ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟରେ ଭଦ୍ରକ ଏକ ପ୍ରମୁଖ ଆଦର୍ଶ ରେଲୱେ ଷ୍ଟେସନର ମାନ୍ୟତା ପାଇଥିଲେ। ଏହାର ପରିସରରେ ଅସୁସ୍ଥ ଯାତ୍ରୀଙ୍କ ପାଇଁ ଜନ ଔଷଧି କେନ୍ଦ୍ରଟିଏ ଖୋଲିବା ପାଇଁ ଆଜି ଓଁକାର ସାଂସ୍କୃତିକ ସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟେଶରେ ଅତିରିକ୍ତ ଜିଲ୍ଲାପାଳ ର୍ୱି ନାରାୟଣ ସାହୁଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ଉଲ୍ଲିଖିତ ସୂଚନା ମୂଳେ ସମଗ୍ର ଭାରତ ବର୍ଷରେ ଯେଉଁ କେତେକ ଆଦର୍ଶ ରେଲୱେ ଷ୍ଟେସନ ସ୍ଥାନ ପାଇଛି, ସେଥି ମଧ୍ୟରେ ଉତର ଓଡ଼ିଶାର ଉପକୂଳବର୍ତୀ ଭଦ୍ରକ ଷ୍ଟେସନ ଅନ୍ୟତମ। ଏହି ରେଳ ଷ୍ଟେସନ ଉପରେ କେବଳ ଭଦ୍ରକ ଜିଲ୍ଲାବାସୀ ନୁହନ୍ତି, ପଡୋଶୀ କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ,ବାଲେଶ୍ୱର ଓ କେନ୍ଦ୍ରାପଡା ଭଳି ଜିଲ୍ଲାର ଯାତ୍ରୀମାନେ ମଧ୍ୟ ଓଡ଼ିଶାର ବିଭିନ୍ନ ଅଂଚଳ ସମେତ ଅନ୍ୟ ରାଜ୍ୟକୁ ଯାତାୟାତ କରିଥାନ୍ତି।ଇତିମଧ୍ୟରେ ସାରା ଭାରତ ବର୍ଷରେ ରେଲୱେ ଟ୍ରାକ ୧୭୩ ବର୍ଷ ଅତିକ୍ରମ କରିସାରିଛି। ଏବଂ ଏ ଗୁଡିକ ଆଧୁନିକ କରଣର ଶୀର୍ଷରେ ପହଂଚି ସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଦେଶରେ ପ୍ରାୟ ୯୦ ପ୍ରତିଶତ ଯାତ୍ରୀ ରେଳ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ‘ଏ’ ୱାନ ରେଲୱେ ଷ୍ଟେସନ ଓ ଜଂକ୍ସନ ଗୁଡିକରେ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା ହୋଇପାରି ନାହିଁ।ଫଳରେ କୋଟି କୋଟି ଲୋକଙ୍କ ସମାଗମରେ ଦୈବାତ କେବେ କୌଣସି ଯାତ୍ରୀଟିଏ ଅସୁସ୍ଥ ବୋଧ କଲେ ତାକୁ ଷ୍ଟେସନ ବାହାରେ ଥିବା ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡିଥାଏ। ହୁଏତ ସେତେବେଳକୁ ନିର୍ଦ୍ଧାରିତ ଟ୍ରେନ ଟି ତାର ଗନ୍ତବ୍ୟ ପଥ ଅଭିମୁଖେ ଯାତ୍ରା କରିସାରି ଥାଏ। ଏଣୁ ରେଳ ଯାତ୍ରୀଙ୍କର ଏଭଳି ଏକ ସମ୍ବେଦନଶୀଳ ଅସୁବିଧା ପ୍ରତି ଦୃଷ୍ଟି ଦେଇ ଭଦ୍ରକ ଜିଲ୍ଲାପାଳ କେନ୍ଦ୍ର ରେଲୱେ କର୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ନିକଟରେ କେବଳ ଭଦ୍ରକ ନୁହେଁ ସମସ୍ତ ଆଦର୍ଶ ଓ ‘ଏ’ ୱାନ ରେଲୱେ ଷ୍ଟେସନରେ ଗୋଟିଏ ଲେଖାଏଁ ଜନ ଔଷଧି କେନ୍ଦ୍ର ଖୋଲିବାର ପ୍ରୟାସ କରିବାକୁ ସଂଗଠନର ପ୍ରମୁଖ କ୍ୟାପଟେନ ଓଁକାର, ଦିଲ୍ଲୀପ କୁମମାତ୍ର ଜେନା, ରାଜେନ୍ଦ୍ର ଯେନା,ବର୍ଷାରାଣୀ ଦାସ ଓ ମୋନାଲିସା ବାରିକ ଅନୁରୋଧ କରିଛନ୍ତି।








