Home ଜିଲ୍ଲା ପରିକ୍ରମା ଜାତୀୟ ରଗବିରେ ଓଡ଼ିଶା ଚାମ୍ପିଅନ,ଧାମନଗରର ସ୍ୱପ୍ନାରାଣୀଙ୍କ ସଫଳତା, ଅଂଚଳରେ ଖୁସିର ଲହରୀ

ଜାତୀୟ ରଗବିରେ ଓଡ଼ିଶା ଚାମ୍ପିଅନ,ଧାମନଗରର ସ୍ୱପ୍ନାରାଣୀଙ୍କ ସଫଳତା, ଅଂଚଳରେ ଖୁସିର ଲହରୀ

2

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଜାତୀୟ ୧୮ ବର୍ଷରୁ କମ୍ ବାଳିକା ରଗବି ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି। ଫାଇନାଲ ମୁକାବିଲାରେ ଶକ୍ତିଶାଳୀ କର୍ଣ୍ଣାଟକ ଦଳକୁ ପରାସ୍ତ କରି ଓଡ଼ିଶା ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଦଳର ସଦସ୍ୟା ତଥା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ପଧାନୀ ପଂଚାୟତ କଂଟିଦୋଳ ଗ୍ରାମର ଝିଅ ସ୍ୱପ୍ନାରାଣୀ ବେହେରାଙ୍କ ଏହି ସଫଳତାକୁ ନେଇ ସମଗ୍ର ଧାମନଗର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ସଫଳତା କେବଳ ପରିବାର କିମ୍ବା ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି। କୃଷକ ପରିବାରରେ ଜନ୍ମିତ ସ୍ୱପ୍ନାରାଣୀଙ୍କ ବାପା ଜଣେ ପରିଶ୍ରମୀ କୃଷକ ଏବଂ ମା’ ଗୃହିଣୀ। ସୀମିତ ଆର୍ôଥକ ସାମର୍ଥ୍ୟ ସତ୍ୱେ ମାତା-ପିତା ସବୁବେଳେ ଝିଅର ଖେଳ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେଇଆସିଥିଲେ। ନିୟମିତ ଅଭ୍ୟାସ, କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ବଳରେ ସେ ରାଜ୍ୟ ଦଳରେ ସ୍ଥାନ ପାଇବା ସହ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶାକୁ ଚାମ୍ପିଅନ କରାଇବାରେ ନିଜର ଭୂମିକା ନିର୍ବାହ କରିଛନ୍ତି। ସ୍ୱପ୍ନାରାଣୀଙ୍କ ଏହି ସଫଳତା ପରେ କଂଟିଦୋଳ ଗ୍ରାମ ସମେତ ଧାମନଗର ଅଂଚଳରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ, କ୍ରୀଡ଼ାପ୍ରେମୀ, ଯୁବବର୍ଗ ଓ ଶୁଭେଚ୍ଛୁମାନେ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେ ଭାରତୀୟ ଦଳର ଜର୍ସି ପିନ୍ଧି ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସଫଳତା ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଗ୍ରାମାଂଚଳର ଜଣେ ଝିଅଙ୍କ ଏଭଳି ସଫଳତା ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି। ସ୍ୱପ୍ନାରାଣୀଙ୍କ କୃତିତ୍ୱ ପାଇଁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଗ୍ରାମାଂଚଳରୁ ଏଭଳି ପ୍ରତିଭା ବାହାରି ରାଜ୍ୟକୁ ଗୌରବାନ୍ୱିତ କରୁଥିବା ଅତ୍ୟନ୍ତ ଖୁସିର ବିଷୟ। ସେହିପରି ଭଦ୍ରକ ଜିଲ୍ଲା ରଗବି ଫୁଟବଲ ଆସୋସିଏସନର ସଭାପତି କୈଳାଶ ମହାପାତ୍ର, ସମ୍ପାଦକ ଶ୍ରୀଧର ମହାଳିକ, କୋଷାଧ୍ୟକ୍ଷ ତଥା ରଗବି ଫିଜିଓ ଲକ୍ଷ୍ମଣ ନାୟକ (ବାଙ୍କୁ)ଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ସ୍ୱପ୍ନାରାଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ କହିଛନ୍ତି, ଯଦି ସେ ଏଭଳି ପରିଶ୍ରମ ଜାରି ରଖନ୍ତି, ତେବେ ନିଶ୍ଚିତ ଭାବେ ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସଫଳତା ଆଣିପାରିବେ। କ୍ରୀଡ଼ାପ୍ରେମୀମାନଙ୍କ ମତରେ, ଭଦ୍ରକ ଜିଲ୍ଲା ସମେତ ଧାମନଗର ଅଞ୍ଚଳରେ ରଗବି ଭଳି ଖେଳ ପ୍ରତି ଆଗ୍ରହ ଧୀରେ ଧୀରେ ବଢ଼ୁଛି। ତେବେ ଗ୍ରାମାଂଚଳର ପ୍ରତିଭାମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି ଉନ୍ନତ ପ୍ରଶିକ୍ଷଣ, ଆଧୁନିକ କ୍ରୀଡ଼ା ଭିତିଭୂମି ଓ ଆର୍ôଥକ ସହଯୋଗ ଯୋଗାଇ ଦିଆଗଲେ ଓଡ଼ିଶାରୁ ଆହୁରି ଅନେକ ଖେଳାଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରିବେ। ସ୍ୱପ୍ନାରାଣୀଙ୍କ ସଫଳତା ସେହି ଦିଗରେ ଏକ ଉଜ୍ଜ୍ୱଳ ଉଦାହରଣ ବୋଲି କ୍ରୀଡ଼ାପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.