Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ,କଠିନ ପରିଶ୍ରମ ଓ ନିଷ୍ଠା ନିଶ୍ଚିତ ସଫଳତା ଆଣିବ...

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ,କଠିନ ପରିଶ୍ରମ ଓ ନିଷ୍ଠା ନିଶ୍ଚିତ ସଫଳତା ଆଣିବ -ବିଧାୟକ

2

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶାର ଦ୍ୱିତୀୟ ବୃହତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଗାରିମା କେବଳ ଆମ ରାଜ୍ୟ ନୁହେଁ ଭାରତବର୍ଷରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି। ଆମ ଜିଲାର ଗୌରବ ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନ ବହୁ ଯୋଗଜନ୍ମା ବ୍ୟକ୍ତିବିଶେଷଙ୍କୁ ଗଢିଛି। କିନ୍ତୁ ଏହାର ଯେଭଳି ଉନ୍ନତି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏଣୁ ବର୍ତମାନ ଠାରୁ ସମସ୍ତେ ଏକାଠି ହୋଇ ଏହାର ବିକାଶରେ ଆଗେଇ ଆସିଲେ ତାହାହିଁ ଏହି ଶିକ୍ଷାନୁଷ୍ଠାନ ପ୍ରତି ଶ୍ରେଷ୍ଠ ନିଦର୍ଶନ ହେବ ବୋଲି ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହାର ୭୯ତମ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ମହାପାତ୍ର ଯୋଗଦେଇ କଠିନ ପରିଶ୍ରମ ସହ ନିଷ୍ଠାର ସହ ଅଧ୍ୟୟନ କଲେ ନିଶ୍ଚିତ ସଫଳତା ଆଣିଦେବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲେଜକୁ ଆସିଥିବା ୫ କୋଟି ଅନୁଦାନରେ ଏବେ କିଛି କାର୍ଯ୍ୟ ସାଧିତ ହେବାକୁ ଥିଲେ ମଧ୍ୟ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି। ତାହା କିଭଳି ଆସିବ ସେ ଦିଗରେ ଆମେ ସମସ୍ତେ ଉଦ୍ୟମ କରି ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଏହାକୁ ଗଢି ତୋଳିବା ପାଇଁ ସେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ବକ୍ତାଭାବେ ପୂର୍ବତନ ଅଧ୍ୟକ୍ଷ ଡଃ ଶୈଳେନ୍ଦ୍ର ମହାପାତ୍ର ଯୋଗଦେଇ ଏହି କଲେଜର ପୂର୍ବ ଗୌରବ ଗାଥା ବର୍ଣ୍ଣନା କରିଥିଲେ। ଏବେ କିଛି ଆଭ୍ୟନ୍ତରୀଣ ସମସ୍ୟା ନେଇ ସେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ଦିଗରେ ଦୃଢତାର ସହ ଦାବି ରଖିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ଓ ଅବସରପ୍ରାପ୍ତ ଅଧ୍ୟାପକ ବିରେନ ଚନ୍ଦ୍ର ରାଉତ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ପତାକା ଉତୋଳନ କରାଯାଇ ପ୍ରତିଷ୍ଠାତାଙ୍କ ସମେତ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.