ୍ରମୋଦ ଦାସ, ରବୀନ୍ଦ୍ର ଦାସ, ରାମଚନ୍ଦ୍ର ଦାସ, ଚନ୍ଦ୍ରମଣି ଦାସ, ଆଶୋକ ଦାସ, ରମେଶ ଦାସ, ନିତ୍ୟାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ପରିଖୀତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶାରୀରିକ ଅକ୍ଷମତା ସଫଳ ଦାମ୍ପତ୍ୟ ଜୀବନରେ ବାଧକ ନୁହେଁ ବୋଲି ଏହି ନିଆରା ବିବାହ ସମାଜକୁ ଏକ ସକାରାତ୍ମକ ବାର୍ତା ଦେଇଛି।








